ରାଉରକେଲା : ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଶୌଚାଳୟରେ ମୋବାଇଲ୍ ଫୋନ୍ ରଖି ଅଶ୍ଳୀଳ ଦୃଶ୍ୟ କଏଦ୍ କରି ବିବାଦରେ ଥିବା ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ୍ (ଆର୍ଏସ୍ପି)ର ଡେପୁଟି ମ୍ୟାନେଜର ଡି. ଷଡ଼ଙ୍ଗୀ (ଛଦ୍ମନାମ)ଙ୍କୁ ନିଲମ୍ବିତ କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନା ମୁତାବକ, ଅଭିଯୁକ୍ତ ଡେପୁଟି ମ୍ୟାନେଜର ତାଙ୍କ ବିଭାଗୀୟ କାର୍ଯ୍ୟାଳୟରେ ଥିବା ମହିଳା ଶୌଚାଳୟରେ ନିଜ ମୋବାଇଲ୍ ଖଞ୍ଜି ରଖିଥିଲେ। ମହିଳା ସହକର୍ମୀଙ୍କ ଅଶ୍ଳୀଳ ଦୃଶ୍ୟ ରେକର୍ଡିଂ କରିବା ଉଦ୍ଦେଶ୍ୟରେ ଅଧିକାରୀ ଜଣକ ତାଙ୍କ ମୋବାଇଲକୁ ଗୁପ୍ତଭାବେ ଶୌଚାଳୟ ଭିତରେ ହିଁ ଲୁଚାଇ ରଖିଥିଲେ। ଗତ ୩୦ ତାରିଖରେ ଉକ୍ତ ବିଭାଗର ଜଣେ ମହିଳା କର୍ମଚାରୀ ଶୌଚ ପାଇଁ ଯିବାବେଳେ ମୋବାଇଲ୍ରେ ରେକର୍ଡିଂ ହେଉଥିବା ଦେଖିବାକୁ ପାଇଥିଲେ। ଉକ୍ତ ମୋବାଇଲ୍ରେ ଆଗରୁ ମଧ୍ୟ ଅନେକ ମହିଳା କର୍ମଚାରୀଙ୍କ ଶୌଚ ହେବା ବେଳର ଦୃଶ୍ୟ କଏଦ୍ ହୋଇ ରହିଥିବା ଜାଣିବାକୁ ପାଇଥିଲେ। ଏନେଇ ମହିଳା କର୍ମଚାରୀ କାରଖାନାର ଯୌନ ଉତ୍ପୀଡ଼ନ ଅଭିଯୋଗ ପ୍ରକୋଷ୍ଠରେ ଲିଖିତ ଅଭିଯୋଗ କରିଥିଲେ। ମାମଲାକୁ ଗୁରୁତ୍ବର ସହ ନେଇ ଏକ ୫ ଜଣିଆ ତଦନ୍ତ କମିଟି ତଦନ୍ତ ଆରମ୍ଭ କରିଥିଲା। ପ୍ରାଥମିକ ତଦନ୍ତରେ ଅଭିଯୁକ୍ତ ଡେପୁଟି ମ୍ୟାନେଜର ହିଁ ମୋବାଇଲ ଖଞ୍ଜିଥିବା ତଦନ୍ତ କମିଟି ଜାଣିବାକୁ ପାଇବାପରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଅଭିଯୁକ୍ତକୁ ଏସ୍ଏମ୍ଏସ୍-୨ ବିଭାଗକୁ ବଦଳି କରାଯାଇଛି। ଏଭଳି ଜଘନ୍ୟ କାମ ପାଇଁ ତାଙ୍କୁ କାରଖାନାରୁ ବହିଷ୍କାର କରିବାକୁ ଜଣେ ଶ୍ରମିକ ନେତା ନୂଆଦିଲ୍ଲୀ ଯାଇ ସେଲ୍ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଭେଟି ଦାବି କରିଥିଲେ। ଶେଷରେ କର୍ତ୍ତୃପକ୍ଷ ଅଭିଯୁକ୍ତ ଡେପୁଟି ମ୍ୟାନେଜରଙ୍କୁ ନିଲମ୍ବିତ କରିଛନ୍ତି। ଆର୍ଏସ୍ପି କର୍ତ୍ତୃପକ୍ଷଙ୍କ ଏହି ନିଷ୍ପତ୍ତିକୁ ସାଧାରଣରେ ସ୍ବାଗତ କରା ଯାଇଛି।