ଅସ୍ତ୍ରୋପଚାର ଗୃହରେ ଡାକ୍ତରାଣୀଙ୍କ ସେଲ୍‌ଫି

ତଦନ୍ତ ନିର୍ଦ୍ଦେଶ ଦେଲେ ସିଡିଏମଓ

ଜୟପୁର : ଅସ୍ତ୍ରୋପଚାର ଗୃହରେ ନିସ୍ତେଜ ହୋଇ ପଡ଼ିରହିଥିଲେ ରୋଗୀ। ଡାକ୍ତର ଏବଂ ସହଯୋଗୀ ମିଶି କରୁଥିଲେ ଅସ୍ତ୍ରୋପଚାର। କିନ୍ତୁ ଜଣେ ମହିଳା ଡାକ୍ତର ନିଜ ଦାୟିତ୍ବକୁ ଭୁଲି ସେଲ୍‌ଫି ନେବାରେ ବ୍ୟସ୍ତ ଥିଲେ। କେବଳ ଏତିକି ନୁହେଁ, ପରବର୍ତୀ ସମୟରେ ଏହି ସେଲ୍‌ଫିକୁ ସେ ସୋସିଆଲ ମିଡିଆରେ ବି ପୋଷ୍ଟ କରିବାକୁ ପଛାଇ ନଥିଲେ। ନିକଟ ଅତୀତରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମାନ୍ୟତା ପାଇଥିବା ଜୟପୁର ମେଡିକାଲରେ ଏଭଳି ଏକ ନିନ୍ଦନୀୟ ଘଟଣା ଘଟିଛି। ଯାହାକୁ ନେଇ ଜୟପୁର ସହରରେ ନାନା ଚର୍ଚ୍ଚା ଆରମ୍ଭ ହୋଇଛି।

ସୂଚନା ଅନୁଯାୟୀ, ପ୍ରସବ ପାଇଁ ଆଜି ଜଣେ ଗର୍ଭବତୀଙ୍କୁ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅସ୍ତ୍ରୋପଚାର କକ୍ଷରେ ଭର୍ତି କରାଯାଇଥିଲା। ଡାକ୍ତର ଡି.ବି. ତ୍ରିପାଠୀ, ଡାକ୍ତର ଆଶିଷ ପାଣିଗ୍ରାହୀ, ଡାକ୍ତର ସାଧନା ଦାସ ଏବଂ ଡାକ୍ତର ସସ୍ମିତା ଦାସ ଅସ୍ତ୍ରୋପଚାର ପାଇଁ ପ୍ରସ୍ତୁତ ହୋଇ କକ୍ଷକୁ ଯାଇଥିଲେ। ତେବେ ଅସ୍ତ୍ରୋପଚାର ଚାଲିଥିବା ବେଳେ ମୋବାଇଲ ନେଇ ଭିତରକୁ ଯାଇଥିବା ଡାକ୍ତର ସସ୍ମିତା ଦାସ ନିଜ ପ୍ରଥମ କାମକୁ ଭୁଲି ଯାଇଥିଲେ। ରୋଗୀଙ୍କ ଚିକିତ୍ସା କରିବା ପରିବର୍ତେ ‌ସେଲ୍‌ଫି ନେବାରେ ବ୍ୟସ୍ତ ରହିଥିଲେ। ଅସ୍ତ୍ରୋପଚାର କକ୍ଷ ପାଇଁ କିଛି ନିୟମ ଏବଂ କଟକଣା ରହିଥିବାବେଳେ ତାହାକୁ ଉଲ୍ଲଂଘନ କରି ସେଲ୍‌ଫି ନେଇଥିଲେ।

ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସିଡିଏମଓ ଲଳିତ ମୋହନ ରଥ କହିଛନ୍ତି ଯେ, କୌଣସି ପରିସ୍ଥିତିରେ ଓଟି ଭିତରେ ସେଲ୍‌ଫି ନେବା ଭୁଲ। ଏହାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ରିପୋର୍ଟ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କ‌ରାଯିବ।

ସମ୍ବନ୍ଧିତ ଖବର