ବିଜେପିରେ ବିବାଦ : କେନ୍ଦ୍ରମନ୍ତ୍ରୀଙ୍କ ରାଜନଗର ଗସ୍ତ ବାତିଲ

ରାଜନଗର : ରାଜନଗର ବିଜେପିର ନେତୃତ୍ବ ବିବାଦ ଚରମ ପର୍ଯ୍ୟାୟରେ ପହଞ୍ଚିଛି। ରାଜ୍ୟ ମୁଖପାତ୍ର ଜ୍ଞାନଦେବ ବେଉରା ଓ ପୂର୍ବତନ ବିଧାୟକ ଅଲେଖ କୁମାର ଜେନାଙ୍କ ମଧ୍ୟରେ ନେତୃତ୍ବ ବିବାଦ ଯୋଗୁଁ ଦଳ ଭିତରେ ଗୁରୁତର ଗୋଷ୍ଠୀ କନ୍ଦଳ ସୃଷ୍ଟି ହୋଇଛି। ଦଳରେ ବିବାଦ ବଢୁଥିବାରୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗସ୍ତ କାର୍ଯ୍ୟକ୍ରମ ବାତିଲ ହୋଇଥିବା ଜଣାପଡିଛି। କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ବେଳେ ଦଳୀୟ କର୍ମୀ ବିରୋଧ କରିବାର ଆଶଙ୍କା ଥିବାରୁ କାର୍ଯ୍ୟକ୍ରମ ବାତିଲ ହୋଇଥିବା କୁହାଯାଉଛି।

ରାଜନଗର ବ୍ଲକର କେରଡାଗଡସ୍ଥିତ ଶ୍ରୀ ଜଗନ୍ନାଥ ନୋଡାଲ ଉଚ୍ଚ ବିଦ୍ୟାଳୟରେ ସୁବର୍ଣ୍ଣ ଜୟନ୍ତୀ କାର୍ଯ୍ୟକ୍ରମର ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ କେନ୍ଦ୍ର ପେଟ୍ରୋଲିୟମ, ତୈଳ ଓ ପ୍ରାକୃତିକବାଷ୍ପ ମନ୍ତ୍ରୀ ଶ୍ରୀ ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ନିମନ୍ତ୍ରଣ ପତ୍ର ମଧ୍ୟ ଛପାଯାଇ ବଣ୍ଟାଯାଇଛି। ଉତ୍ସବରେ ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ ଅଲେଖ କୁମାର ଜେନା, ରାଜ୍ୟ ମୁଖପାତ୍ର ଶ୍ରୀ ବେଉରା ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ମାତ୍ର ଶେଷ ମୁହୂର୍ତ୍ତରେ କେନ୍ଦ୍ରମନ୍ତ୍ରୀଙ୍କ ରାଜନଗର ଗସ୍ତ କାର୍ଯ୍ୟକ୍ରମ ବାତିଲ ହୋଇଥିବା ସୂଚନା ମିଳିଛି।

ରାଜନଗର ବିଜେପିର ନେତୃତ୍ବ ବିବାଦ ଓ ଗତମାସ ୧୬ ତାରିଖ ଦିନ ପଟ୍ଟାମୁଣ୍ତାଇରେ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ବାଗତ ସମୟରେ ଦୁଇଗୋଷ୍ଠୀ ମଧ୍ୟରେ ମୁଥ ମରାମରି ଘଟଣାର ପୁନରାବୃତ୍ତି ଆଶଙ୍କାରେ କାର୍ଯ୍ୟକ୍ରମ ବାତିଲ ହୋଇଥିବା କୁହାଯାଉଛି ବିଜେପିର ଜଣେ ନେତା ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି।

ସମ୍ବନ୍ଧିତ ଖବର