ଧର୍ମେନ୍ଦ୍ରଙ୍କ ଉପରେ ବର୍ଷିଲେ ସାଂସଦ ରାମଚନ୍ଦ୍ର ହାଁସଦା : ‘ଆଦିବାସୀ ବୋଲି ଟାର୍ଗେଟ କରାଯାଉଛି’

ବାରିପଦା : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାରିପଦା ଗସ୍ତର ଗୋଟିଏ ଦିନ ପରେ ଆଜି ବାରିପଦାରେ ସାମ୍ବାଦିକ ସମ୍ମିଳନୀ ଡାକି ବିଜେପି ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ବିଷୋଦ୍‌ଗାର କରିଛନ୍ତି ସାଂସଦ ଇଂ. ରାମଚନ୍ଦ୍ର ହାଁସଦା। ଗତକାଲି ବାରିପଦା କାର୍ଯ୍ୟକ୍ରମରେ ଧର୍ମେନ୍ଦ୍ର ତାଙ୍କୁ ଇଙ୍ଗିତ କରି ଦେଇଥିବା ଟିପ୍‌ପଣୀର ଦୃଢ଼ ଜବାବ୍‌ ଦେବା ସହ ଧର୍ମେନ୍ଦ୍ରଙ୍କ ବିରୋଧରେ ମାନହାନି ମାମଲା ରୁଜୁ କରିବେ ବୋଲି ଚେତାବନୀ ଦେଇଛନ୍ତି।

ଶନିବାର ମୋଦୀଙ୍କ ଜନସଭାରେ ସାଂସଦ ଶ୍ରୀ ହାଁସଦାଙ୍କ ନାଁ ନ ନେଇ ଜଣେ ଆଦିବାସୀ ସାଂସଦ ଚିଟ୍‌ଫଣ୍ଡ ଲୁଟେରା ବୋଲି ତାଚ୍ଛଲ୍ୟ କରିଥିଲେ ଧର୍ମେନ୍ଦ୍ର। ଆଦିବାସୀ ହୋଇ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜବାସୀଙ୍କୁ ଠକିଛନ୍ତି ବୋଲି ଅଭିଯୋଗ ଆଣିଥିଲେ। ଆଜି ଏହାର ଜବାବ୍‌ରେ ଶ୍ରୀ ହାଁସଦା କହିଛନ୍ତି ଯେ, ସେ ଜଣେ ଆଦିବାସୀ ନେତା ବୋଲି ତାଙ୍କୁ ଟାର୍ଗେଟ କରାଯାଉଛି। ତାଙ୍କ ନାଁରେ କେବଳ ଚିଟ୍‌ପଣ୍ଡ କାରବାରରେ ସମ୍ପୃକ୍ତି ନେଇ ଅଭିଯୋଗ ହୋଇଛି। ମାମଲା ଏବେ ବି ବିଚାରାଧୀନ ଅଛି, ପ୍ରମାଣ ହୋଇନି। ତେଣୁ ଏମିତି ମନ୍ତବ୍ୟ ଦେଇ ଧର୍ମେନ୍ଦ୍ର ଅଦାଲତଙ୍କ ଅବମାନନା କରିବା ସହ ତାଙ୍କର ମାନହାନି କରିଛନ୍ତି। ଜଣେ କେନ୍ଦ୍ରମନ୍ତ୍ରୀଙ୍କ ଏମିତି ମନ୍ତବ୍ୟ ଆଦୌ ଗ୍ରହଣୀୟ ନୁହେଁ। ଏହା ବିରୋଧରେ ସେ ଧ‌େର୍ମନ୍ଦ୍ରଙ୍କ ବିରୋଧରେ କୋର୍ଟରେ ମାନହାନି ମାମଲା କରିବେ ବୋଲି ଧମକ ଦେଇଛନ୍ତି। ଏଥିସହ ସିବିଆଇ ଜାଣିଶୁଣି ତାଙ୍କ ପଛରେ ପଡ଼ିଛି ଓ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ଏହି ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା କାର୍ଯ୍ୟ କରୁଥିବା ସେ ଅଭିଯୋଗ ଆଣିଛନ୍ତିି।

ସେହିପରି ଜିଲ୍ଲା ବିଜେଡି ରାଜନୀତିକୁ ନେଇ ମଧ୍ୟ ଚାଂଚଲ୍ୟକର ବୟାନ ଦେଇଛନ୍ତି ରାମଚନ୍ଦ୍ର। କହିଛନ୍ତି, ଉପକୂଳ ଓଡ଼ିଶାର ନେତାମାନଙ୍କ ପାଇଁ ଉପର ମହଲାରେ ଲବି କରିବାକୁ ବହୁତ ଲୋକ ଥିବା ବେଳେ ମୋ ପାଇଁ ‌େକହି ନାହିଁ। ‌ସେଥିପାଇଁ ଜେଲ୍‌ରୁ ଆସିବା ପରେ ବି ନିଲମ୍ବନ ପ୍ରତ୍ୟାହାର ହେଉନି କିମ୍ବା ଦଳୀୟ ନେତା ଯୋଗାଯୋଗ କରୁନାହାନ୍ତି। ତେବେ ଦଳରେ ନଥ‌ାଇ ମଧ୍ୟ ତାଙ୍କ ପସନ୍ଦର ପ୍ରାର୍ଥୀ ହିଁ ବିଜାତଳା ଉପନିର୍ବାଚନରେ ବିଜେଡି ପାଇଁ ପ୍ରତିଦ୍ବନ୍ଦ୍ବିତା କରିଥିବା ଓ ଜିତିଥିବା ସେ ଦାବି କରିଛନ୍ତି। ତାଙ୍କୁ ଡକାଯାଇ ନ ଥିଲେ ବି ତାଙ୍କ ସମର୍ଥିତ ପ୍ରାର୍ଥୀ ଜିତି ଥିବାରୁ ସେ ନିକଟରେ ବିଜୟୀ ପ୍ରାର୍ଥୀଙ୍କ ସହ ନବୀନ ନିବାସ ଯାଇଥିଲେ ବୋଲି କହିଛନ୍ତି। ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଦେଖା ହୋଇ ନଥିବା ସେ ସ୍ପଷ୍ଟ କରିଛନ୍ତି। ତେବେ ନିଜ ରାଜନୈତିକ ଭବିଷ୍ୟତ ନେଇ ଆଜିର ସାମ୍ବାଦିକ ସମ୍ମିଳନୀରେ କୌଣସି ସ୍ପଷ୍ଟ ସୂଚନା ଦେଇ ନାହାନ୍ତି।

ଅନ୍ୟପକ୍ଷରେ ଶ୍ରୀ ହାଁସଦା ଗଣମାଧ୍ୟମ ଆଗରେ ଉଠାଇଥିବା ଅଭିଯୋଗ ବିଭ୍ରାନ୍ତିକର ବୋଲି ବିଜେପି କହିଛି। ଧର୍ମେନ୍ଦ୍ର ବ୍ୟକ୍ତଗତ ଭାବେ କାହାକୁ ଆକ୍ଷେପ କରିନାହାନ୍ତି ବରଂ ସତକଥା ହିଁ କହିଥିଲେ। ଶ୍ରୀ ହାଁସଦାଙ୍କୁ ମୟୂରଭଞ୍ଜବାସୀ ସେମାନଙ୍କ ଦାବି ଉଠେଇବାକୁ ସଂସଦ ପଠାଇଥିବା ବେଳେ ସେ ଗତ ୪ ବର୍ଷ ଧରି କେଉଁଠି ଥିଲେ‌ ବୋଲି ହିଁ ଧର୍ମେନ୍ଦ୍ର ପ୍ରଶ୍ନ କରିଥିଲେ ବୋଲି ଦଳ ସଫେଇ ଦେଇଛି।

ସମ୍ବନ୍ଧିତ ଖବର