ଢେଙ୍କାନାଳ ‌ସେଲ୍‌ଟର୍ ହୋମ୍‌ରେ ‌ଯୌନ ନିର୍ଯାତନା : ଜାଣିପାରିଲେନି, ଏବେ ଚେତିଲେ

ସାରା ରାଜ୍ୟରେ ହେବ ଚଢ଼ଉ

ଢେଙ୍କାନାଳ/ଭୁବନେଶ୍ବର : ଢେଙ୍କାନାଳରେ ‘ଗୁଡ୍‌ ନିୟୁଜ୍‌ ଇଣ୍ତିଆ ଡ୍ରିମ୍‌ସ ସେଣ୍ଟର୍’ ପକ୍ଷରୁ ପରିଚାଳିତ ସେଲ୍‌ଟର ହୋମ୍‌ ବା ଶିଶୁଗୃହରେ ଅନ୍ତେବାସିନୀମାନଙ୍କୁ ଅସଦାଚରଣ ଅଭିଯୋଗ ସାଂଘାତିକ ରୂପ ନେଲାଣି। ଏହି ଅନୁଷ୍ଠାନ ବେଆଇନ୍ ଭାବେ ଚାଲିଥିଲା ବେ‌ାଲି ଖୋଦ୍ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଆଜି ସ୍ପଷ୍ଟ କରିଛନ୍ତି। କେବଳ ‌େଢଙ୍କାନାଳ ନୁହେଁ, ଏହି ସଂସ୍ଥା ବିଭିନ୍ନ ସ୍ଥାନରେ ଚଳାଉଥିବା ୨୦ଟି ସେଲ୍‌ଟର୍ ‌େହାମ୍ ବେଆଇନ୍ ବୋଲି ମନ୍ତ୍ରୀ ଇଙ୍ଗିତ କରିଛନ୍ତି। ବର୍ଷାଧିକ କାଳ ଜିଲ୍ଲା ପ୍ରଶାସନର ନାକ ତଳେ କିପରି ବେଆଇନ୍ ଭାବେ ଏପରି ସମ୍ବେଦନଶୀଳ ସଂସ୍ଥା ଚାଲୁଥିଲା, ତାହା ବର୍ତ୍ତମାନ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଆଉ ରାଜ୍ୟ ସରକାର କିପରି ଆଗୁଆ ପଦକ୍ଷେପ ନେଇ ନ ଥିଲେ, ତାହା ବି ସନ୍ଦେହଜନକ ହୋଇପଡ଼ିଛି।

ଢେଙ୍କାନାଳ ସହରଠାରୁ ମାତ୍ର ୧୫ କିମି ଦୂରରେ ବେଲ୍‌ଟିକିରିଠାରେ ଏହି ସେଲଟର୍‌ହୋମ୍‌ ଅବସ୍ଥିତ। ସେଲ୍‌ଟର ହୋମର ଡ. ଫାୟାଜ ରେହେମାନ ଏବ˚ ପ୍ରକଳ୍ପ ନିର୍ଦେଶକ ତଥା ଇନ‌୍ଚାର୍ଜ ସୀମାଞ୍ଚଳ ନାଏକ ଏବ˚ ବାହାରୁ ଆସୁଥିବା କିଛି ବିଦେଶୀ ଛାତ୍ରୀମାନଙ୍କୁ ଅସଦାଚରଣ କରୁଥିବା ନେଇ ସଙ୍ଗୀନ ଅଭିଯୋଗ ଆସିଛି। ସେଲ୍‌ଟର୍‌ ‌େହାମ୍‌ର ଛାତ୍ରୀମାନେ ଏ ନେଇ ପୃଥକ୍‌ ଅଭିଯୋଗ କରିଛନ୍ତି।

ଏହି ଘଟଣା ଜଣାପଡ଼ିବା ପରେ କେବଳ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ନୁହେଁ, ସାରା ରାଜ୍ୟରେ ତୀବ୍ର ଆ‌େଲାଡ଼ନ ସୃଷ୍ଟି ହୋଇଛି। ଏଥିସହିତ, ଏହି ଅନୁଷ୍ଠାନର ଗୁମର ଧୀରେଧୀରେ ଫିଟିବାରେ ଲାଗିଛି। କିଛି ଲୋକ ଅଭିଯୋଗ କରିଛନ୍ତି ଯେ, ଢେଙ୍କାନାଳ ସହରରେ ଏହି ଅନୁଷ୍ଠାନ ପୂର୍ବରୁ ଚାଲିଥିଲାବେଳେ ମଧ୍ୟ ଅସଦାଚରଣ ଅଭିଯୋଗ ଆସିଥିଲା। ସେତେବେଳେ ଜେ.ଜେ. ଆକ୍ଟ ଅନୁଯାୟୀ ପଞ୍ଜୀକୃତ ହୋଇ ନ ଥିବାରୁ ଅନୁଷ୍ଠାନକୁ ବନ୍ଦ କରିଦିଆଯାଇ ଘଟଣାକୁ ଚପାଇ ଦିଆଯାଇଥିଲା। ସେହିଭଳି, ଦୁଇ ଏକରରୁ ଉର୍ଧ୍ବ ଜମିରେ ପ୍ରଶାସନ ଆଖିରେ ଆଙ୍ଗୁଠି ମାରି କିଭଳି ଅନୁଷ୍ଠାନଟି ଦେଢ଼ ବର୍ଷ ଧରି ବେଲ୍‌ଟିକିରିଠାରେ ଚାଲି ଆସିଛି ଏବ˚ ଜମି ମାଲିକ କେଉଁ ସ୍ବାର୍ଥରେ ସ˚ପୃକ୍ତ ସ˚ସ୍ଥାକୁ ଜମି ଦେଇଥିଲେ, ତାହାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି।

ଅନ୍ୟପକ୍ଷରେ, ଛୋଟଛୋଟ ପିଲାଙ୍କ ପ୍ରତି ଅସଦାଚରଣ ଭଳି ସମ୍ବେଦନଶୀଳ ଘଟଣା ପରେ କିଛିଦିନ ଧରି ଜାଣୁ ପାରୁନଥିବା ପ୍ରଶାସନ ହଠାତ୍‌ ‌େଚଇଁ ଉଠିଛି। ପୁଲିସ୍‌ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛି।

ଜିଲ୍ଲାପାଳ ନିଖିଲ ପୱନ କଲ୍ୟାଣଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅନୁରାଧା ଗୋସ୍ବାମୀ, ଅନୁଷ୍ଠାନର ଅଧ୍ୟକ୍ଷ ଡ. ରେହେମାନ ଏବ˚ ଇନଚାର୍ଜ ଶ୍ରୀ ନାଏକଙ୍କ ବିରୋଧରେ ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏନେଇ କେସ୍‌ ନମ୍ବର ୫୩୭/୧୮, ୩୫୪(ଏ) ଆଇପିସି, ପୋକ୍‌ସୋ ଆକ୍ଟରେ ମାମଲା ରୁଜୁ କରି ଗତକାଲି ରାତିରେ ଇନଚାର୍ଜ ଶ୍ରୀ ନାଏକ, ଅଧ୍ୟକ୍ଷ ଡ. ରେହେମାନ୍‌ଙ୍କୁ ପୁଲିସ ଉଠାଇ ଆଣି ସଦର ଥାନାରେ ଅଟକ ରଖି ପଚରାଉଚରା କରାଯାଉଥିବା ଏସ୍‌ଡିପିଓ ଶେଖ୍‌ ଅବଦୁଲ୍‌ କରିମ ସୂଚନା ଦେଇଛନ୍ତି।

ତେବେ, ଘଟଣା ଜଣାପଡ଼ିବା ପରେ ବେଲ୍‌ଟିକିରି ଅ˚ଚଳରେ ବ୍ୟାପକ ଉତ୍ତେଜନା ପ୍ରକାଶ ପାଇଥିଲା। ଅ˚ଚଳବାସୀ ସେଲ୍‌ଟର ହୋମ୍‌ ସମ୍ମୁଖରେ ଆଜି ନିଆଁ ଜାଳି ପ୍ରତିବାଦ ଜଣାଇଥିଲେ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଆଜି ସକାଳେ ସଦର ଉପଜିଲ୍ଲାପାଳ ପିତାମ୍ବର ସାମଲ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀମତୀ ଗୋସ୍ବାମୀ ଏବ˚ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିବା ସହ ଛାତ୍ରୀମାନଙ୍କ ସହ ଆଲୋଚନା କରିଥିଲେ।

ଜିଲ୍ଲାପାଳ ନିଖିଲ ପୱନ କଲ୍ୟାଣ ଘଟଣା ସ˚ପର୍କରେ କହିଛନ୍ତି ଯେ, ଏଭଳି ଗୁରୁତର ଅଭିଯୋଗ ମିଳିବା ପରେ ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ସମେତ ଏକ କମିଟି ଏହାର ତଦନ୍ତ କରୁଛନ୍ତି। ଅନୁଷ୍ଠାନର ଅନ୍ତେବାସୀଙ୍କୁ ଏବେ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷା ଦିଆଯିବାର ବ୍ୟବସ୍ଥା କରାଯାଇଛି ବୋଲି ସେ କହିଛନ୍ତି।

ଏହି ଘଟଣା ଉପରେ ପ୍ରତିକ୍ରିୟା ଦେଇ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଭୁବନେଶ୍ବରରେ ଗଣମାଧ୍ୟମକୁ କହିଛନ୍ତି‌, ରାଜ୍ୟରେ ୨୭୦ଟି ଚାଇଲ୍‌ଡ୍‌ କେୟାର ଅନୁଷ୍ଠାନ ଚାଲିଛି, ଯେଉଁମାନେ କି ଜେ ଜେ ଆକ୍ଟରେ ପଞ୍ଜୀକୃତ ହୋଇଛନ୍ତି। କିନ୍ତୁ ଏହି ସଂସ୍ଥାର ସେଲ୍‌ଟର୍ ହୋମ୍‌ ପଞ୍ଜୀକୃତ ହୋଇ ନାହିଁ। ସଂସ୍ଥାର କର୍ତ୍ତୃପକ୍ଷ ଅନୁମତି ପାଇଁ ଆବେଦନ କରିଥିଲେ। କିନ୍ତୁ ସେମାନେ ଆବଶ୍ୟକ ସର୍ତ୍ତାବଳୀ ପୂରଣ କରୁ ନଥିବାରୁ ଅନୁମତି ଦିଆଯାଇ ନ ଥିଲା। ସେମାନେ ବର୍ଷକ ତଳେ ଢେଙ୍କାନାଳରେ ଏହି ସେଲ୍‌ଟର୍ ହୋମ୍ ପ୍ରତିଷ୍ଠା କରିଥିଲେ। କର୍ତ୍ତୃପକ୍ଷଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ୬୨ ଜଣ ଅନ୍ତେବାସୀଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର