ଏସ୍ସିବି ସମାବର୍ତ୍ତନ ଉତ୍ସବ ନେଇ ବିବାଦ ବଢ଼ୁଛି
ସ୍ୱାସ୍ଥ୍ୟ ବିଭାଗ, କୁଳପତିଙ୍କୁ ରିପୋର୍ଟ ତଲବ କରିବ କୁଳାଧିପତିଙ୍କ କାର୍ଯ୍ୟାଳୟ, ଆଜି ବିଧାନସଭାରେ ବିବୃତି ରଖିପାରନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ
ଭୁବନେଶ୍ୱର : ଏସ୍ସିବି ମେଡିକାଲ କଲେଜର ସମାବର୍ତ୍ତନ ଉତ୍ସବକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଏହି ଉତ୍ସବକୁ ବିଦାୟକାଳୀନ ସମାରୋହର ଆଖ୍ୟା ଦେଇ କର୍ତ୍ତୃପକ୍ଷ ଦୋଷ ଘୋଡ଼ାଇବାକୁ ଚେଷ୍ଟା କରୁଥିଲା ବେଳେ ଚର୍ଚ୍ଚା ଥମୁ ନାହିଁ। କୁଳାଧିପତିଙ୍କ କାର୍ଯ୍ୟାଳୟ ଏ ନେଇ ଭୀଷଣ କ୍ଷୁବ୍ଧ ଥିବା ଜଣାପଡ଼ିଛି। ସ୍ୱାସ୍ଥ୍ୟ ବିଭାଗ ଓ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ କୁଳାଧିପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ରିପୋର୍ଟ ତଲବ ପାଇଁ ପ୍ରସ୍ତୁତି ଚାଲିଛି। କେଉଁ ପରିସ୍ଥିତିରେ ଏହି ଉତ୍ସବ ଆୟୋଜନ ହେଲା, ସେ ନେଇ କୁଳାଧିପତିଙ୍କ ଅବଗତି ନିମନ୍ତେ ଏହି ରିପୋର୍ଟ ତଲବ କରାଯାଉଥିବା ସୂଚନା ମିଳିଛି। ଅପରପକ୍ଷରେ ଆସନ୍ତାକାଲି ବିଧାନସଭାରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଏ ସଂକ୍ରାନ୍ତରେ ବିବୃତି ଦେଇପାରନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
କୁଳାଧିପତିଙ୍କୁ ନ ଜଣାଇ ଏକ ଅନୁଷ୍ଠାନର ସମାବର୍ତ୍ତନ ଉତ୍ସବ ଆୟୋଜନ କରାଯିବା ବେଆଇନ୍ କାର୍ଯ୍ୟ। କିନ୍ତୁ ଏସ୍ସିବି ମେଡିକାଲ କଲେଜରେ କୁଳାଧିପତିଙ୍କ ବିନା ଅନୁମତିରେ ଏକ ସମାବର୍ତ୍ତନ ଉତ୍ସବର ଆୟୋଜନ କରାଯାଇ ହାଉସ୍ ସର୍ଜନ ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କୁ ମେଡାଲ ଓ ସାର୍ଟିଫିକେଟ୍ ପ୍ରଦାନ କରାଯାଇଥିଲା। ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇ ବିରୋଧୀ ଦଳମାନେ ହୋହଲ୍ଲା କରି ରାଜ୍ୟ ସରକାରଙ୍କ ଠାରୁ ଜବାବ ମାଗିଥିଲେ। ବିବାଦ ବଢ଼ୁଥିବା ଦେଖି ଏସ୍ସିବି କର୍ତ୍ତୃପକ୍ଷ ସଫେଇ ଦେଇଛନ୍ତି ଯେ ଉତ୍ସବ ସହ ମେଡିକାଲ କଲେଜର କୌଣସି ସମ୍ପର୍କ ନ ଥିଲା। ହାଉସ୍ ସର୍ଜନ ଆସୋସିଏସନ୍ ଖର୍ଚ୍ଚରେ ଏହାର ଆୟୋଜନ କରାଯାଇଥିଲା। ଏହା ସମାବର୍ତ୍ତନ ଉତ୍ସବ ନ ଥିଲା, କେବଳ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ଥିଲା।
ତେବେ କର୍ତ୍ତୃପକ୍ଷଙ୍କ ଏପରି ସଫେଇ ବିଭିନ୍ନ ମହଲରେ ଆଦୌ ଗ୍ରହଣୀୟ ହୋଇ ନାହିଁ। ଏସ୍ସିବି ମେଡିକାଲ କଲେଜରେ ଏପରି ଉତ୍ସବ କେବେ ପୂର୍ବରୁ ଆୟୋଜନ ହୋଇଥିଲା କି ବୋଲି ପ୍ରଶ୍ନ ଉଠିଛି। ସମାବର୍ତ୍ତନ ଉତ୍ସବ ପରି ଗାଉନ୍ ପରିଧାନ କରି ମେଡାଲ୍ ଓ ସାର୍ଟିଫିକେଟ୍ ପ୍ରଦାନ କଲା ପରେ ତାହାକୁ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବର ଆଖ୍ୟା ଦେଇ କର୍ତ୍ତୃପକ୍ଷ ଦୋଷ ଘୋଡ଼ାଇବାକୁ ଚେଷ୍ଟା କରୁଛନ୍ତି ବୋଲି ଅଭିଯୋଗ ହେଉଛି।
ପୁଣି ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ଏହି ଉତ୍ସବରେ ଯୋଗ ଦେବା ବି ବିଭିନ୍ନ ମହଲକୁ ଚକିତ କରିଛି। ଦୁଇ ବର୍ଷ ହେଲା ଉତ୍କଳ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ ଆୟୋଜନ ହୋଇପାରୁ ନ ଥିଲା ବେଳେ ଏହି ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ଏକ କଲେଜର ସମାବର୍ତ୍ତନ ଉତ୍ସବ ମଞ୍ଚରେ ବସି କୁଳପତି କିପରି ମେଡାଲ ଓ ସାର୍ଟିଫିକେଟ୍ ବାଣ୍ଟିଲେ, ତାହାକୁ ନେଇ ଶିକ୍ଷାବିତ୍ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଉତ୍ସବ ଆୟୋଜନ ଓ କୁଳପତିଙ୍କ ଯୋଗଦାନ ନେଇ କୁଳାଧିପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଦିନେ ଦୁଇ ଦିନ ଭିତରେ ଏ ସମ୍ପର୍କରେ ରିପୋର୍ଟ ତଲବ ହେବ ବୋଲି ସୂଚନା ମିଳିଛି। ସେହିପରି ଆସନ୍ତାକାଲି ବିଧାନସଭାରେ ସ୍ୱାସ୍ଥ୍ୟ ମନ୍ତ୍ରୀ କି ବିବୃତି ଦେଉଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି।