ରୁସା-୨ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ଓଡ଼ିଶାରେ ୬ ମଡେଲ୍‌ କଲେଜର ଶିଳାନ୍ୟାସ, ଉତ୍କଳରେ ହେବ ଉଦ୍ୟୋଗୀ, ଅନୁସନ୍ଧାନ ଓ କ୍ୟାରିଅର୍‌ ହବ୍‌, ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିଲେ ଛାତ୍ରୀ ଅଙ୍କିତା

ଭୁବନେଶ୍ବର : ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ(ରୁସା)-୨ ଅଧୀନରେ ସାରା ଦେଶରେ ୩୩୦୦ କୋଟି ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋ଼ଦି। ଶ୍ରୀନଗରରୁ ଅନ୍‌ଲାଇନ୍‌(ଡିଜିଟାଲ୍)ରେ ୭୦ଟି ମଡେଲ କଲେଜ, ୧୧ଟି ପ୍ରଫେସନାଲ କଲେଜ, ୬୬ଟି ଉଦ୍ୟୋଗୀ, ଅନୁସନ୍ଧାନ ଓ କ୍ୟାରିଅର୍‌ ହବ୍‌, ଗୋଟିଏ ମହିଳା ବିଶ୍ବବିଦ୍ୟାଳୟର ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ଓଡ଼ିଶାର କଳାହାଣ୍ଡି, କୋରାପୁଟ, ବଲାଙ୍ଗୀର, ଗଜପତି, କନ୍ଧମାଳ, ଢ଼େଙ୍କାନାଳ ମଡେଲ କଲେଜ ଓ ଉତ୍କଳ ବିଶ୍ବବିଦ୍ୟାଳୟରେ ଉଦ୍ୟୋଗୀ, ଅନୁସନ୍ଧାନ ଓ କ୍ୟାରିଅର୍‌ ହବ୍‌ର ଶିଳାନ୍ୟାସ ହୋଇଛି।

ଓଡ଼ିଶାରେ ହୋଇଥିବା କାର୍ଯ୍ୟକ୍ରମର ସିଧାପ୍ରସାରଣ ଆଜି ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ଅନୁଷ୍ଠିତ ହୋଇଥିଲା। ଅନ୍‌ଲାଇନ୍‌ର ସିଧାପ୍ରସାରଣକୁ ଛାତ୍ରଛାତ୍ରୀ ଦେଖିବା ସହ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିଥିଲେ। ବିଶ୍ବବିଦ୍ୟାଳୟର ଅର୍ଥନୀତି ବିଭାଗ ଛାତ୍ରୀ ଅଙ୍କିତା କୁଣ୍ଡୁ ପର୍ଯ୍ୟଟନ ସହ କିଭଳି ଶିକ୍ଷାକୁ ଯୋଡ଼ା ଯାଇପାରିବ, ସେନେଇ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିଥିଲେ। ଉତ୍ତରରେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ, ଓଡ଼ିଶା ପ୍ରାଚୀନ ଐତିହ୍ୟରେ ଭରି ରହିଛି। କୋଣାର୍କ ପରି ଐତିହ୍ୟ କୀର୍ତ୍ତିରାଜି ଆକର୍ଷଣ ସାଜିଛି। ଦେଶର ଅର୍ଥନୀତିକୁ ବୃଦ୍ଧି କରିବାରେ ପର୍ଯ୍ୟଟନସ୍ଥଳର ପ୍ରମୁଖ ଭୂମିକା ରହିଛି। ଓଡ଼ିଶାରେ କୋଣାର୍କଠାରୁ ଆରମ୍ଭ କରି ବିଭିନ୍ନ ପର୍ଯ୍ୟଟନସ୍ଥଳୀ ରହିଛି। ବିକାଶର ସୁଯୋଗ ବି ଅଛି। ରାଜ୍ୟ ସରକାର ଏ ଦିଗରେ ପଦକ୍ଷେପ ନେଉନାହାନ୍ତି। ଏଥିପାଇଁ ଓଡ଼ିଶା ଗରିବ ହୋଇ ରହିଛି। ପ୍ରଥମେ ଆମେ ଆମ ସଂସ୍କୃତି ଓ ପର୍ଯ୍ୟଟନସ୍ଥଳକୁ ନେଇ ଗର୍ବ କରିବା ଆବଶ୍ୟକ। ତା’ ପରେ ଅନ୍ୟମାନେ ଆମ ପର୍ଯ୍ୟଟନସ୍ଥଳୀକୁ ଆସିବାକୁ ମନ ବଳାଇବେ ବୋଲି କହିଥିଲେ। ଅଙ୍କିତା‌ଙ୍କ ସମେତ ତେଲେଙ୍ଗାନା, ହରିୟାନା, ଆସାମ ଓ ଗୁଜୁରାଟର ଛାତ୍ରଛାତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିଥିଲେ।

ଉତ୍କଳ ବିଶ୍ବବିଦ୍ୟାଳୟରେ ଅନୁଷ୍ଠିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ପରେ ମନ୍ତ୍ରୀ ଶ୍ରୀ ଦାସ କହିଥିଲେ ଯେ ଏହି କାର୍ଯ୍ୟକ୍ରମ ରାଜନୈତିକ କାର୍ଯ୍ୟକ୍ରମ ଭଳି ଲାଗିଲା। ଛାତ୍ରଛାତ୍ରୀଙ୍କ ପ୍ରଶ୍ନ ଓ ଉଚ୍ଚଶିକ୍ଷା ଅପେକ୍ଷା କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ ଅଧିକ ଉପସ୍ଥାପିତ କରାଗଲା। ଯଦି ପର୍ଯ୍ୟଟନ ବିକାଶ କଥା କହୁଛନ୍ତି, ସ୍ବତନ୍ତ୍ର ପ୍ୟାକେଜ୍‌ ଘୋଷଣା କଲେ ଭଲ ହୁଅନ୍ତା ବୋଲି ସେ କହିଥିଲେ। କାର୍ଯ୍ୟକ୍ରମରେ ଉତ୍ତର ଭୁବନେଶ୍ବର ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଉଚ୍ଚଶିକ୍ଷା ସଚିବ ବିଷ୍ଣୁପଦ ସେଠୀ, ଅତିରିକ୍ତ ସଚିବ ପାର୍ଥସାରଥୀ ମିଶ୍ର, ଓଡ଼ିଶା ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ଦାସ, ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ, କଲେଜ ଉନ୍ନୟନ ପରିଷ଼ଦର ନିର୍ଦ୍ଦେଶକ ପ୍ରଫେସର ସନ୍ତୋଷ କୁମାର ତ୍ରିପ‌ାଠୀ ପ୍ରମୁଖ ଯୋଗ ଦେଇଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ରୁସା-୨‌ରେ ଉତ୍କଳ ବିଶ୍ବବିଦ୍ୟାଳୟକୁ ଶହେ କୋଟି ଟଙ୍କାର ଅନୁଦାନ ମିଳିବ। ଏହି ଅର୍ଥରେ କ୍ୟାମ୍ପସରେ ୯ଟି‌ ସେଣ୍ଟର ଫର୍‌ ଏକ୍ସଲେନ୍ସ, ଗୋଟିଏ ଇନ୍‌କ୍ୟୁଭେସନ ସେଣ୍ଟର, ଛାତ୍ରଛାତ୍ରୀଙ୍କ ପାଇଁ ସ୍କିଲ୍‌ ଟ୍ରେନିଂ ସହ ଶିଳ୍ପ ସଂସ୍ଥା-ଶିକ୍ଷାନୁଷ୍ଠାନ ମଧ୍ୟରେ ସମ୍ପର୍କ ବୃତ୍ତି, ଇଣ୍ଟରନ୍ୟାସନାଲ ସେଣ୍ଟର ପ୍ରତିଷ୍ଠା, ବାହାର ଦେଶର ଶିକ୍ଷାନୁଷ୍ଠାନ ସହ ରାଜିନାମା କରିବାକୁ ଯୋଜନା ହୋଇଛି। ଉଦ୍ୟୋଗୀ, ଅନୁସନ୍ଧାନ ଓ କ୍ୟାରିଅର୍‌ ହବ୍‌ ପ୍ରତିଷ୍ଠା ପାଇଁ ୧୫କୋଟି ଖର୍ଚ୍ଚ କରାଯିବ।

ସମ୍ବନ୍ଧିତ ଖବର