ହାଇକୋର୍ଟ ବେଞ୍ଚ ପ୍ରସଂଗ : ଅର୍ଥମନ୍ତ୍ରୀଙ୍କୁ ବିରୋଧ, କଳା ପତାକାଧାରୀ ୧୩୪ ଓକିଲ ଗିରଫ

ସମ୍ବଲପୁର : ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ଦାବି ନେଇ ସରକାରଙ୍କ ନିରବତାର ପ୍ରତିବାଦସ୍ୱରୁପ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ଗସ୍ତକୁ ବିରୋଧ କରିଛି ସମ୍ବଲପୁର ଜିଲ୍ଲା ଓକିଲ ସଂଘ। ଅର୍ଥମନ୍ତ୍ରୀଙ୍କୁ କଳାପତାକା ଦେଖାଇବା ପାଇଁ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଅଭିମୁଖେ ଯାଉଥିବା ବେଳେ ୧୩୪ଜଣ ଓକିଲଙ୍କୁ ପୁଲିସ ଗିରଫ କରି ନେଇଥିଲା।

ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ପାଇଁ ବହୁ ବର୍ଷରୁ ପଶ୍ଚିମ ଓଡ଼ିଶାବାସୀ ଆନ୍ଦୋଳନ କରୁଛନ୍ତି। ତେବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହି ପ୍ରସଂଗରେ ନକରାତ୍ମକ ମନୋଭାବ ପୋଷଣ କରୁଥିବାରୁ ମନ୍ତ୍ରୀମାନଙ୍କ ସମ୍ବଲପୁର ଗସ୍ତକୁ ବିରୋଧ ପାଇଁ ଜିଲ୍ଲା ଓକିଲ ସଂଘର ସାଧାରଣ ପରିଷଦ ବୈଠକରେ ନିଷ୍ପତ୍ତି ହୋଇଥିଲା। ଜିଏମ କଲେଜ ପ୍ଲାଟିନମ୍‌ ଜୁବିଲିର ଉଦ୍‌ଘାଟନୀ ସମାରୋହରେ ସାମିଲ ହେବା ପାଇଁ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ସମ୍ବଲପୁର ଗସ୍ତକୁ ବିରୋଧ କରିବାକୁ ଓକିଲ ସଂଘ ଯୋଜନା କରିଥିଲା। ଶନିବାର ଓକିଲ ସଂଘର ସଭାପତି ବିଜିତେନ୍ଦ୍ରୀୟ ପ୍ରଧାନ, ଓକିଲ ସଂଘ କ୍ରିୟାନୁଷ୍ଠାନ କମିଟିର ଅଧ୍ୟକ୍ଷ ପ୍ରଦୀପ ବହିଦାରଙ୍କ ନେତୃତ୍ୱରେ ଓକିଲମାନେ ମୁଣ୍ଡରେ ହାଇକୋର୍ଟ ବେଞ୍ଚ ଦାବି ଲେଖାଥିବା କଳାପଟି ବାନ୍ଧି ଓ ହାତରେ କଳା ପତାକା ଧରି ଜିଏମ୍‌ ବିଶ୍ୱବିଦ୍ୟାଳୟ ଅଭିମୁଖେ ପଦଯାତ୍ରାରେ ଯାଉଥିଲେ। ତେବେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ପୁଲିସ୍‌ ଓକିଲମାନଙ୍କୁ ଗିରଫ କରି ନେଇଥିଲା। ଓକିଲଙ୍କ ଆନ୍ଦୋଳନ ଯୋଗୁଁ ଅର୍ଥମନ୍ତ୍ରୀ କାର୍ଯ୍ୟକ୍ରମସ୍ଥଳକୁ ପହଂଚିବାରେ ଘଣ୍ଟାଏ ବିଳମ୍ବ ହୋଇଥିଲା। ପୁଲିସର ଏହି କାର୍ଯ୍ୟାନୁଷ୍ଠାନକୁ ଅଗଣତାନ୍ତ୍ରିକ ବୋଲି ସଂଘର ସଭାପତି ବିଜିତେନ୍ଦ୍ରୀୟ ପ୍ରଧାନ କହିଛନ୍ତି। ଦାବି ପୂରଣ ପାଇଁ ପଦକ୍ଷେପ ନିଆନଯିବା ପର୍ଯ୍ୟନ୍ତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମନ୍ତ୍ରୀମାନଙ୍କୁ ଏଭଳି ବିରୋଧ କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର