ଜେଲରୁ ମୁକୁଳି ପାରିବନି ରାଜା! ଜାମିନ୍‌ ଖାରଜ ଲାଗି ହାଇକୋର୍ଟ ଯିବ ପୁଲିସ

ଭୁବନେଶ୍ୱର: ଗ୍ୟାଙ୍ଗଷ୍ଟର ରାଜା ଆଶ୍ଚର୍ଯ୍ୟକୁ ଗତକାଲି ଓଡ଼ିଶା ହାଇକୋର୍ଟ ମଞ୍ଜୁର କରିଥିବା ସର୍ତ୍ତମୂଳକ ଜାମିନକୁ ଖାରଜ କରିବା ଲାଗି କମିସନ୍‌ରେଟ ପୁଲିସ ହାଇକୋର୍ଟଙ୍କ ନିକଟରେ ଆବେଦନ କରିବ। ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ ଉପରୋକ୍ତ ମତ ଦେଇଛନ୍ତି ପୁଲିସ କମିସନ୍‌ର ଓ୍ଵାଇ.ବି.ଖୁରାନିଆ। ଏ ନେଇ କମିସନ୍‌ରେଟ ପକ୍ଷରୁ ଆଇନ ବିଶାରଦଙ୍କର ମତ ଲୋଡାଯିବ। ହାଇକୋର୍ଟଙ୍କ ଜାମିନ୍‌ ସମ୍ପର୍କିତ ଦସ୍ତାବିଜ୍‌ ମିଳିବା ପରେ ପୁଲିସ ପକ୍ଷରୁ ପୁନଃଆବେଦନ କରାଯିବ।

ଏହାପୂର୍ବରୁ ୨୦୧୭ ମାର୍ଚ୍ଚରେ ହାଇପ୍ରୋଫାଇଲ ଜୁଡୋକୋଚ ବିରଞ୍ଚି ଦାସ ହତ୍ୟାକାଣ୍ଡରେ ସୁପ୍ରିମକୋର୍ଟରୁ ରାଜା ଆଚାର୍ଯ୍ୟଙ୍କୁ ଜାମିନ ମିଳିଥିଲା। ମାତ୍ର ଜ୍ୟୋତି ମୋଟର୍ସ କର୍ମଚାରୀ ଅପହରଣ ମାମଲାରେ ତାଙ୍କୁ ଜାମିନ୍‌ ମିଳି ନ ଥିବା ହେତୁ ସେ ଜେଲରୁ ବାହାରି ପାରି ନଥିଲା। ଗତକାଲି ଏହି ମାମଲାରେ ଜାମିନ୍‌ ମିଳିଥିବାରୁ ରାଜା ଜେଲରୁ ମୁକୁଳିବା ଏକ ପ୍ରକାର ସ୍ଥିର ହୋଇଯାଇଥିଲା।

ଏହି ଘଟଣା ପରେ ମୃତ ବିରଞ୍ଚି ଦାସଙ୍କ ପତ୍ନୀ ତାଙ୍କ ଜୀବନ ପ୍ରତି ବିପଦ ଅଛି ବୋଲି କହି ପୁଲିସଠାରୁ ସୁରକ୍ଷା ଲୋଡିଥିଲେ। ବର୍ତ୍ତମାନ ରାଜାଙ୍କୁ ପୁଣି ଥରେ ଜେଲ ପଠାଇବା ଲାଗି କମିସନ୍‌ରେଟ ପୁଲିସ ପଦକ୍ଷେପ ନେବା ଆରମ୍ଭ କରିଛି।

ସମ୍ବନ୍ଧିତ ଖବର