ପଦ୍ମ ଧରିବାକୁ ସଜବାଜ: ଦଳ ଛାଡ଼ିଲେ ବିଜେଡି, କଂଗ୍ରେସ କର୍ମୀ

ବରଗଡ଼: ବିଜେପୁର ଗଡ଼ ଦଖଲ ପାଇଁ ସବୁ ଦଳ ରଣନୀତି ସଜାଡ଼ିବାରେ ବ୍ୟସ୍ତ। ଏଭଳି ସରଗରମ ପରିବେଶ ମଧ୍ୟରେ ଦଳଡିଆଁ ପ୍ରକ୍ରିୟା ପ୍ରାକ୍‌ ନିର୍ବାଚନୀ ମାହୋଲକୁ ଆହୁରି ଗରମ କରି ଦେଇଛି। ଦିନକୁ ଦିନ ଇସ୍ତଫା ପତ୍ରର ତାଲିକା ବଢ଼ି ଚାଲିଛି। ମଂଗଳବାର ଗାଇସିଲାଟ୍‌ ବ୍ଲକର ବିଜେଡି ଏବଂ କଂଗ୍ରେସ ନେତା ତଥା କର୍ମୀମାନେ ଇସ୍ତଫା ଦେଇ ବିଜେପିରେ ସାମିଲ ହେବାକୁ ସଂକେତ ଦେଇଛନ୍ତି। ବିଜେଡିରୁ ଗାଇସିଲାଟ୍‌ର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଶୋକ ସାହୁ, ଚିକିଲିର ପୂର୍ବ ସରପଞ୍ଚ ରୀନା ଡନ୍‌ସେନା, ଚୂଡ଼ାମଣି, ସାହୁ, ପ୍ରତାପ ସାହୁ, ପୂର୍ବତନ ସମିତି ସଭ୍ୟା ନୀଲାବତୀ ପଧାନ, ପ୍ରକାଶ ବରିହା, ନୃପରାଜ ସାହୁ, ଦିଲିପ ସାହୁ, ଜୟକୃଷ୍ଣ ସାହୁ, ପୂର୍ଣ୍ଣଚନ୍ଦ୍ର ବେହେରା, ଉପେନ୍ଦ୍ର ମିଶ୍ର, ଛିନୁ ଗୁରୁ, ସୁରେଶ ଡନ୍‌ସେନା, ଅମିନ ପଧାନଙ୍କ ସମେତ କଂଗ୍ରେସର ବହିଦାର ବିଶ୍ୱାଳ, ଯଦୁମଣି ସାହୁ, ମଂଗଳ ଭୁଏ, ଗୁମୁଡ଼ୁ ନାୟକ ପ୍ରମୁଖ ନିଜନିଜ ଇସ୍ତଫା ପତ୍ର ଦଳୀୟ ଜିଲ୍ଲା ସଭାପତି ଏବଂ ରାଜ୍ୟ ନେତୃମଣ୍ଡଳିକୁ ପଠାଇଛନ୍ତି। ଏମାନେ ବିଜେପିରେ ମିଶିବା କେବଳ ଔପଚାରିକତା ରହିଛି। ବର୍ତମାନ ବିଜେପି ନେତୃମଣ୍ଡଳି ଏନେଇ ସ୍ପଷ୍ଟ ଭାବେ କିଛି କହୁନାହାନ୍ତି। ହେଲେ ନିକଟ ଭବିଷ୍ୟତରେ ଗାଇସିଲାଟ୍‌ରେ ଏକ ବଡ଼ଧରଣର ମିଶ୍ରଣ ପର୍ବ ଆୟୋଜନ କରି ବିଜେପି ନିଜ ଶକ୍ତି ପ୍ରଦର୍ଶନ କରିବ ବୋଲି ସୂଚନା ମିଳିଛି। ଉପନିର୍ବାଚନ ତାରିଖ ଘୋଷଣା ହେବା କ୍ଷଣି ଏହି ମିଶ୍ରଣ ପର୍ବ ଆୟୋଜନ ହେବ ବୋଲି କୁହାଯାଉଛି।

ଟାର୍ଗେଟ୍‌ରେ ନାରାୟଣ! (ବକ୍ସରେ)

ବରଗଡ଼: ଜିଲ୍ଲା ସଭାପତି ପଦ ଛାଡ଼ି ବିଜେଡିକୁ ଲମ୍ଫ ଦେଇଥିବା ନାରାୟଣ ସାହୁ ଏବେ ଟାର୍ଗେଟରେ ଥିବା ବିଜେପି ନେତାଙ୍କ ହାବଭାବରୁ ଜଣାପଡ଼ୁଛି। ନାରାୟଣଙ୍କୁ ତାଙ୍କରି ଗଡ଼ରେ ମାତ୍‌ ଦେବାକୁ ବିଜେପି ରଣନୀତି ପ୍ରସ୍ତୁତ କରୁଥିବା କୁହାଯାଉଛି। ଗାଇସିଲାଟ୍‌ର ମୂଳବାସିନ୍ଦା ନାରାୟଣଙ୍କୁ ତାଙ୍କରି ଇଲାକାର ପ୍ରଚାର ଦାୟିତ୍ୱ ବିଜେଡି ଅଘୋଷିତ ଭାବେ ଦେଇ ସାରିଛି। ତ୍ରୁଣମୂଳ ରାଜନୀତି ଖେଳିଥିବା ନାରାୟଣ ମୁଖ୍ୟତଃ ଗାଇସିଲାଟ୍‌ ଉପରେ ଫୋକସ୍‌ କରିଛନ୍ତି। ଯଦି ଗାଇସିଲାଟ୍‌ ବ୍ଲକ ଉପାଧ୍ୟକ୍ଷ ପ୍ରଣୟ ସାହୁଙ୍କୁ କଂଗ୍ରେସ ଟିକେଟ ଦିଏ, ତେବେ ତାଙ୍କୁ ରୋକିବା ପାଇଁ ବିଜେଡି ନାରାୟଣଙ୍କ ଉପରେ ହିଁ ଭରସା କରିବ। ଏବେ ଗାଇସିଲାଟ୍‌ରୁ ଡଜନେରୁ ଅଧିକ କର୍ମୀ ଇସ୍ତଫା ଦେବା ବିଜେଡି ପାଇଁ ଚିନ୍ତା ଏବଂ ବିଜେପିକୁ ଉତ୍ସାହ ଆଣି ଦେଇଛି। ନାରାୟଣଙ୍କ ସାଂଗଠନିକ ଦୁର୍ଗକୁ ବିଜେପି ଭାଂଗିବାକୁ ପ୍ରୟାସ ଚଳାଇଛି ବୋଲି ସମୀକ୍ଷକମାନେ କହୁଛନ୍ତି।

ସମ୍ବନ୍ଧିତ ଖବର