୨୧ରେ ନବନିର୍ମାଣ କୃଷକ ସଂଗଠନର ଓଡ଼ିଶା ବନ୍ଦ ଡାକରା

ଭୁବନେଶ୍ବର : ଚାଷୀଙ୍କୁ ପେନସନ୍ ଓ ଧାନଦର ଉପରେ ବୋନସ୍‌ ନ ଦେବା ପ୍ରତିବାଦରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଚଳିତମାସ ୨୧ତାରିଖରେ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦରେ ରାଜନୈତିକ ଦଳ, ବସ୍ ଓ ଟ୍ରକ୍ ମାଲିକ ସଂଘ, ବ୍ୟବସାୟୀ ଓ ସମ୍ବେଦନଶୀଳ ବ୍ୟକ୍ତି ସାମିଲ ହେବା ପାଇଁ ସଂଗଠନ ପକ୍ଷରୁ ଆହ୍ବାନ କରାଯାଇଛି।

ଆଜି ଉତ୍କଳ ସାମ୍ବାଦିକ ସଂଘରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର କହିଲେ, ଗଣତାନ୍ତ୍ରିକ ବ୍ୟବସ୍ଥାରେ ସମସ୍ତଙ୍କ ଆନ୍ଦୋଳନ କରିବାର ଅଧିକାର ରହିଥିବା ବେଳେ ଏହି ଅଧିକାରକୁ ରାଜ୍ୟ ପୁଲିସ ଛଡ଼ାଇ ନେଉଛି। ଗତବର୍ଷ ଓ ଚଳିତବର୍ଷ ଚାଷୀମାନେ ଭୁବେନଶ୍ବରରେ ଆନ୍ଦୋଳନ କରିବାକୁ ଚାହୁଁଥିବା ବେଳେ ପୁଲିସ ଏହାକୁ ଭଣ୍ଡୁର କରିଛି। ଏପରିକି ସଂଗଠନର କର୍ମକର୍ତାଙ୍କୁ ପୁଲିସ ଘରୁ ଉଠାଇ ନେଉଛି। ନବନିର୍ମାଣ କୃଷକ ସଂଗଠନ ଚାଷୀଙ୍କୁ ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ୍ ଦାବି ନେଇ ଦୀର୍ଘ ବର୍ଷ ହେବ ଆନ୍ଦୋଳନ କରି ଆସୁଛି। ଚାଷୀର ଧାନ ଦର ନିର୍ବାଚନ ଆଚରଣବିଧି ଲାଗୁ ହେବା ପୂର୍ବରୁ କ୍ବିଣ୍ଟାଲ ପିଛା ୧୯୩୦ ଟଙ୍କା, ପେନସନ୍ ପାଇଁ ଅର୍ଥ ବରାଦ ଓ ପୁଲିସର ବଳ ପ୍ରଯୋଗ ବିରୋଧରେ ଚାଷୀମାନେ ଏହି ବନ୍ଦ ଡାକରା ଦେଇଛନ୍ତି ବୋଲି ଶ୍ରୀ କୁମାର କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର