ଚିନ୍ତାରେ ପୁଲିସ ବିଭାଗ : ସଂପର୍କୀୟ ଲୁଟିଛନ୍ତି ୯୨% ନାବାଳିକାଙ୍କ ଇଜ୍ଜତ

କଟକ : ନାବାଳିକାମାନେ ଏବେ ଘର ଭିତରେ ସବୁଠୁ ଅସୁରକ୍ଷିତ। ପୁଲିସ ରେକର୍ଡ ଅନୁଯାୟୀ ଚଳିତ ବର୍ଷ ଏପ୍ରିଲ ମାସରେ ଯେତେ ସବୁ ମାମଲା ରୁଜୁ ହୋଇଛି, ସେଥିରୁ ୯୨.୫ ପ୍ରତିଶତ ନାବାଳିକାଙ୍କ ଇଜ୍ଜତ ନିଜ ସଂପର୍କୀୟ ମାନେ ହିଁ ଲୁଟିଛନ୍ତି। ଦୁଷ୍କର୍ମ ଭଳି ଏକ ସମ୍ବେଦନଶୀଳ ପ୍ରସଂଗକୁ ପୁଲିସ ବିଭାଗ ଗୁରୁତ୍ୱର ସହ ଗ୍ରହଣ କରୁଛି। ଏହି ଘଟଣାକୁ ରେଡ୍‌ ଫ୍ଲାଗ୍‌ ମାମଲା ଭାବେ ବିଚାର କରାଯାଉଛି। କୋର୍ଟରେ ମାମଲା ପରିଚାଳନା ପାଇଁ ସ୍ୱତନ୍ତ୍ର ପବ୍ଲିକ୍‌ ପ୍ରସିକ୍ୟୁଟର ଏବଂ ଶୁଣାଣି ସମୟରେ ତଥ୍ୟ ପ୍ରମାଣ, ପ୍ରତ୍ୟେକ୍ଷଦର୍ଶୀଙ୍କୁ କୋର୍ଟରେ ହାଜର କରିବାକୁ ଜଣେ ସ୍ୱତନ୍ତ୍ର ତଦନ୍ତକାରୀ ପୁଲିସ ଅଫିସର(ଆଇଓ)ଙ୍କୁ ନିଯୁକ୍ତ କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ସୂଚନା ଦେଇଛନ୍ତି ରାଜ୍ୟ ପୁଲିସ୍‌ ମହାନିର୍ଦ୍ଦେଶକ ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା।

ରାଜ୍ୟରେ ଦୁଷ୍କର୍ମ ଘଟଣା ସଂପର୍କରେ ସୂଚନା ଦେଇ ଡାକ୍ତର ଶର୍ମା କହିଛନ୍ତି ଯେ ୨୦୧୩ରୁ ୨୦୧୭ ମଧ୍ୟରେ ରହିଥିବା ରେକର୍ଡ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲା ଏକ ନମ୍ବର ସ୍ଥାନରେ ରହିିଛି। ପୂର୍ବରୁ ବାଲେଶ୍ୱର ଜିଲ୍ଲା ଏହି ରେକର୍ଡରେ ଦୁଇ ନମ୍ବର ସ୍ଥାନରେ ଥିବା ବେଳେ ୨୦୧୭ ବର୍ଷରେ ଭୁବନେଶ୍ୱର ବାଲେଶ୍ୱରକୁ ଟପି ଯାଇଛି। ରାଜ୍ୟର ୩୬ ପୁଲିସ ଜିଲ୍ଲା ଏବଂ ରାଜ୍ୟ କ୍ରାଇମ୍‌ବ୍ରାଞ୍ଚର ସିଆଇଡି ଥାନାକୁ ମିଶାଇ ମୋଟ ୩୭ଟି ସ୍ଥାନରେ ୨୦୧୩ ବର୍ଷରେ ରାଜ୍ୟରେ ୧୮୩୨ଟି, ୨୦୧୪ରେ ୨୦୧୧, ୨୦୧୫ରେ ୨୨୮୬, ୨୦୧୬ରେ ୨୧୪୪ ଏବଂ ୨୦୧୭ ବର୍ଷରେ ୨୨୨୧ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଛି। ୨୦୧୭ରେ ମୟୂରଭଞ୍ଜରେ ୧୬୨ଟି, ଭୁବନେଶ୍ୱରରେ ୧୨୫ଟି, କୋରାପୁଟରେ ୧୧୭ଟି, ବାଲେଶ୍ୱରରେ ୧୧୬ଟି ମାମଲା ରୁଜୁ ହୋଇଛି। ସର୍ବାଧିକ ଦୁଷ୍କର୍ମ ପ୍ରବଣ ତାଲିକାରେ ନାଁ ନଥିବା ଭୁବନେଶ୍ୱର ୨୦୧୭ ବର୍ଷରେ ଦ୍ୱିତୀୟ ସ୍ଥାନକୁ ଆସିବା ଉଦ୍‌ବେଗର କାରଣ ହୋଇଛି।

ଅନ୍ୟପଟେ ନାବାଳିକା ଓ ମହିଳାଙ୍କ ଅଶ୍ଳୀଳ ଭିଡ଼ିଓ ଭାଇରାଲ୍‌ ଘଟଣା ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିିଛି। କ୍ରାଇମ୍‌ବ୍ରାଞ୍ଚରେ ୨୦୧୪ରେ ଅଶ୍ଳୀଳ ଭିଡିଓ ଭାଇରାଲ୍‌ ଘଟଣାରେ ୧୦ଟି ମାମଲା ରୁଜୁ ହୋଇଥିଲା ବେଳେ ୭ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିଲା । ସେହିପରି ୨୦୧୫ରେ ୪୨ଟି ମାମଲା ରୁଜୁ ହୋଇଥିଲା ବେଳେ ୨୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ୨୦୧୬ ବର୍ଷରେ ୪୦ଟି ମାମଲା ରୁୁଜୁ କରାଯାଇଥିଲା । ଏଥିରେ ୩୨ ଜଣଙ୍କୁ ଗିରଫ କରାଯାଇଛି । ୨୦୧୭ରେ ମାମଲା ସଂଖ୍ୟା ବୃଦ୍ଧି ପାଇ ୧୮୪ରେ ପହଞ୍ଚି ଥିବା ବେଳେ ୬୦ରୁ ଅଧିକ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

ଡାକ୍ତର ଶର୍ମା ଦେଇଥିବା ସୂଚନା ଅନୁଯାୟୀ ଚଳିତ ବର୍ଷ ଯେଉଁ ମାମଲା ଗୁଡିକୁ ପୁଲିସ୍‌ ରେଡ୍‌ ଫ୍ଲାଗ୍‌ ମାନ୍ୟତା ଦେଇ ତଦନ୍ତ କରିଛି, ସେଥିରୁ ୭୯ ପ୍ରତିଶତ ମାମଲାରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଡିଜି ଡାକ୍ତର ଶର୍ମାଙ୍କ ସହିତ ଏଡିଜି ସନ୍ତୋଷ ଉପାଧ୍ୟାୟ, ଆଇଜି ଅମିତାଭ ଠାକୁର, ଅସିତ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର