ରଥ ଖଳା ହାଲଚାଲ : ସରିଲା ଛନ୍ଦା ଗୟଳ କାମ

ପୁରୀ : ରଥଖଳାରେ ରଥ ନିର୍ମାଣ କାର୍ଯ୍ୟକୁ ଆଜି ୫୭ ଦିନ ପୂରିଛି। ଆଜିର ଦିନରେ ତିନି ରଥର ବିଶ୍ୱକର୍ମାଙ୍କ ନେତୃତ୍ଵରେ ମହାରଣା ସେବକମାନେ ଛନ୍ଦା ଗୟଳ କାମ ଶେଷ କରିଛନ୍ତି। ଦର୍ପଦଳନ ରଥର ୮ଟି, ନନ୍ଦିଘୋଷ ରଥ ଓ ତାଳଧ୍ୱଜ ରଥର ୧୨ଟି ଲେଖା ଛନ୍ଦା ଗୟଳ ଆବଶ୍ୟକ। ତିନି ରଥରେ ଆଜି ସମସ୍ତ ଛନ୍ଦା ଗୟଳ ସଂଯୋଗ କାମ ଶେଷ ହୋଇଛି। ଛନ୍ଦା ଗୟଳ ସଂଯୋଗ କାମ ଶେଷ ପରେ ଆଜିଠାରୁ ଯୋକା ସଂଯୋଗ କାମ ଆରମ୍ଭ ହୋଇଛି। ଆଜିଠାରୁ ତିନି ରଥରେ ଯୋକା ଚିପା କାମ ଶେଷ ପରେ ବାଡ଼ିଆ କାମ ଆରମ୍ଭ ହୋଇଛି। ମହାରଣା ସେବକଙ୍କ ସହ ଭୋଇ ସେବକମାନେ ଏହି କାମକୁ ଆଗେଇ ନେଇଛନ୍ତି। ଆସନ୍ତାକାଲି ଯୋକା କଣ୍ଟାବାଡ଼ିଆ ଶେଷ ହେବ। ସେପଟେ ଢ଼ମକ କାମ ବି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଯୋକ କାମ ସରିବା ପରେ ଆସନ୍ତାକାଲି ଭୂଇଁ କାମ ଆରମ୍ଭ କରିବାକୁ ମହାରଣା ସେବକମାନେ ଲକ୍ଷ୍ୟ ରଖିଛନ୍ତି। ଭୂଇଁ କାମ ଶେଷ ପରେ ଚଉଦ ନାହାକା କାମ ଆରମ୍ଭ ହେବ। ସେପଟେ ସେଣୀ କାମ ବି ଆଗେଇ ଚାଲିଛି। ରୂପକାର ସେବକମାନେ ନାଟଗୁଡ଼ୁ ଓ ସିଂହାସନ କାମକୁ ଆଗେଇ ନେଇଛନ୍ତି। ଦୋଳବେଦି କମାରଶାଳରେ ବିଭିନ୍ନ କଣ୍ଟା କାମ ବି ଆଗେଇ ଚାଲିଛି।

ସମ୍ବନ୍ଧିତ ଖବର