ବିଧାନସଭାରେ ଦୁଷ୍କର୍ମ ଝଡ଼

ଭୁବନେଶ୍ୱର : ମହିଳାଙ୍କ ଇଜ୍ଜତ ବାଜିରେ ଲାଗିଛି। ନୀଳଗିରି ଓ ସୋରରେ ନାବାଳିକାକୁ ଦୁଷ୍କର୍ମ କରାଯାଇଛି। ଏହାର ଭୟାବହତା ଉତ୍ତରପ୍ରଦେଶ ଓ ଜମ୍ମୁକଶ୍ମିରୀଠାରୁ କୌଣସି ଭାବେ କମ୍‌ ନୁହେଁ। ରାଜ୍ୟରେ ସାଧାରଣ ଜନତା ଭୟଭୀତ, ବ୍ୟସ୍ତ। ଗଣମାଧ୍ୟମରେ ଏ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି। ଏପରି ଏକ ସମ୍ବେଦନଶୀଳ ଘଟଣା ବିଧାନସଭାରେ ଆଲୋଚନା ହେବନି ତ ଆଉ କ’ଣ ହେବ ? ଯଦି ଆଲୋଚନା ନ ହେବ, ଲୋକ କ’ଣ କହିବେ ? ଯଦି ଆଲୋଚନା ନ ହେବ, ଗୃହ ଚଳାଇ ଲାଭ କ’ଣ ? ଏମିତି ଅପ୍ରାସଙ୍ଗିକ ଓ ଅନାବଶ୍ୟକ ଭାବେ ଗୃହ ଚଳାଇବା ଅପେକ୍ଷା ବନ୍ଦ କରିଦେଲେ ଅସୁବିଧା କ’ଣ?

ନୀଳଗିରି ଓ ସୋର ଦୁଷ୍କର୍ମ ଘଟଣା ନେଇ ଏମିତି ଆଜି ବିଧାନସଭାରେ ବର୍ଷିଥିଲେ ବିରୋଧୀ ଦଳ ନେତା ନରସିଂହ ମିଶ୍ର। ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଉତ୍ତର ମାଗିଥିଲେ। ଦାବି କରିଥିଲେ, ବାଚସ୍ପତି ମୁଖ୍ୟମନ୍ତ୍ରୀଙ୍କୁ ନିର୍ଦେଶ ଦିଅନ୍ତୁ। ସେ ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ଗୃହରେ ତୁରନ୍ତ ବିବୃତି ଦେବା ଦରକାର। ଏଥିସହିତ ଆଜି ଏହି ପ୍ରସଙ୍ଗକୁ ନେଇ ବିଧାନସଭାର ପୂର୍ବାହ୍ନ ଅଧିବେଶନ ଅଚଳ ହୋଇଯାଇଥିଲା। ପ୍ରଥମାର୍ଦ୍ଧରେ ମାତ୍ର ୧୪ ମିନିଟ୍‌ ଚାଲିଥିଲା ଗୃହ। ଦ୍ୱିତୀୟାର୍ଦ୍ଧରେ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଲା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ୪ଟା ପର ଠାରୁ ଗୃହ କାର୍ଯ୍ୟ ସ୍ୱାଭାବିକ ହୋଇଥିଲା।

ଆଜି ପ୍ରଶ୍ନକାଳ ଆରମ୍ଭ ହେଲା ମାତ୍ରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଠିଆ ହୋଇଥିଲେ। ନୀଳଗିରି ଓ ସୋର ଘଟଣା ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥିବାରୁ ପ୍ରଶ୍ନକାଳ ବାତିଲ୍‌ କରାଯାଇ ତାହା ଉପରେ ଆଲୋଚନା କରିବାକୁ ଦାବି କରିଥିଲେ। ଏ ନେଇ ସେ ଦୁଇଟି ପୃଥକ୍‌ ପୃଥକ୍‌ ଲିଖିତ ପ୍ରସ୍ତାବ ଦେଇଛନ୍ତି ବୋଲି କହିଥିଲେ। ତେବେ ବାଚସ୍ପତି ତାହା ନ ଶୁଣି ସିଧାସଳଖ ପ୍ରଶ୍ନକାଳ ଆରମ୍ଭ କରି ଉତ୍ତର ଦେବାକୁ ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରାଙ୍କୁ ଡାକିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ଉଭୟ କଂଗ୍ରେସ ଓ ବିଜେପି ସଭ୍ୟମାନେ ଗୃହ ମଧ୍ୟ ଭାଗକୁ ଚାଲିଆସିଥିଲେ। ସରକାରଙ୍କ ବିରୋଧରେ ନାରାବାଜି କଲେ। ଝିଅ, ବୋହୂଙ୍କୁ ଧର୍ଷଣ କଲା କିଏ….ନବୀନ ସରକାର ଆଉ କିଏ, ସରକାର ତୁମେ ଜବାବ୍‌ ଦିଅ…। ଏମିତି ନାରାରେ କମ୍ପିଥିଲା ଗୃହ। ବାଚସ୍ପତି ଯେତେ ଅନୁରୋଧ କଲେ ବି ବିରୋଧୀ ସଭ୍ୟମାନେ ଶୁଣି ନ ଥିଲେ। ୧୦ଟା ୩୧ରେ ବାଚସ୍ପତି ଗୃହକୁ ୧୧ଟା ୩୦ ପର୍ଯ୍ୟନ୍ତ ମୁଲତବୀ ରଖିଲେ।

୧୧ଟା ୩୦ରେ ଗୃହ କାର୍ଯ୍ୟ ଆରମ୍ଭ ହେଲା ମାତ୍ରେ ବିରୋଧୀ ଦଳ ନେତା ଶ୍ରୀ ମିଶ୍ର ସରକାରଙ୍କୁ ତୀବ୍ର ଭର୍ତ୍ସନା କରିଥିଲେ। ସେ କହିଥିଲେ, ନୀଳଗିରିରେ ଜଣେ ବାଳିକାକୁ ଦୁଷ୍କର୍ମ କରାଯାଇଛି। ଏହା ଏକ ଅତି ସମ୍ବେଦନଶୀଳ ତଥା ଗୁରୁତ୍ୱପୂର୍ଣ୍ଣ ଘଟଣା। ପୁଣି ସୋରରେ ଜଣେ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ବାଡ଼େଇ ଲୋକ ଆଇନ୍‌କୁ ହାତକୁ ନେଇଛନ୍ତି। ଆଇନ୍‌ ବ୍ୟବସ୍ଥା ଉପରେ ସେମାନଙ୍କ ଆସ୍ଥା ତୁଟିଯିବାରୁ ଏପରି କରିଛନ୍ତି। ତେଣୁ ପ୍ରଶ୍ନକାଳ ବାତିଲ୍‌ କରି ଏପରି ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ଆମେ ଚାହିଁଥିଲୁ। କିନ୍ତୁ ବାଚସ୍ପତି ଆମକୁ ଶୁଣିଲେ ନାହିଁ। ରାଜ୍ୟରେ ଦୁଷ୍କର୍ମ ଚିନ୍ତାଜନକ ଭାବେ ବଢ଼ିଚାଲିଛି। ରାଜ୍ୟ ସରକାରଙ୍କ ତଥ୍ୟ ବି ଏହାକୁ ପ୍ରମାଣିତ କରୁଛି। ରାଜ୍ୟରେ ଦୈନିକ ୬ ଜଣ ଦୁଷ୍କର୍ମର ଶୀକାର ହେଉଥିଲା ବେଳେ ବର୍ଷକୁ ଦଣ୍ଡବିଧାନ ମାତ୍ର ୬। ଜମ୍ମୁକଶ୍ମିରୀ ଓ ଉତ୍ତରପ୍ରଦେଶ ଘଟଣା ସାରା ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। କିନ୍ତୁ ଓଡ଼ିଶାର ଏହି ଘଟଣା ଜାତୀୟ ଗଣମାଧ୍ୟମକୁ ଆସୁ ନାହିଁ। ମହିଳାଙ୍କ ବିରୋଧରେ ନିର୍ଯ୍ୟାତନା ରୋକିବାରେ ସରକାର ଏକପ୍ରକାର ବିଫଳ ହୋଇଛନ୍ତି।
ଶ୍ରୀ ମିଶ୍ର ଦାବି କରିଥିଲେ, ଏହି ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ବାଚସ୍ପତି ଅନୁମତି ଦିଅନ୍ତୁ। ମୁଖ୍ୟମନ୍ତ୍ରୀଙ୍କୁ ଏକ ବିବୃତି ଦେବା ପାଇଁ ନିର୍ଦ୍ଦେଶ ଦିଅନ୍ତୁ। ଏହା ନ କରି ଆମେ କ’ଣ ଏମିତି ମହିଳାଙ୍କୁ ଦୁଷ୍କର୍ମର ଶୀକାର ହେବା ପାଇଁ ଛାଡ଼ିଦେବା ? ମୁଖ୍ୟମନ୍ତ୍ରୀ ଆସି ଗୃହକୁ ପ୍ରତିଶ୍ରୁତି ଦିଅନ୍ତୁ। ଲୋକଙ୍କୁ ସାନ୍ତ୍ୱନା ଦିଅନ୍ତୁ। ଦୋଷୀଙ୍କୁ ଛଡ଼ାଯିବ ନାହିଁ ଓ ପ୍ରତିକାରମୂଳକ ବ୍ୟବସ୍ଥା କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କୁହନ୍ତୁ। ଯଦି ଏତିିକି ନ ହେବ, ତେବେ ଆମେ ସମସ୍ତେ ଏଥିରେ ଦୋଷୀ ହୋଇଯିବା ବୋଲି ସେ ଚେତାଇ ଦେଇଥିଲେ।
ପରବର୍ତ୍ତୀ ସମୟରେ ଏ ନେଇ ରୁଲିଂ ଦେବେ ବୋଲି ବାଚସ୍ପତି କହିଥିଲେ। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବିରେ ବିରୋଧୀ ଜିଦିରେ ଅଟଳ ରହିଲେ। ପୁଣି ଗୃହ ମଧ୍ୟ ଭାଗକୁ ଆସି ପୁଣି ଥରେ ନାରାବାଜି କରିଥିଲେ। ଫଳରେ ୧୧ଟା ୪୩ରେ ବାଚସ୍ପତି ଗୃହକୁ ଅପରାହ୍ନ ୩ଟା ଯାଏଁ ମୁଲତବୀ ରଖିଲେ।

୩ଟା ବେଳେ ବି ସମାନ ଦୃଶ୍ୟ ଦେଖିବାକୁ ମିଳିଲା। ବାଚସ୍ପତି ସର୍ବଦଳୀୟ ବୈଠକ ଡାକି ଗୃହକୁ ୩୦ ମିନିଟ୍‌ ପାଇଁ ମୁଲତବୀ ରଖିଲେ। ବୈଠକ ଜାରି ରହିଥିବାରୁ ପରେ ଆହୁରି ୩୦ ମିନିଟ୍‌ ପାଇଁ ଗୃହ ମୁଲତବୀ ରହିଲା। ଆସନ୍ତା ୧୯ ତାରିଖରେ ବାଚସ୍ପତି ଏ ନେଇ ରୁଲିଂ ଦେବେ ବୋଲି ଗୃହରେ ଘୋଷଣା କରିଥିଲେ। ୪ଟା ପରେ ଗୃହ କାର୍ଯ୍ୟ ସ୍ୱାଭାବିକ ଭାବେ ଆରମ୍ଭ ହୋଇ ଖର୍ଚ୍ଚଦାବି ଆଲୋଚନା ହୋଇଥିଲା।

ଚିନ୍ତା ବଢ଼ାଉଛି ଆପତ୍ତିଜନକ ଭାଇରାଲ୍‌ ଭିଡିଓ : ୩ ମାସରେ ୩୧ ମାମଲା ରୁଜୁ

ଭୁବନେଶ୍ୱର : ଆପତ୍ତିଜନକ ଭିଡିଓ ଭାଇରାଲ୍‌ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଚଳିତ ବର୍ଷ ଜାନୁଆରିରୁ ମାର୍ଚ୍ଚ ମଧ୍ୟରେ ଏ ସଂକ୍ରାନ୍ତୀୟ ୩୧ଟି ମାମଲା ସାଇବର୍‌ କ୍ରାଇମ୍‌ ସେଲ୍‌ରେ ପଞ୍ଜୀକୃତ ହୋଇଛି। ୨୦୧୬ରୁ ବର୍ତ୍ତମାନ ସୁଦ୍ଧା ଏହିପରି ୨୮୮ଟି ମାମଲା ରୁଜୁ ହୋଇଛି।

କଂଗ୍ରେସ ବିଧାୟକ ଭୁଜବଳ ମାଝୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ତଥ୍ୟ ଅନୁଯାୟୀ ୩୧ଟି ମାମଲାରେ ୧୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ୨୦୧୬ରେ ୭୩ଟି ଭାଇରାଲ୍‌ ଭିଡିଓ ମାମଲା ପଞ୍ଜୀକୃତ ହୋଇଥିଲା ବେଳେ ୪୧ ଜଣଙ୍କୁ ଗିରଫ କରାଯାଇଥିଲା। ୨୦୧୭ରେ ୧୮୪ଟି ମାମଲା ରୁଜୁ କରାଯାଇଥିଲା ବେଳେ ୮୫ ଜଣଙ୍କୁ ଗିରଫ କରାଯାଇଥିଲା।

ଗୃହରେ ସଂସଦୀୟ ବ୍ୟାପାର, ଜିଏସ୍‌ଟି ବିଜ୍ଞପ୍ତି ଉପସ୍ଥାପିତ

ଭୁବନେଶ୍ୱର : ଆଜି ଗୃହରେ ସଂସଦୀୟ ବ୍ୟାପାର ଏବଂ ଓଡ଼ିଶା ଦ୍ରବ୍ୟ ଓ ସେବା କର (ଜିଏସ୍‌ଟି) ଅଧିନିୟମ ସଂପର୍କିତ ବିଭିନ୍ନ ବିଜ୍ଞପ୍ତି ଉପସ୍ଥାପିତ ହୋଇଛି। ଏହି ବିଜ୍ଞପ୍ତି ଅନୁସାରେ ବିରୋଧୀ ଦଳ ନେତାଙ୍କ କର୍ମଚାରୀ ଓ ସୁବିଧା, ମନ୍ତ୍ରୀମାନଙ୍କ ଭତ୍ତା, ଉପ ବାଚସ୍ପତିଙ୍କ ମୋଟର କାର ଅଗ୍ରିମ, ସରକାରୀ ମୁଖ୍ୟ ସଚେତକ ଓ ଉପ ମୁଖ୍ୟ ସଚେତକଙ୍କ କର୍ମଚାରୀ ଓ ସୁବିଧା ନେଇ ହୋଇଥିବା ସଂଶୋଧନ ଦର୍ଶାଯାଇଛି। ସେହିପରି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଜିଏସ୍‌ଟି ଆଇନ ସଂଶୋଧନ ସଂପର୍କିତ ବିଭିନ୍ନ ବିଜ୍ଞପ୍ତି ଉପସ୍ଥାପନ କରିଛନ୍ତି।

ସମ୍ବନ୍ଧିତ ଖବର