‘ଓଡ଼ିଆ ଭାଷା ଓ ସାହିତ୍ୟର ନେତୃତ୍ଵ ନେବ ସମ୍ବାଦ ସାହିତ୍ୟ ଘର’
ମୟୂରଭଞ୍ଜ-ଝାଡ଼ଖଣ୍ଡ ସମ୍ବାଦ ସାହିତ୍ୟ ଘର ସମୂହର ବନ୍ଧୁ ମିଳନ
ବାରିପଦା : ‘ସମ୍ବାଦ ସାହିତ୍ୟ ଘର’ ଓଡ଼ିଆ ଭାଷା ଓ ସାହିତ୍ୟର ନେତୃତ୍ଵ ନେବ। ଓଡ଼ିଶା ଓ ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ଭାଷାର ସୁରକ୍ଷା ପାଇଁ ‘ସମ୍ବାଦ ସାହିତ୍ୟ ଘର’ ଜାଗ୍ରତ ପ୍ରହରୀ ଭାବେ କାର୍ଯ୍ୟ କରିବ ବୋଲି ଆଜି ବାରିପଦାଠାରେ ‘ସମ୍ବାଦ ସାହିତ୍ୟ ଘର’ର ରାଜ୍ୟ ସଂଯୋଜିକା ଡ. ଶୁଭଶ୍ରୀ ଲେଙ୍କା ପ୍ରକାଶ କରିଛନ୍ତି। ବାରିପଦାସ୍ଥିତ ପାଲବଣିଠାରେ ଥିବା ଫରେଷ୍ଟ ଡାକବଙ୍ଗଳା ପରିସରରେ ମୟୂରଭଞ୍ଜ ଜିଲ୍ଲା ଓ ଝାଡ଼ଖଣ୍ଡର ଓଡ଼ିଆ ବିଚ୍ଛିନ୍ନାଞ୍ଚଳରେ ଥିବା ‘ସମ୍ବାଦ ସାହିତ୍ୟ ଘର’ ସମୂହର କର୍ମକର୍ତ୍ତାଙ୍କୁ ନେଇ ଆୟୋଜିତ ଶାରଦୀୟ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡ. ଲେଙ୍କା ଆଗାମୀ ଦିନରେ ରାଜ୍ୟର କିଛି ଜିଲ୍ଲାକୁ ନେଇ ଗଠିତ ଜୋନ୍ ସ୍ତରରେ ବାର୍ଷିକ କାର୍ଯ୍ୟକ୍ରମ କରାଯିବା ସହ ଜିଲ୍ଲା ଓ ବ୍ଲକ୍ସ୍ତରରେ ବାର୍ଷିକ ଉତ୍ସବର ଆୟୋଜନକୁ ଅଧିକ ତ୍ଵରାନ୍ଵିତ କରାଯିବ।
Sambad is now on WhatsApp
Join and get latest news updates delivered to you via WhatsApp
ସେହିଭଳି ସାହିତ୍ୟ ଘର ଏବଂ ସଦସ୍ୟଙ୍କ ସଂପର୍କରେ ପ୍ରାମାଣିକ ତଥ୍ୟ ସମ୍ବଳିତ ପୁସ୍ତିକା ପ୍ରକାଶନ ସହିତ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗରେ ବସବାସ କରୁଥିବା ବିଛିନ୍ନାଞ୍ଚଳ ଓଡ଼ିଆଙ୍କ ପାଇଁ କାର୍ଯ୍ୟକ୍ରମ ଜାରି ରଖିବାକୁ ଆହ୍ଵାନ ଜଣାଇଥିଲେ। କାର୍ଯ୍ୟକ୍ରମ ଆରଂଭରେ ଝାଡ଼ଖଣ୍ଡର ଖଣ୍ଡାମୌଦା, ଗୁହିଆପାଳ ଏବଂ ଶାସନ ଶାଖାର ସଦସ୍ୟମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ରାଇରଙ୍ଗପୁର ସମ୍ବାଦ ସାହିତ୍ୟ ଘରର ସଂପାଦକ ଡ. ଦିଗମ୍ବର ଗିରି ସ୍କୁଲ୍ କଲେଜ ଛାତ୍ରଛାତ୍ରୀଙ୍କୁ ସାହିତ୍ୟ ଘରେ ସାମିଲ୍ କରିବା ନେଇ ମତ ରଖିଥିଲେ। ଶ୍ୟାମାଖୁଣ୍ଟା ଶାଖା ପକ୍ଷରୁ ବରିଷ୍ଠ ସଭ୍ୟା ବୀଣା ଦାସ, ସଂପାଦକ ସମରେନ୍ଦ୍ର ବଶା, ଉପଦେଷ୍ଟା ଅମିତାଭ ମିଶ୍ର ଓ ବିଭିନ୍ନ ସାହିତ୍ୟ ଘର ଶାଖାର କର୍ମକର୍ତ୍ତା ଓ ପ୍ରତିନିଧିମାନେ ବିଭିନ୍ନ ପ୍ରସ୍ତାବ ଦେଇଥିଲେ।
ଏହି ଅବସରରେ ପଶ୍ଚିମବଙ୍ଗର ଗୋପୀବଲ୍ଲଭପୁରରେ ଏକ ନୂତନ ସମ୍ବାଦ ସାହିତ୍ୟ ଘର ପ୍ରତିଷ୍ଠା କରାଯିବା ନେଇ ଗୋପାଳ ଚନ୍ଦ୍ର ସାଓ, ସନାତନ ଦାସ, ଅନୁପ କୁମାର କର ପ୍ରମୁଖ ଡ. ଲେଙ୍କାଙ୍କ ସହ ଆଲୋଚନା କରିଥିଲେ। ଏଥିସହ ଏକ କବିତା ପାଠୋତ୍ସବ ଆୟୋଜିତ ହୋଇଥିଲା।