ଉଚ୍ଚଶିକ୍ଷାରେ ସଂସ୍କାର ଆଣିବାକୁ ପ୍ରକ୍ରିୟା : ଡିଗ୍ରି କଲେଜ ଖୋଲିବାକୁ ନିୟମ କଡ଼ାକଡ଼ି

ଭୁବନେଶ୍ୱର : ଉଚ୍ଚଶିକ୍ଷାରେ ସଂସ୍କାର ଆଣିବା ଲାଗି ଅଣ୍ଟା ଭିଡ଼ିଛି ଉଚ୍ଚଶିକ୍ଷା ବିଭାଗ। ରାଜ୍ୟରେ ନୂତନ ଡିଗ୍ରି ଓ ସେଲ୍ଫ ଫାଇନାନ୍‌ସିଂ କଲେଜ ଖୋଲିବା ପାଇଁ ଅନୁମତି ଦେବାକୁ କଡ଼ାକଡ଼ି କରାଯାଇଛି। କେତେକ କଲେଜରେ ନୂତନ ପାଠ୍ୟକ୍ରମ ଖୋଲିବାକୁ ମଧ୍ୟ ଅନୁମତି ଦେଇଛି ଉଚ୍ଚଶିକ୍ଷା ବିଭାଗ। ଏନେଇ ଗତ ୩ ତାରିଖରେ ଉଚ୍ଚଶିକ୍ଷା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜିଭିଭି ଶର୍ମାଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉତ୍କଳ ସମେତ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ, ଉତ୍ତର ଓଡ଼ିଶା, ସମ୍ବଲପୁର, ବ୍ରହ୍ମପୁର, ଫକୀର ମୋହନ, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି ତଥା ସେମାନଙ୍କ ପ୍ରତିନିଧିଙ୍କ ସମେତ ଉଚ୍ଚଶିକ୍ଷା ବିଭାଗର ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ।

ବର୍ତମାନ ସମୟରେ କେତେକ କଲେଜରେ ଅଧ୍ୟାପକ-ଛାତ୍ରଛାତ୍ରୀଙ୍କ ଅନୁପାତ ଠିକ୍‌ ନାହିଁ। ଭିତ୍ତିଭୂମି ଅଭାବ ରହିଛି। ଯେଉଁଥିପାଇଁ ପାଠପଢ଼ା ବି ପ୍ରଭାବିତ ହେଉଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ମେ’ ୧୫ ସୁଦ୍ଧା ଭିତ୍ତିଭୂମି ସଜାଡ଼ିବା ଦିଗରେ ପଦକ୍ଷେପ ନେବାକୁ ନିର୍ଦେଶ ଦିଆଯାଇଛି। ନୂଆ କଲେଜ ଓ ବିଭାଗ ଖୋଲିବା ପାଇଁ ପ୍ରତି କ୍ଲାସ୍‌ରେ ଅତି କମ୍‌ରେ ୩୨ ଛାତ୍ରଛାତ୍ରୀ ରହିବା ଆବଶ୍ୟକ। ଅନୁମତି ଦେବା ପୂର୍ବରୁ ବିଶ୍ୱବିଦ୍ୟାଳୟ ଓ ଆଞ୍ଚଳିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ମିଳିତ ଭାବେ କଲେଜଗୁଡ଼ିକର ଯାଞ୍ଚ କରିବାକୁ କୁହାଯାଇଛି। ୨୦୧୮ ଅକ୍ଟୋବର ୧ରୁ ଏହି ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିବାକୁ ବିଶ୍ୱବିଦ୍ୟାଳୟଗୁଡ଼ିକୁ ନିର୍ଦେଶ ଦିଆଯାଇଛି। ୨୦୧୯-୨୦ ଶିକ୍ଷାବର୍ଷ ସୁଦ୍ଧା ଶତ ପ୍ରତିଶତ ଯାଞ୍ଚ କରିବାକୁ ବି କୁହାଯାଇଛି। ଯାଞ୍ଚ କରିବାର ଏକ ସପ୍ତାହ ପୂର୍ବରୁ ଆଞ୍ଚଳିକ ଶିକ୍ଷା ନିର୍ଦେଶକଙ୍କ ପକ୍ଷରୁ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷଙ୍କୁ ଅବଗତ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।

କଲେଜଗୁଡ଼ିକରେ ନୂଆ ଅନର୍ସ ଖୋଲିବା ପୂର୍ବରୁ ବି ଯାଞ୍ଚ କରାଯିବ। ସେଲ୍ଫ ଫାଇନାନ୍‌ସିଂ ମୋଡ୍‌ରେ ଖୋଲିବାକୁ ଥିବା ନୂତନ ବିଷୟ ପ୍ରସ୍ତାବଗୁଡ଼ିକୁ ଆଞ୍ଚଳିକ ଶିକ୍ଷା ନିର୍ଦେଶକ ଅନୁମତି ଦେଇଛନ୍ତି। ଯେଉଁ କଲେଜଗୁଡ଼ିକ ବିଶ୍ୱବିଦ୍ୟାଳୟ ଦ୍ୱାରା ଆଫିଲେସନ୍‌ ପାଇନାହାନ୍ତି ସେମାନେ ମେ’ ୧୫ ଭିତରେ ପୁଣିଥରେ ଆବେଦନ କରିପାରିବେ। ବିଶ୍ୱବିଦ୍ୟାଳୟ କୁଳପତି, ପିଜି କାଉନ୍‌ସିଲ୍‌ ଅଧ୍ୟକ୍ଷ, ସିଡିସି ଅଧ୍ୟକ୍ଷ, ଆଞ୍ଚଳିକ ଶିକ୍ଷା ନିର୍ଦେଶକ ଯାଞ୍ଚ କରି ପଦକ୍ଷେପ ନେବେ। ନୂତନ ପ୍ରଫେସନାଲ କଲେଜ ଖୋଲିବା, ବର୍ତମାନ ଥିବା କଲେଜରେ ପ୍ରଫେସନାଲ ପାଠ୍ୟକ୍ରମ ଖୋଲିବାକୁ ଅନୁମତି ଦିଆଯାଇଛି। ସଂସ୍କୃତ କଲେଜ, କୋର୍ଟରେ ପଡ଼ିରହିଥିବା ମାମଲା, ନୂତନ ଆଇନ କଲେଜ ଖୋଲିବା ପରି ବିଷୟ ଉପରେ ଆଲୋଚନା କରାଯାଇଛି।

ସମ୍ବନ୍ଧିତ ଖବର