ଦୃଢ଼ମନା ଓଡ଼ିଶାର ଉଦାହରଣ ଶେଷ କିଷାନ: ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ୱର: ଶେଷ କିଷାନ ହେଉଛନ୍ତି ଜଣେ ୨୪ ବର୍ଷିଅ ଯୁବକ। ତାଙ୍କର ସଂଘର୍ଷମୟ ଯାତ୍ରା ଅନ୍ୟମାନଙ୍କ ପାଇଁ ପ୍ରେରଣା ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ନବୀନ କହିଛନ୍ତି, ଆଜି ଯଦି ବିଜୁବାବୁ ବଞ୍ଚିଥାନ୍ତେ, ତେବେ ସେ ନିଶ୍ଚିତ ଗର୍ବ ଅନୁଭବ କରୁଥାନ୍ତେ। ଶେଷଙ୍କୁ ବିଜୁବାବୁଙ୍କ ଦୃଢ଼ ଆତ୍ମବିଶ୍ୱାସ ଭରା ଓଡ଼ିଶାର ଉଜ୍ଜ୍ୱଳ ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।

ଦୃଢ଼ ଆତ୍ମପ୍ରତ୍ୟୟ, ସଂଘର୍ଷ ଓ ସଫଳତା ଯୋଗୁଁ ଆଜି ନିଜକୁ ଜଣେ ବୈଜ୍ଞାନିକ ଭାବରେ ଗଢ଼ି ପାରିଛନ୍ତି। ଆଉ ତାଙ୍କ ସଂଘର୍ଷ ଓ ସଫଳତାର କାହାଣୀ ଶୁଣିବା ପାଇଁ ସରକାରଙ୍କ ନଲେଜ୍‌ ହବ୍‌ କାର୍ଯ୍ୟକ୍ରମରେ ସଚିବାଳୟର ସମ୍ମିଳନୀ କକ୍ଷରେ ଉପସ୍ଥିତ ଥିଲେ ସ୍ୱୟଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟ ଶାସନ ସଚିବ, ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଗଣ ଏବଂ ବିଭିନ୍ନ ମହାବିଦ୍ୟାଳୟ, ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ସବୁ ଜିଲ୍ଲାର ଛାତ୍ରଛାତ୍ରୀ।

ପିଲାଟି ଦିନରୁ ମାଆଙ୍କୁ ହରାଇଥିଲେ ଶେଷ କିଷାନ। ସମ୍ବଲପୁରର ଏକ ଅଖ୍ୟାତ ଗାଁର ଆଦିବାସୀ ପରିବାରରେ ସେ ଜନ୍ମ ନେଇଥିଲେ। ପଖାଳ ଓ ଆମ୍ବୁଲ ତାଙ୍କର  ସବୁଦିନିଆ ଖାଦ୍ୟ ଥିଲା। ଆଉ ଖାଇବା ବେଳେ ବାପାଙ୍କ ସବୁଦିନ ସେହି ଏକାକଥା – ଯଦି ଏ ପଖାଳ ଓ ଆମ୍ବୁଲର ଚକ୍ରବ୍ୟୁହରୁ ମୁକ୍ତି ପାଇବାକୁ ଚାହୁଁ, ତେବେ ଭଲ ପାଠ ପଢ଼। ବାପାଙ୍କର ଏହି କଥା ତାଙ୍କ ପାଇଁ ସବୁଠାରୁ ବଡ଼ ପ୍ରେରଣାଦାୟୀ ଥିଲା।  କେନ୍ଦୁପତ୍ର ଫଡି ଠାରୁ ମାଟି କାମ ପର୍ଯ୍ୟନ୍ତ ସବୁ କାମ ତାଙ୍କୁ କରିବାକୁ ପଡ଼ିଥିଲା। ପାଠ ପଢ଼ିବାକୁ, ପରିବାରର ଗୁଜୁରାଣ ମେଣ୍ଟାଇବାକୁ ଓ ଅସୁସ୍ଥ ବାପାଙ୍କ ଚିକିତ୍ସା ଖର୍ଚ୍ଚ ଉଠାଇବାକୁ ପଡୁଥିଲା।

ଦୃଢ଼ ଇଚ୍ଛାଶକ୍ତି, ପ୍ରଚଣ୍ଡ ଆତ୍ମବିଶ୍ୱାସ ଓ କଠୋର ପରିଶ୍ରମ ଥିଲା ତାଙ୍କର ସମ୍ପତ୍ତି। ଏହାରି ବଳରେ ହିଁ ସେ ନବୋଦୟ ବିଦ୍ୟାଳୟରେ ସ୍ଥାନ ହାସଲ କରିପାରିଥିଲେ। କିଷାନଙ୍କ ଭାଷାରେ ‘ଛଡ଼ାଇ ଆଣିଥିଲି’। ନବୋଦୟରେ ମଧ୍ୟ ସେହି ସଂଘର୍ଷ। ସାଙ୍ଗମାନେ ଶୋଇବା ପରେ ରାତି ୧୧ଟା ପରେ ମହମବତୀ ଜାଳି ସାଙ୍ଗମାନଙ୍କ ରେଫରେନସ୍‌ ବହି ପଢ଼ିବା, ମାଟ୍ରିକ୍‌ ଓ ଯୁକ୍ତ ୨ ବିଜ୍ଞାନରେ ସଫଳତାର ସହ ଉର୍ତ୍ତୀର୍ଣ୍ଣ ହେବା, ନାଇଜର୍‌ରେ ପ୍ରଥମ ଥର ଉଦ୍ୟମରେ ଦେଶର ଶ୍ରେଷ୍ଠ ୬୦ ତାଲିକାରେ ସ୍ଥାନ ପାଇବା ତାଙ୍କ ସଂକଳ୍ପକୁ ଆହୁରି ଦୃଢ଼ କରିଥିଲା। କିନ୍ତୁ ସେହି ବର୍ଷ(୨୦୧୨) ବାପାଙ୍କ ଦେହାନ୍ତ ତାଙ୍କ ସ୍ୱପ୍ନକୁ ଗଭୀର ଆଘାତ ଦେଇଥିଲା। ସଂଘର୍ଷକୁ ଜୀବନର ଆଧାର କରିଥିବା ଶେଷ କିନ୍ତୁ ହାରି ନଥିଲେ। ବର୍ଷ ୨୦୧୩ରେ ନାଇଜରରେ ପୂର୍ବଥର ଅପେକ୍ଷା ଆହୁରି ଭଲ ର‍୍ୟାଙ୍କ ଆଣି ନାମ ଲେଖାଇଥିଲେ।

ଶେଷ କିଷାନ ନାଇଜରରେ ଦିନସାରା କେବଳ ଗଜାମୁଗ ଖାଇ ପଇସା ସଞ୍ଚୟ କରି ପାଠ ପଢ଼ିବା ସହିତ ନିଜ ଭଉଣୀର ହୃଦରୋଗ ଚିକିତ୍ସା ଭାର ନିଜେ ବହନ କରିଥିଲେ। ସେମିଷ୍ଟାର ପରୀକ୍ଷା ସମୟରେ ୨ ଥର ମସ୍ତିଷ୍କ ମ୍ୟାଲେରିଆରେ ଶିକାର ହୋଇ ମଧ୍ୟ ଟପ୍ପର ହୋଇଥିଲେ। ଶେଷ କିଷାନ ଆଜି ଜର୍ମାନୀରେ ଜଣେ ବୈଜ୍ଞାନିକ ଭାବରେ କାର୍ଯ୍ୟରତ।

ସମ୍ବନ୍ଧିତ ଖବର