୭କୋଟି ଟଙ୍କାର ଗଂଜେଇ ଗଛ ପୋଡ଼ାଗଲା

ମାଲକାନଗିରି : ମାଲକାନଗିରି ଜିଲ୍ଲା ଅବକାରୀ ବିଭାଗ ଏବଂ ଚିତ୍ରକୋଣ୍ଡା ପୁଲିସର ମିଳିତ ଚଢାଉରେ ପ୍ରାୟ ୭କୋଟି ଟଙ୍କାର ଗଂଜେଇ ଗଛ ନଷ୍ଟ କରାଯାଇଛି। ଜିଲ୍ଲା ଅବକାରୀ ଅଧୀକ୍ଷକ ଅଶୋକ କୁମାର ସେଠଙ୍କ ନେତୃତ୍ୱରେ ଅବକାରୀ କର୍ମଚାରୀ ଏବଂ ବାଲିମେଳା ଏସଡିପିଓଙ୍କ ନେତୃତ୍ୱରେ ପୁଲିସ କର୍ମଚାରୀ ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ବନ୍ଧମାମୁଡି, ପଲାସିପଦର ଏବଂ ଲାମାସିଂ ଗ୍ରାମ ନିକଟ ଜଙ୍ଗଲରେ ଚଢାଉ କରି ହଜାର ହଜାର ଗଂଜେଇ ଗଛକୁ ନଷ୍ଟ କରିଥିଲେ। ଆଜି ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ପ୍ରାୟ ୭୦ହଜାର ଗଂଜେଇ ଗଛକୁ ନଷ୍ଟ କରାଯାଇଥିବା ଅବକାରୀ ବିଭାଗ ତରଫରୁ ପ୍ରକାଶ।

ପ୍ରକାଶ ଥାଉକି ଚିତ୍ରକୋଣ୍ଡା ଅଞ୍ଚଳର ବିଭିନ୍ନ ସ୍ଥାନରେ ଗଂଜେଇ ଚାଷ ଜୋରଦାର ଚାଲିଛି। ଡିସେମ୍ବର ଏବଂ ଜାନୁଆରି ମାସରେ ଗଂଜେଇ ଅମଳ ସମୟ ରହିଥିବା ଯୋଗୁଁ ଗଂଜେଇ ସଂଗ୍ରହ କରିଥାନ୍ତି। ତେବେ ଏଥିପୂର୍ବରୁ ପୁଲିସ ଏବଂ ଅବକାରୀ ବିଭାଗ ତରଫରୁ ଘନ ଘନ ଚଢାଉରେ କୋଟି କୋଟି ଟଙ୍କାର ଗଂଜେଇ ଗଛ ନଷ୍ଟ ହୋଇଛି। ଜିଲ୍ଲାରୁ ଗଂଜେଇ ପଡୋଶୀ ଛତିଶଗଡ, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ ଭଳି ରାଜ୍ୟଗୁଡିକକୁ ଚାଲାଣ କରାଯାଇଥାଏ। ପ୍ରତିଦିନ ଶହ ଶହ ଗାଡି ଚିତ୍ରକୋଣ୍ଡାରୁ ଗଂଜେଇ ନେଇ ମାଲକାନଗିରି ପାର ହେବାର ନଜିର ରହିଛି। କିନ୍ତୁ କାଁ ଭାଁ ହିଁ ଧରାପଡୁଥିବା ଦେଖିବାକୁ ମିଳିଛି। ଏବେ ବି ଚିତ୍ରକୋଣ୍ଡାର ବିଭିନ୍ନ ଅଞ୍ଚଳରେ ଗଂଜେଇ ଚାଷ କରାଯାଉଛି। କିନ୍ତୁ ଉକ୍ତ ଅଂଚଳ ଦୁର୍ଗମ ଏବଂ ନକ୍ସଲ ପ୍ରବଣ ହୋଇଥିବାରୁ କଡା ସୁରକ୍ଷା ବ୍ୟବସ୍ଥା ଦରକାର। ଆଗାମୀ ଦିନରେ ପୁଣି ଚଢାଉ କରାଯାଇ ଗଂଜେଇ ଗଛ ନଷ୍ଟ କରାଯିବ ବୋଲି ଦୁଇ ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର