ଆଗାମୀ ପିଢ଼ି ପାଇଁ ସହାୟକ ହେବ: ସାତ୍ତ୍ୱିକ ସ୍ୱାଇଁ

ବ୍ରାଣ୍ଡ୍‌ସ ଅଫ୍‌ ଓଡ଼ିଶା, ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ: ‘ସମ୍ବାଦ’ କର୍ପୋରେଟ୍‌ ଏକ୍ସଲେନ୍ସ ଆଓ୍ଵାର୍ଡ-୨୦୧୮

ବ୍ରାଣ୍ଡ୍‌ସ୍‌ ଅଫ୍‌ ଓଡ଼ିଶା, ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ: ‘ସମ୍ବାଦ’ କର୍ପୋରେଟ୍‌ ଏକ୍ସଲେନ୍ସ ଆଓ୍ଵାର୍ଡ-୨୦୧୮କୁ ନେଇ ରାଜ୍ୟର ଶିଳ୍ପୋଦ୍ୟୋଗୀଙ୍କ ମଧ୍ୟରେ ବିଶେଷ ଆଗ୍ରହ ଦେଖାଦେଇଛି। ‘ସମ୍ବାଦ’ର ଏହି ପ୍ରଚେଷ୍ଟା ରାଜ୍ୟରେ ଶିଳ୍ପ ପ୍ରତିଷ୍ଠାନ ଗୁଡ଼ିକ ମଧ୍ୟରେ ଉତ୍କର୍ଷ ହାସଲ ପାଇଁ ଏକ ପ୍ରତିଯୋଗିତା ବାତାବରଣ ସୃଷ୍ଟି କରିବ ବୋଲି ମତ ପ୍ରକାଶ ପାଉଛି। ଏ ସମ୍ପର୍କରେ ଓଡ଼ିଶା ଆସେମ୍ବଲି ଅଫ୍‌ ଏସ୍‌ଏମ୍‌ଇ (ଓଏଏସଏମ୍‌ଇ)ର ସାଧାରଣ ସମ୍ପାଦକ ସାତ୍ତ୍ୱିକ ସ୍ୱାଇଁଙ୍କ ମତକୁ ଏଠାରେ ଉପସ୍ଥାପନ କରାଯାଇଛି…

ଏହି ପୁରସ୍କାର ସମ୍ପର୍କରେ ଆପଣଙ୍କ ମତ କ’ଣ?
ରକ୍ତଦାନ ଶିବିରଠାରୁ ଆରମ୍ଭ କରି ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଧିତ କରିବା ପର୍ଯ୍ୟନ୍ତ ‘ସମ୍ବାଦ’ ଅନେକ କଲ୍ୟାଣମୂଳକ କାର୍ଯ୍ୟ କରୁଛି। ଏବେ ଏହି ସମ୍ବାଦପତ୍ର କର୍ପୋରେଟ୍‌ ସଂସ୍ଥାଗୁଡ଼ିକୁ ପୁରସ୍କୃତ କରିବାକୁ ଯାଉଛି, ଯାହା ଶିଖିତ ବେରୋଜଗାର ଯୁବକଯୁବତୀଙ୍କୁ ଉଦ୍ୟୋଗୀ ହେବା ପାଇଁ ଅନୁପ୍ରାଣିତ କରିବ। ଆଗାମୀ ପିଢ଼ି ପାଇଁ ବ୍ୟାପକ ଶିଳ୍ପାୟନ ସୃଷ୍ଟି କରିବାରେ ଏହି ପୁରସ୍କାର ସହାୟକ ହେବ।

ଏଭଳି ପୁରସ୍କାର ବର୍ତମାନ ସମୟର ଆବଶ୍ୟକତା ବୋଲି ଆପଣ ଭାବୁନାହାନ୍ତି କି?
ପୁରସ୍କାର ଓ ସମ୍ମାନ ସବୁ କ୍ଷେତ୍ରରେ ଉତ୍ତମ ବାତାବରଣ ସୃଷ୍ଟି କରିଥାଏ। ସମ୍ବାଦ ଭଳି ସମ୍ବାଦପତ୍ର ପକ୍ଷରୁ ପ୍ରଦାନ କରାଯିବାକୁ ଥିବା ଏହି ପୁରସ୍କାର ନିଶ୍ଚିତ ରୂପେ ରାଜ୍ୟରେ ଉତ୍ତମ ଶିଳ୍ପ ପରିବେଶ ସୃଷ୍ଟିରେ ସହାୟକ ହେବ।

ରାଜ୍ୟର ଶିଳ୍ପାୟନ ପ୍ରକ୍ରିୟାକୁ ନେଇ ଆପଣ ସନ୍ତୁଷ୍ଟ ଅଛନ୍ତି କି?
ଆଂଶିକ ଭାବେ ସନ୍ତୁଷ୍ଟ। ଶିଳ୍ପ ଅଭିବୃଦ୍ଧି ହାସଲ କରିବା ପାଇଁ ଆମ ରାଜ୍ୟରେ ସବୁ ପ୍ରକାର ସୁଯୋଗ ରହିଛି। ସରକାରଙ୍କ ଦ୍ୱାରା ଘୋଷଣା କରାଯାଇଥିବା ନୀତିଗୁଡ଼ିକ ଯଦି ଠିକ୍‌ ଭାବେ କାର୍ଯ୍ୟକାରୀ କରାଯାଇପାରିବ ତେବେ ଉଦ୍ୟୋଗୀମାନେ ଠିକ ସମୟରେ ଆବଶ୍ୟକ ଆର୍ଥିକ ସହାୟତା ହାସଲ କରିପାରିବେ। ସରକାରଙ୍କ ପକ୍ଷରୁ ଆବଶ୍ୟକ ମାର୍କେଟିଂ ସହାୟତା ଏବଂ ସହଯୋଗ ମିଳିଲେ ଓଡ଼ିଶା ଶିଳ୍ପ କ୍ଷେତ୍ରରେ ଏକ ନମ୍ବର ରାଜ୍ୟ ଭାବେ ଉଭା ହୋଇପାରିବ।

ରାଜ୍ୟର ଦ୍ରୁତ ଶିଳ୍ପାୟନ ପାଇଁ ଅଧିକ କ’ଣ କରାଯିବାର ଆବଶ୍ୟକତା ରହିଛି?
ତୃଣମୂଳ ସ୍ତରରେ ମାନସିକତାରେ ପରିବର୍ତ୍ତନ ଦରକାର। ଜମି ଆବଣ୍ଟନ ପାଇଁ ଲ୍ୟାଣ୍ଡ୍‌ ବ୍ୟାଙ୍କ ଗଠନ କରାଯାଇଛି। କିନ୍ତୁ ଏହା ଠିକ୍‌ ଭାବେ ଜମି ଆବଣ୍ଟନ କରିପାରୁନାହିଁ। ଫଳରେ ଉଦ୍ୟୋଗୀମାନେ ନିଜର ପ୍ରସ୍ତାବ ଫେରାଇ ନେଉଛନ୍ତି। ବ୍ୟାଙ୍କରୁ ପାଣ୍ଠି ହାସଲ କରିବା, କଞ୍ଚାମାଲ ଅଭାବ, ଚୂଡ଼ାନ୍ତ ଉତ୍ପାଦର ମାର୍କେଟିଂ ସୁବିଧା ଭଳି ଅନେକ ଅଭାବ ରହିଛି ଯାହା ଦୂର କରାଯିବା ଦରକାର।

ସରକାରଙ୍କଠାରୁ କେଉଁ କ୍ଷେତ୍ର ଅଧିକ ସହାୟତା ଆବଶ୍ୟକ କରୁଛି?
ସୂଚନା ପ୍ରଯୁକ୍ତି ଏବଂ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ର ପ୍ରତି ଗୁରୁତ୍ୱ ପ୍ରଦାନ କରାଯିବା ଉଚିତ। ଏହି ଦୁଇ କ୍ଷେତ୍ର ପାଇଁ ଅନେକ ଆକର୍ଷଣୀୟ ନୀତି ଘୋଷଣା କରାଯାଇଛି। ରାଜ୍ୟରେ ଶିଳ୍ପ ପାର୍କ, ପ୍ରଯୁକ୍ତି ପାର୍କ ଏବଂ ମେଗା ଫୁଡ୍‌ ପାର୍କ ସ୍ଥାପନ କରାଯାଉଛି। ଏହି ଦୁଇ କ୍ଷେତ୍ର ପ୍ରତି ବିଶେଷ ଗୁରୁତ୍ୱ ପ୍ରଦାନ କରାଯିବାର ଆବଶ୍ୟକତା ରହିଛି।

ଶିଳ୍ପାୟନ ପାଇଁ ଓଡ଼ିଶାରେ କେଉଁ କେଉଁ କ୍ଷେତ୍ରରେ ଅଧିକ ସୁଯୋଗ ରହିଛି?
ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଅନେକ ସୁଯୋଗ ରହିଛି।

ଏହି ପୁରସ୍କାର ନୂଆ ପିଢ଼ିଙ୍କୁ ଉଦ୍ୟୋଗ କ୍ଷେତ୍ରରେ ପ୍ରବେଶ ପାଇଁ ପ୍ରୋତ୍ସାହିତ କରିବ ବୋଲି ଭାବୁଛନ୍ତି କି?
ହଁ, ନିଶ୍ଚିତପକ୍ଷେ ଏହା ନୂଆ ପିଢ଼ିର ଉଦ୍ୟୋଗୀମାନଙ୍କୁ ଉତ୍ସାହିତ ଏବଂ ଅନୁପ୍ରାଣିତ କରିବ। ଏହା ଉଦ୍ୟୋଗୀମାନଙ୍କୁ ଅଧିକ କିଛି ଭଲ କରି ଦେଖାଇବା ପାଇଁ ଉତ୍ସାହିତ କରିବ।

ରାଜ୍ୟରେ ବ୍ୟାବସାୟିକ ବାତାବରଣରେ ଉନ୍ନତି ଆଣିବା ପାଇଁ ସରକାର କ’ଣ କରିବା ଉଚିତ?
ଏକ ସରଳ ଶିଳ୍ପ ନୀତି ଆସିବା ଦରକାର। ଏଭଳି ନୀତି ଆସିବା ଦରକାର ଯାହା ମାଧ୍ୟମରେ ଉଦ୍ୟୋଗୀମାନେ ସହଜରେ ଏବଂ ବିନା କୌଣସି ସମସ୍ୟାରେ କାରବାର କରିପାରିବେ। ଜମି ଉପଲବ୍ଧତା, ଉତ୍ତମ ଭିତ୍ତିଭୂମି, କଞ୍ଚାମାଲ, ବିଦ୍ୟୁତ ଓ ଯୋଗାଯୋଗ ଆବଶ୍ୟକତାକୁ ପୂରଣ କରିବାକୁ ହେବ।

ରାଜ୍ୟରେ ଶିଳ୍ପାୟନ ଠିକ୍‌ ଦିଗରେ ଆଗକୁ ବଢ଼ୁଛି କି? ଯଦି ନୁହେଁ, ଆଉ କ’ଣ କରିବା ଆବଶ୍ୟକ?
ନା ଶିଳ୍ପାୟନ ଠିକ ଦିଗରେ ଯାଉନାହିଁ। ସରକାର କେବଳ ବଡ଼ ସଂସ୍ଥାକୁ ଗୁରୁତ୍ୱ ଦେଉଛନ୍ତି। ଏସ୍‌ଏମ୍‌ଇଗୁଡ଼ିକୁ ଭୁଲି ଯାଇଛନ୍ତି। ବଡ଼ କଂପାନିଗୁଡ଼ିକ ତୁଳନାରେ ଏସ୍‌ଏମ୍‌ଇଗୁଡ଼ିକ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଛନ୍ତି। ସେମାନଙ୍କର ଉନ୍ନତି ପାଇଁ ସରକାର ଅଧିକ ଯତ୍ନବାନ ହେବା କଥା। ଏମ୍‌ଏସ୍‌ଏମ୍‌ଇ ବିଭାଗର ବଜେଟ୍‌ ପରିମାଣ ବଢ଼ାଇବା ଦରକାର।

ପୁରସ୍କାର ପାଇଁ କେମିତି ଆବେଦନ କରିବେ

www.sambadawards.in ଓ୍ଵବସାଇଟ୍‌ରୁ ଫର୍ମ ଡାଉନଲୋଡ୍‌ କରି ଏହି ପୁରସ୍କାର ପାଇଁ ଆବେଦନ କରିହେବ। ଅଧିକ ବିବରଣୀ ପାଇଁ ମୋବାଇଲ ନମ୍ବର ୯୮୬୧୦୯୪୧୭୪ କିମ୍ବା [email protected] ରେ ଯୋଗଯୋଗ କରାଯାଇପାରିବ।

ସମ୍ବନ୍ଧିତ ଖବର