ରତ୍ନଭଣ୍ଡାର କାନ୍ଥରେ ଫାଟ, ବାହାରୁ ହେଲା ଭିତର ଭଣ୍ଡାର ଯାଞ୍ଚ

ପ୍ରାଥମିକ ଯାଞ୍ଚ ରିପୋର୍ଟ ଆସନ୍ତାକାଲି ହାଇକୋର୍ଟରେ ଦାଖଲ କରାଯିବ

ପୁରୀ/ଭୁବନେଶ୍ୱର: ଶ୍ରୀଜଗନ୍ନାଥଙ୍କର ରତ୍ନଭଣ୍ଡାରର କାନ୍ଥରେ ଫାଟ ରହିଛି। ଏଥି ସହ କାନ୍ଥ ଓଦା ଥିବା ମଧ୍ୟ ଦେଖାଯାଇଛି। ଯାଞ୍ଚାକରୀ ଦଳ ଶ୍ରୀଜଗନ୍ନାଥଙ୍କର ରତ୍ନଭଣ୍ଡାରର ଅନୁଧ୍ୟାନ ଶେଷ କରିବା ପରେ ଏହି ତଥ୍ୟ ସାମ୍ନାକୁ ଆସିଛି। ତିନିଟି ଭଣ୍ଡାର ଘରକୁ ନେଇ ଗଠିତ ଶ୍ରୀମନ୍ଦିରର ରତ୍ନଭଣ୍ଡାରର ବାହାର ଦୁଇଟି ଘରକୁ ପ୍ରତିନିଧି ଦଳ ଯାଞ୍ଚ କରିବାକ ସକ୍ଷମ ହୋଇଥିଲେ। ବାହାର ଭଣ୍ଡାର ଘରୁ ତୃତୀୟ ଭଣ୍ଡାର ଘର ଭିତର ପାର୍ଶ୍ୱ ଦୃଶ୍ୟମାନ ହେଉଥିବାରୁ ସର୍ଚ୍ଚ ଲାଇଟ୍‌ ଯୋଗେ ଏହା ଯାଞ୍ଚ କରାଯାଇଛି। ଯାଞ୍ଚ ପରେ ପ୍ରତିନିଧି ଦଳଙ୍କ ପକ୍ଷରୁ ପ୍ରାଥମିକ ରିପୋର୍ଟ ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରାଯାଇଛି। ପରବର୍ତ୍ତୀ ସମୟରେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଏ ନେଇ ବିସ୍ତତ ରିପୋର୍ଟ ପ୍ରଦାନ କରାଯିବ।

ପ୍ରାପ୍ତ ସୂଚନା ଅନୁସାରେ ରତ୍ନଭଣ୍ଡାର ପରିସ୍ଥିତି ଅନୁଧ୍ୟାନ ଲାଗି ମୂଳତଃ ୧୭ ଜଣିଆ ଯାଞ୍ଚ ଦଳ ଗଠନ କରାଯାଇଥିଲେ ହେଁ, ପ୍ରକୃତପକ୍ଷେ ୧୫ ଜଣ ରତ୍ନଭଣ୍ଡାର ଭିତରକୁ ଯାଞ୍ଚ ଲାଗି ପ୍ରବେଶ କରିଥିଲେ। ପୁରୀ ଏସ୍‌.ପି ଡ. ସାର୍ଥକ ଷଡ଼ଙ୍ଗୀ ଗାମୁଚ୍ଛା ପିନ୍ଧି ନଥିବାରୁ ଭିତରକୁ ପ୍ରବେଶ କରିପାରି ନଥିଲେ। ଅନ୍ୟପକ୍ଷରେ ଏଏସ୍‌ଆଇର ଜଣେ ଇଞ୍ଜିନିୟର ମଧ୍ୟ ଭଣ୍ଡାର ଭିତରକୁ ଯାଇ ନଥିବା ଜଣାପଡ଼ିଛି। ଯାଞ୍ଚ ପ୍ରକ୍ରିୟା ଶେଷ ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନା କହିଛନ୍ତି ଯେ, ନିୟମ ଅନୁସାରେ ରତ୍ନଭଣ୍ଡାର ଯାଞ୍ଚ କାର୍ଯ୍ୟ ଶେଷ ହୋଇଛି। ଏଏସ୍‌ଆଇର ଇଞ୍ଜିନିୟରମାନେ ୨ଟି ଭଣ୍ଡାର ଗୃହକୁ ଯାଞ୍ଚ କରିବା ପରେ ସେଠାରୁ ଭିତର ଭଣ୍ଡାର ଘର ଯାଞ୍ଚ କରିଥିଲେ। ଭିତର ଭଣ୍ଡାର ଘର ସ୍ପଷ୍ଟ ଦେଖା ଯାଉଥିବାରୁ ତାହା ଭିତରକୁ ପ୍ରବେଶ କରିବାର ଆବଶ୍ୟକତା ଅନୁଭବ କରାଯାଇ ନଥିଲା। ଇଞ୍ଜିନିୟରମାନେ ଶକ୍ତିଶାଳୀ ସର୍ଚ୍ଚ ଲାଇଟ ଯୋଗେ ଭିତର ଭଣ୍ଡାରର କାନ୍ଥ, ଛାତ ଓ ଚଟାଣର ଅନୁଧ୍ୟାନ କରିଥିଲେ।

ଅନ୍ୟପକ୍ଷରେ ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ଵାଲ ରତ୍ନଭଣ୍ଡାର କାନ୍ଥରେ ଫାଟ ଥିବା କଥାକୁ ସ୍ପଷ୍ଟ କରିଛନ୍ତି। ବାହାର ଭଣ୍ଡାର ଘରର ଦୁର୍ବଳ ପ୍ରଭାବିତ ଅଂଶର ଭିଡିଓଗ୍ରାଫି କରାଯାଇଥିବା କଥା ମଧ୍ୟ ଜଣାପଡ଼ିଛି ବୋଲି ସେ କହିଛନ୍ତି।

ଆଜି ଅପରାହ୍ନରେ ବେହରଣ ଦ୍ୱାରରେ ତନଖି ପରେ ୧୫ ଜଣ ଯାଞ୍ଚକାରୀ ରତ୍ନଭଣ୍ଡାରକୁ ପ୍ରବେଶ କରିଥିଲେ। ବାହାର ଭଣ୍ଡାର ଘରର ଚଟାଣ, ଧୂଳି ପୂର୍ଣ୍ଣ ହୋଇଥିବା ବେଳେ ଛାତରେ ଅଳନ୍ଧୁ ଜମି ଯାଇଥିଲା। ଫଳରେ ଯାଞ୍ଚକାରୀମାନଙ୍କୁ ଝାଡୁଦ୍ୱାରା ଏସବୁ ସଫା କରିବା ଲାଗି ପଡ଼ିଥିଲା। ସଫେଇ ପରେ ସେମାନେ ଚଟାଣ କାନ୍ଥ ଓ ଛାତର ଅନୁଧ୍ୟାନ କରିଥିଲେ। ଏହି ସମୟରେ ଯାଞ୍ଚ ଦଳର କୋର କମିଟି ସଦସ୍ୟ ବି.ସି. ମିତ୍ର ଝୁଣ୍ଟି ପଡ଼ି ଆହତ ହୋଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର