ଚିନ୍ତା ବଢ଼ାଇଲାଣି ସଡ଼କ ଦୁର୍ଘଟଣା : ଜାତୀୟ ହାରଠାରୁ ଓଡ଼ିଶା ଆଗରେ

ଅକ୍ଟୋବର ସୁଦ୍ଧା ୪୨୭୦ ଦୁର୍ଘଟଣା

ଭୁବନେଶ୍ୱର : ରାଜ୍ୟରେ ବଢ଼ୁଛି ସଡ଼କ ଦୁର୍ଘଟଣା। ୨୦୧୭ରେ ଦେଶରେ ଦୁର୍ଘଟଣାରେ ୧.୪୮ଲକ୍ଷ ଲୋକ ପ୍ରାଣ ହରାଇଥିବା ବେଳେ ଓଡ଼ିଶାରେ ଏହି ସଂଖ୍ୟା ୪ ହଜାର ୮୦୦ ରହିଥିଲା। ୫ ହଜାର ଲୋକ ଗୁରୁତର ଆହତ ହୋଇଥିଲେ। ଗତ ଦଶନ୍ଧି ମଧ୍ୟରେ ବିଭିନ୍ନ ଦୁର୍ଘଟଣାରେ ରାଜ୍ୟରେ ୩୦ ହଜାର ‌ଲୋକଙ୍କ ପ୍ରାଣହାନି ଘଟିଛି। ଦେଶରେ ପ୍ରତି ୧୦୦ଟି ଦୁର୍ଘଟଣାରେ ୨୯ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଓଡ଼ିଶାରେ ୪୪ ଜଣ ମରୁଛନ୍ତି। ଦେଶ ତୁଳନାରେ ରାଜ୍ୟରେ ଦୁର୍ଘଟଣା ହାର ବଢ଼ିଥିବାରୁ ଏବେ ଚିନ୍ତା ପ୍ରକଟ କରାଯାଇଛି। ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ନୃସିଂହ ଚରଣ ସାହୁ ଏନେଇ ସମୀକ୍ଷା କରିବା ସହ ଅସନ୍ତୋଷ ପ୍ରକାଶ କରିଛନ୍ତି।

୨୦୧୪ରେ ଗଠିତ ରାଧାକ୍ରିଷ୍ଣନ୍‌ କମିଟି ନିୟମିତ ଭାବେ ଦୁର୍ଘଟଣା ହାର ହ୍ରାସ କରିବା ଦିଗରେ ବିଭିନ୍ନ ସୂତ୍ରରୁ ସମୀକ୍ଷା କରିବା ସହ ଏହାର ନିରାକରଣ ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି। ୨୦୨୦ ସୁଦ୍ଧା ଦୁର୍ଘଟଣା ହାର ୫୦ପ୍ରତିଶତ ହ୍ରାସ କରିବା ପାଇଁ କମିଟି ଗୁରୁତ୍ୱାରୋପ କରିଥିବା ବେଳେ ରାଜ୍ୟରେ ଏହାର ବିପରୀତ ଚିତ୍ର ଦେଖିବାକୁ ମିଳିଛି। ୨୦୧୫ ତୁଳନାରେ ୨୦୧୬ ଓ ୨୦୧୭ ମସିହାରେ ଦୁର୍ଘଟଣା ହାର ୭.୩୩% ବୃଦ୍ଧି ହୋଇଛି। ୨୦୧୮ ଅକ୍ଟୋବର ସୁଦ୍ଧା ରାଜ୍ୟରେ ୪୨୭୦ଟି ଦୁର୍ଘଟଣା ଘଟିଛି। ୨୦୧୭ ତୁଳନାରେ ୮.୪୩% ପ୍ରତିଶତ ବଢ଼ିଛି। ଦୁର୍ଘଟଣା ହାର ପ୍ରତିବର୍ଷ ୧୦% ହ୍ରାସ କରିବାକୁ ସୁପ୍ରିମ୍‌କୋର୍ଟଙ୍କ କଡ଼ା ନିର୍ଦ୍ଦେଶ ଦେବା ପରେ ବି କୌଣସି ସୁଧାର ଆସି ନଥିବା ସମୀକ୍ଷା ବୈଠକରୁ ଜଣାପଡ଼ିଛି।

ରାଜ୍ୟରେ ଦୁର୍ଘଟଣା ହାର ସ୍ଥିତି ସଂପର୍କରେ ଜୁଲାଇ ୧୦ରେ ମୁଖ୍ୟ ଶାସନ ସଚିବ ଓ ଏଥିସହ ଜଡ଼ିତ ଅନ୍ୟ ବିଭାଗର ଉଚ୍ଚପଦସ୍ଥ ଅଧିକାରୀଙ୍କୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ବାରା ଗଠିତ କମିଟି ସମୀକ୍ଷା କରିଥିଲେ। ଓଡ଼ିଶାର ସ୍ଥିତିକୁ ନେଇ କମିଟି ଅସନ୍ତୋଷ ବ୍ୟକ୍ତ କରିବା ସହ ୨୦୧୮ ଡିସେମ୍ବର ୩୧ ସୁଦ୍ଧା କିଭଳି ଦୁର୍ଘଟଣା ହାର ହ୍ରାସ କରାଯାଇପାରିବ ମତାମତ ଦେବାକୁ କହିଥିଲେ। ତାହାକୁ ଦୃଷ୍ଟିରେ ରଖି ଖୋର୍ଦ୍ଧାରୁ ଚଣ୍ଡିଖୋଲ ମଧ୍ୟରେ ଯାନବାହନ ଚଳାଚଳକୁ ନିୟନ୍ତ୍ରଣ କରିବା, ନିୟମିତ ତଦାରଖ ସହ ସିସିଟିଭି ସ‌ର୍ଭେଲାନ୍ସ ବ୍ୟବସ୍ଥା ପାଇଁ ନିଷ୍ପତ୍ତି ହୋଇଥିଲା। ଏବେ ରାମେଶ୍ୱରଠାରୁ ଚଣ୍ଡିଖୋଲ ମଧ୍ୟରେ ୨୪ଟି କ୍ୟାମେରା ଲଗାଯିବାର ବ୍ୟବସ୍ଥା ହୋଇଛି। ସଚେତନ କରିବା ପାଇଁ ପ୍ରତି ଆଞ୍ଚଳିକ ପରିବହନ ଅଧକାରୀଙ୍କ ଅଧୀନରେ ଷ୍ଟୁଡେଣ୍ଟ ଟ୍ରାଫିକ୍‌ ଭଲ୍ୟୁଣ୍ଟର ନିୟୋଜିତ ହେବେ।

ଦୁର୍ଘଟଣା ପ୍ରବଣ ସ୍ଥାନରେ ସୂଚିତ କରିବା ସହ ସିଟିଜେନ୍‌ ରି‌ପୋର୍ଟିଂ ବ୍ୟବସ୍ଥା ଲାଗୁ କରିବାକୁ ପ୍ରସ୍ତାବ ଦିଆଯାଇଛି। ଫଳରେ ଯାନବାହନ ଚଳାଚଳରେ ବ୍ୟତିକ୍ରମ ଦେଖିଲେ ଲୋକେ ତୁରନ୍ତ ପୁଲିସ କର୍ତ୍ତୃପକ୍ଷଙ୍କୁ ଏକ ନିର୍ଦ୍ଦିଷ୍ଟ ସାର୍ବଜନୀନ ଫୋନ୍‌ ନମ୍ବରରେ ସୂଚନା ଦେଇପାରିବେ। ସମସ୍ତ ଜିଲ୍ଲା ଓ ସବ୍‌ଡିଭିଜନ୍‌ରେ ଇଲେକ୍‌ଟ୍ରୋନିକ୍‌ ଟ୍ରାଫିକ୍‌ ସିଗ୍‌ନାଲ୍‌ ବ୍ୟବସ୍ଥା ଲାଗୁ ସହ ପୁରୀ, ଅନୁଗୁଳ, ଖୋର୍ଦ୍ଧା, କେନ୍ଦୁଝର, କୋରାପୁଟ, ବାଲେଶ୍ୱର, ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା ଓ କମିସନରେଟ୍‌ ପୁଲିସରେ ଷ୍ଟୁଡେଣ୍ଟ ଟ୍ରାଫିକ୍‌ ଭଲ୍ୟୁଣ୍ଟାରି ସ୍କଲାରସିପ୍‌ ବ୍ୟବସ୍ଥା ଆରମ୍ଭ ଉପରେ ଗୁରୁତ୍ୱାରୋପ କରାଯାଇଥିଲା।

ଏଥିସହ ଆଗକୁ ଦୁର୍ଘଟଣାପ୍ରବଣ ଜିଲ୍ଲା ଚିହ୍ନଟ ହେବା ସହ ଏହାର କାରଣ, କ’ଣ ପଦକ୍ଷେପ ନେଲେ ଦୁର୍ଘଟଣା ହାର ହ୍ରାସ କରାଯାଇପାରିବ, ତାହା ଉପରେ ଗୁରୁତ୍ବ ଦିଆଯିବ। ବୈଠକରେ କୃଷି ଉତ୍ପାଦନ କମିସନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଗଗନ କୁମାର ଧଳ, ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଜି. ଶ୍ରୀନିବାସ୍‌, ଓଏସ୍‌ଆର୍‌ଟିସିର ଅଧ୍ୟକ୍ଷ କେ.ବି. ସିଂହ, ପରିବହନ କମିସନର ସଞ୍ଜୀବ ପଣ୍ଡା, କ୍ରାଇମ୍‌ବ୍ରାଞ୍ଚ ଏଡିଜି ସନ୍ତୋଷ କୁମାର ଉପାଧ୍ୟାୟ, ଘରୋଇ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ସନ୍ତୋଷ ବାଲା, ଜାତୀୟ ରାଜପଥ ପ୍ରାଧିକରଣ ଅଧକାରୀ, ସ୍ବେଚ୍ଛାସେବୀ ଅନୁଷ୍ଠାନର ପ୍ରତିନିଧି, ବସ ଓ ଟ୍ରକ ମାଲିକ ସଂଘର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର