ଜେଲ୍‌ରୁ ବାହାରିଲେ ରାଜା ଆଚାର୍ଯ୍ୟ

ଭୁବନେଶ୍ୱର : ବହୁଚର୍ଚିତ ଜୁଡୋ କୋଚ ବିରଞ୍ଚି ଦାସ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ରାଜା ଆଚାର୍ଯ୍ୟ ଆଜି ସକାଳ ପ୍ରାୟ ସାଢ଼େ ୭ଟାବେଳେ ଝାରପଡ଼ା ଜେଲ୍‌ରୁ ମୁକୁଳିଛନ୍ତି। ରାଜା ଜେଲ୍‌ରୁ ମୁକୁଳିବା ପରେ ଭୟଭୀତ ହୋଇ ପଡ଼ିଛନ୍ତି ବିରଞ୍ଚିଙ୍କ ପତ୍ନୀ ଗୀତାଞ୍ଜଳି, ଅଭିନେତ୍ରୀ ଲେସ୍‌ଲି ଓ ବିଦୁସ୍ମିତା। ସେମାନଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଦାବି କରିଛନ୍ତି। ଅନ୍ୟପକ୍ଷରେ ଏ ନେଇ ପୁଲିସ କମିସନର ଯୋଗେଶ ବାହାଦୁର ଖୁରାନିଆ କହିଛନ୍ତି, କେହି ଭୟଭୀତ ହେବା ଆବଶ୍ୟକ ନାହିଁ। ଯେଉଁମାନେ ଚାହିଁବେ ସେମାନଙ୍କୁ ସୁରକ୍ଷା ଯୋଗାଇ ଦିଆଯିବ।

୨୦୦୮ ମେ’ ୨୮ ତାରିଖରୁ ବିରଞ୍ଚି ଦାସ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ରାଜା ଆଚାର୍ଯ୍ୟ ଝାରପଡ଼ା ଜେଲ୍‌ରେ ସଜ୍ଜା କାଟି ଆସୁଥିଲେ। ଏହି ମାମଲାରେ ସୁପ୍ରିମକୋର୍ଟ ତାଙ୍କୁ ଗତବର୍ଷ ମାର୍ଚ ମାସରେ ଜାମିନ୍‌ ପ୍ରଦାନ କରିସାରିଥିଲେ। କିନ୍ତୁ ସେ ଜ୍ୟୋତି ମୋଟର୍ସ ମାମଲାରେ ଜେଲ୍‌ରେ ଥିଲେ। ୪ ଦିନ ତଳେ ତାଙ୍କୁ ହାଇକୋର୍ଟରୁ ଜାମିନ୍‌ ମିଳିଥିଲା।

ତେବେ ୧୦ ବର୍ଷ ପରେ ଜେଲ୍‌ରୁ ବାହାରିବା ଜାଣିବା ପରେ ମୃତ ବିରଞ୍ଚିଙ୍କ ପତ୍ନୀ ଗୀତାଞ୍ଜଳି ଦାସ ଆଜି ଗଣମାଧ୍ୟମକୁ କହିଛନ୍ତି, ୫ ବର୍ଷ ପୂର୍ବରୁ ତାଙ୍କ ଘରୁ ସୁରକ୍ଷା କର୍ମୀ ହଟାଇ ଦିଆଯାଇଥିଲା। ଗତବର୍ଷ ଜୁଡୋ ହଲ୍‌ ଏବଂ ବ୍ୟକ୍ତିଗତ ସୁରକ୍ଷା କର୍ମୀ ହଟାଇ ଦିଆଯାଇଛି। କେଉଁ ପରିସ୍ଥିତିରେ ସୁରକ୍ଷାକର୍ମୀଙ୍କୁ ହଟାଗଲା ଏନେଇ କମିସନରେଟ୍‌ ପୁଲିସ ପକ୍ଷରୁ କୌଣସି ସୂଚନା ମଧ୍ୟ ଦିଆଯାଇ ନାହିଁ। ରାଜା ଆଜି ଜେଲ୍‌ରୁ ବାହାରିବା ପରେ ସେ ଅଧିକ ଭୟଭୀତ ହୋଇପଡ଼ିଛନ୍ତି। ଏହାଛଡ଼ା ଜୁଡୋ ହଲ୍‌ରେ ଖେଳୁଥିବା ଅନେକ ଛାତ୍ରଛାତ୍ରୀ ବିରଞ୍ଚି ହତ୍ୟା ମାମଲାରେ ସାକ୍ଷୀ ଦେଇଥିଲେ। ରାଜାଙ୍କୁ ଜାମିନ୍‌ ମିଳିବା ପରେ ସେମାନେ ସମସ୍ତେ ଏବେ ଭୟରେ ଅଛନ୍ତି।

ସେହିପରି ଅଭିନେତ୍ରୀ ଲେସ୍‌ଲି ତ୍ରିପାଠୀ କହିଛନ୍ତି, ମୁଁ ନିଜକୁ ଅସୁରକ୍ଷିତ ମନେ କରୁଛି। ଅଭିନେତ୍ରୀ ବିଦୁସ୍ମିତା ମଧ୍ୟ କହିଛନ୍ତି, ରାଜାଙ୍କୁ ଜାମିନ୍‌ ମିଳିବା ପରେ ଆମ ପରିବାର ସଦସ୍ୟଙ୍କ ମଧ୍ୟରେ ଭୟ ଖେଳିଯାଇଛି। ମୁଁ ଭାବୁଛି ପୁଲିସ ଆମକୁ ସୁରକ୍ଷା ଯୋଗାଇ ଦେବ।

ଏ ସମ୍ପର୍କରେ ପୁଲିସ କମିସନର କହିଛନ୍ତି ଯେ କେହି ଭୟଭୀତ ହେବା ଆବଶ୍ୟକ ନାହିଁ। ଲିଖିତ ଅଭିଯୋଗ କଲେ କମିସନରେଟ୍‌ ପୁଲିସ ପକ୍ଷରୁ ସମସ୍ତଙ୍କୁ ସୁରକ୍ଷା ଯୋଗାଇ ଦିଆ ଯିବ।

ପ୍ରକାଶଥାଉକି, ୨୦୦୮ ଏପ୍ରିଲ ୧୩ ତାରିଖରେ ଜୁଡୋ କୋଚ ବିରଞ୍ଚି ଦାସଙ୍କୁ ହତ୍ୟା କରାଯାଇଥିଲା। ପୁଲିସ ରାଜାଙ୍କୁ ମେ’ ମାସ ୨୮ ତାରିଖ ୨୦୦୮ ମସିହାରେ ଗୋଆରୁ ଗିରଫ କରିଥିଲା। ପରେ ୨୦୧୧ ମସିହାରେ ଭୁବନେଶ୍ୱର ଜିଲ୍ଲା ଦୌରାଜଜ୍‌ କୋର୍ଟରେ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ଏହିି ମାମଲାରେ ସୁପ୍ରିମକୋର୍ଟ ତାଙ୍କୁ ଗତବର୍ଷ ମାର୍ଚ ମାସରେ ଜାମିନ୍‌ ପ୍ରଦାନ କରି ସାରିଥିଲେ।

ବିରଞ୍ଚି ହତ୍ୟା ମାମଲାରେ ପୁଲିସ ରାଜାଙ୍କ ସମେତ ଚଗଲାଙ୍କୁ ମଧ୍ୟ ଗିରଫ କରିଥିଲା। ଆଲବମ୍‌ ଅଭିନେତ୍ରୀ ଲେସ୍‌ଲିଙ୍କ ସହିତ ଏକତରଫା ପ୍ରେମ ସମ୍ପର୍କକୁ ନେଇ ରାଜା ଜୁଡୋ କୋଚ୍‌ ବିରଞ୍ଚି ଦାସଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା।

ସେତେବେଳେ ଏହି ଘଟଣା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା। ପୁଲିସ ଓ ଅପରାଧୀଙ୍କ ମଧ୍ୟରେ ସମ୍ପର୍କ ଥିବା ନେଇ ତୁମ୍ବି ତୋଫାନ ହୋଇଥିଲା। ରାଜ୍ୟ ସରକାର ପୁଲିସ କମିସନର୍‌ ବିନୟ ବେହେରାଙ୍କ ସମେତ ବଡ଼ଗଡ଼ ଥାନା ଇନ୍ସପେକ୍ଟର ଭବାନୀ ପଟ୍ଟନାୟକଙ୍କୁ ବଦଳି କରିଥିଲେ। ଏହାଛଡ଼ା କମିସନରେଟ୍‌ ପୁଲିସରେ ଏକ ବଡ଼ଧରଣର ଅଦଳବଦଳ ହୋଇଥିଲା।
ତେବେ ରାଜା ଆଜି ଜେଲ୍‌ରୁ ବାହାରିବା ପରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି କି ସେ ନିଜେ ଗଢ଼ିଥିବା ହିନ୍ଦୁସେନା ସଂଗଠନକୁ ସାରା ରାଜ୍ୟରେ ମଜଭୁତ କରିବା ଦିଗରେ କାମ କରିବେ।

ସମ୍ବନ୍ଧିତ ଖବର