କା’ରେ ଚାଲିଛି ୧୩ଟି ଆର୍‌ଟିଓ କାର୍ଯ୍ୟାଳୟ : ମୋଟର ଯାନ ଆଇନ ଲାଗୁ ପରେ ବି ସରକାର ବେଫିକର, କାଗଜପତ୍ର ଅପ୍‌ଡେଟ୍‌ ପାଇଁ ହିନସ୍ତା ହେଉଛନ୍ତି ଲୋକ

ଭୁବନେଶ୍ବର : ରାଜ୍ୟରେ ନୂଆ ମୋଟର ଯାନ ଆଇନ ସେପ୍ଟେମ୍ବରରୁ ଲାଗୁ ହୋଇଛି। ସବୁ ଜିଲ୍ଲାରେ ଧରପଗଡ଼ ଜୋର ଧରିଛି। ଗାଡ଼ି ଚାଳକଙ୍କୁ କାଗଜପତ୍ର ଠିକ୍ କରିବା ପାଇଁ ନଭେମ୍ବର ୩୦ ତାରିଖ ଯାଏ କଣ୍ଟ ଦିଆଯାଇଛି। ଏପଟେ କିନ୍ତୁ ୧୩ଟି ଆଞ୍ଚଳିକ ପରିବହନ ଅଧିକାରୀ(ଆର୍‌ଟିଓ) ପଦ ଖାଲି ପଡ଼ିଛି। ବିନା ଆ‌ର୍‌ଟିଓରେ ୧୩ଟି ଆର୍‌ଟିଓ କାର୍ଯ୍ୟାଳୟ ଚାଲିଛି। କାଗଜପତ୍ର ଅପ୍‌ଡେଟ୍‌ କରିବା ପାଇଁ ଲୋକ ହିନସ୍ତା ହେଉଛନ୍ତି। ସର୍ବନିମ୍ନ ଭିତ୍ତିଭୂମି ପ୍ରସ୍ତୁତ ନ କରି ପରିବହନ ବିଭାଗ କିପରି ମୋଟର୍‌ ଯାନ ଆଇନ ଲାଗୁ କରିବାକୁ ତତ୍ପର ହେବା ଆଶ୍ଚର୍ଯ୍ୟଜନକ।

ପରିବହନ ବିଭାଗର ତଥ୍ୟ ଅନୁଯାୟୀ, ରାଜ୍ୟରେ ୩୬ଟି ଆରଟିଓ କାର୍ଯ୍ୟାଳୟ ଅଛି। ସେଥିରୁ ବଲାଙ୍ଗୀର, ବୌଦ୍ଧ, ଭଞ୍ଜନଗର, ଦେବଗଡ଼, ଯାଜପୁର, କେନ୍ଦ୍ରାପଡ଼ା, ମୟୁରଭଞ୍ଜ, ମାଲକାନଗିରି, ନୂଆପଡ଼ା, ପୁରୀ, ଫୁଲବାଣୀ, ରାଉଲକେଲା, ସୁବର୍ଣ୍ଣପୁର ଓ ପୁଲିସ ମୋଟର ଟ୍ରାନ୍ସପୋର୍ଟ କାର୍ଯ୍ୟାଳୟରେ ଆଞ୍ଚଳିକ ପରିବହନ ଅଧିକାରୀ ନାହାନ୍ତି। ଖାଲି ସେତିକି ନୁହେଁ, ବର୍ତ୍ତମାନ କାର୍ଯ୍ୟରତ ୨୩ ଜଣ ଆରଟିଓଙ୍କ ଭିତରୁ ଦୁଇ ଜଣଙ୍କୁ ଡେପୁଟି ଟ୍ରାନ୍ସପୋର୍ଟ କମିସନର ପଦବିକୁ ପଦୋନ୍ନତି ଦେବା ପାଇଁ ବିଭାଗୀୟ ପଦୋନ୍ନତି କମିଟି ନିଷ୍ପତ୍ତି ନେଇଛି। ଏପରି ହେଲେ, ୧୫ଟି ଆର୍‌ଟିଓ ପଦବି ଖାଲି ପଡ଼ିବ।

ଆରଟିଓ ପଦବି ପୂରଣ ପାଇଁ ଏହା ଭିତରେ ୯ ଜଣ ଓଏଏସ ଅଧିକାରୀଙ୍କୁ ନିଯୁକ୍ତି ଦେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ସାଧାରଣ ପ୍ରଶାସନ ବିଭାଗରୁ ଏ ନେଇ ଅନୁମୋଦନ ମିଳିଥିଲେ ବି ପ୍ରକ୍ରିୟା ଚୂଡ଼ାନ୍ତ ହୋଇପାରୁନି କି ନିଯୁକ୍ତି ମିଳୁ ନାହିଁ। ବିଭାଗୀୟ ନିଷ୍ପତ୍ତି ଅନୁଯାୟୀ, ୬ ଜଣ ଏମ୍‌ଭିଆଇଙ୍କୁ ପଦୋନ୍ନତି ଦିଆଯାଇ ଆର୍‌ଟିଓ ଭାବେ ନିଯୁକ୍ତି ଦିଆଯିବ। ଏପରି ହେଲେ ବୈଷୟିକ ଅଧିକାରୀ ଭାବେ ୬ଟି ସ୍ଥାନରେ ଏମ୍‌ଭିଆଇ ପଦବି ବି ଖାଲି ପଡ଼ିବ।

ଯେଉଁ ଜିଲ୍ଲାଗୁଡ଼ିକରେ ଆର୍‌ଟିଓ ନାହାନ୍ତି, ସେଠାରେ ପଡୋଶୀ ଜିଲ୍ଲାର ଆରଟିଓଙ୍କୁ କ୍ୟାମ୍ପ କରି ଲୋକଙ୍କୁ ଗାଡ଼ି କାଗଡପତ୍ର ଅପଡେଟ୍ କରିବା ପାଇଁ ବ୍ୟବସ୍ଥା କରାଯାଇଛି। କିନ୍ତୁ ଏହି ସାମୟିକ ବ୍ୟବସ୍ଥା ଲୋକଙ୍କୁ ସୁବିଧା ଦେଇପାରୁ ନାହିଁ। କ୍ୟାମ୍ପ୍ ହେଉଥିଲେ ବି କାଗଜପତ୍ର କାମ ତ୍ବରାନ୍ବିତ ହୋଇପାରୁ ନାହିଁ। ଫଳରେ ଲୋକଙ୍କୁ ବାରମ୍ବାର ଆର୍‌ଟିଓ କାର୍ଯ୍ୟାଳୟ ଦୌଡ଼ିବାକୁ ପଡ଼ୁଛି। କେବଳ ବର୍ତ୍ତମାନ ନୁହେଁ, ଆର୍‌ଟିଓ ନ ଥିବାରୁ ବହୁ ସମୟରେ ଲୋକମାନେ ଗାଡ଼ି କାଗଜପତ୍ର କାମରେ ହଇରାଣ ହେଉଥିବା ଅଭିଯୋଗ ଆସୁଛି।

ଆର୍‌ଟିଓମାନଙ୍କ ବଦଳିକୁ ନେଇ ମଧ୍ୟ ପରିବହନ ବିଭାଗରେ ସ୍ବଚ୍ଛତା ପରିଲକ୍ଷିତ ହେଉ ନାହିଁ। ସାଧାରଣ ପ୍ରଶାସନ ବିଭାଗର ସର୍କୁଲାର ଅନୁଯାୟୀ, ଜଣେ ଆର୍‌ଟିଓ ଗୋଟିଏ ଜିଲ୍ଲାରେ ସର୍ବାଧିକ ୩ ବର୍ଷ ରହିବେ। ଆବଶ୍ୟକ ସ୍ଥଳେ କାର୍ଯ୍ୟକାଳ ସଂପ୍ରାସାରଣ କରିବାର ନିୟମ ରହିଛି। କିନ୍ତୁ ଜଣେ ଅଧିକାରୀ ଅଧିକ ବର୍ଷ ଧରି ଗୋଟିଏ ସ୍ଥାନରେ ରହିବା ହେତୁ ସାଧାରଣରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଏପରି ଦେଖିବାକୁ ଗଲେ, ଅନୁଗୁଳ ଆରଟିଓ ୭ ବର୍ଷ କାର୍ଯ୍ୟକାଳ ପୂରା କରିଥିବା ବେଳେ ବରଗଡ଼ ଆର୍‌ଟିଓ ୫ ବର୍ଷ ଧରି ସେହି ସ୍ଥାନରେ ରହିଲେଣି। ସେହିପରି ଭୁବନେଶ୍ବରେ ଥିବା ଦୁଇଜଣ ଆର୍‌ଟିଓଙ୍କ ଭିତରୁ ଆର୍‌ଟିଓ-୨ ସେହି ସ୍ଥାନରେ ୫ ବର୍ଷ ପୂରା କରିସାରିଲେଣି। ଅଥଚ ସେମାନଙ୍କର ବଦଳି ହୋଇନାହିଁ। କଟକ ଆର୍‌ଟିଓ ୫ ବର୍ଷ, ଗଞ୍ଜାମ ଆର୍‌ଟିଓ ୫ ବର୍ଷ, ଜଗତସିଂହପୁର ଆର୍‌ଟିଓ ୭ ବର୍ଷ, କଳାହାଣ୍ଡି ଆର୍‌ଟିଓ ୮ ବର୍ଷ, ରାୟଗଡ଼ା ଆର୍‌ଟିଓ ୬ ବର୍ଷ ଓ ସୁନ୍ଦରଗଡ଼ ଆର୍‌ଟିଓ ୫ ବର୍ଷ ଧରି କାର୍ଯ୍ୟ କରୁଛନ୍ତି।

ସ୍ବଚ୍ଛ ପ୍ରଶାସନ ପାଇଁ ସବୁ ବିଭାଗ ୫’ଟି’ ଆଧାରରେ କାର୍ଯ୍ୟ କରିବା ନିମନ୍ତେ ସରକାର ନୀତି ପ୍ରଣୟନ କରିଛନ୍ତି। ‘ମୋ ସରକାର’ କାର୍ଯ୍ୟକ୍ରମକୁ ଆସନ୍ତା ୨୦୨୦ ମାର୍ଚ୍ଚ ସୁଦ୍ଧା ସବୁ ବିଭାଗରେ ଲାଗୁ କରିବାକୁ ଘୋଷଣା କରାଯାଇଛି। କିନ୍ତୁ ପରିବହନ ବିଭାଗର ଏପରି ସ୍ଥାଣୁତା ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ପରୋକ୍ଷରେ ଅଣଦେଖା କରୁଥିବା ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର