ପାଳି ଖଟିଲେନି ନିଲମ୍ବିତ ସିଂହାରୀ ସେବକ

ପୁରୀ :ବିବାହ ପରେ ବିବାଦକୁ ଆସିଥିବା ସିଂହାରୀ ସେବାୟତଙ୍କୁ ନିଯୋଗରୁ ନିଲମ୍ବିତ କରାଯିବା ପରେ ପରିସ୍ଥିତି ଭିନ୍ନ ମୋଡ଼ ନେଇଛି। ନିଲମ୍ବିତ ସେବକଙ୍କର ଆଜି ପାଳିଥିବାରୁ ସମସ୍ତ ସେବକ ଜଗି ବସିଥିବା ଦେଖାଯାଇଛି। ହେଲେ ସମ୍ପୃକ୍ତ ସେବକ ନ ଆସି ତାଙ୍କର ପରିବାରର ଅନ୍ୟ ସଦସ୍ୟ ଆସିଛନ୍ତି। ଏଣୁ ଗର୍ଭଗୃହରେ କୌଣସି ସମସ୍ୟା ହୋଇ ନାହିଁ। ଆଜି ତାଙ୍କର ସପ୍ତମଙ୍ଗଳା ଥିବାରୁ ସେ ଯାଇନଥିବା ‘ସମ୍ବାଦ’କୁ କହିଛନ୍ତି। ତେବେ ଆଗକୁ ସେ ପାଳି ଖଟିବେ ବୋଲି ସ୍ପଷ୍ଟ କରିଛନ୍ତି। ଯଦି ପରମ୍ପରା ଅଛି ତେବେ ସମସ୍ତଙ୍କ ପାଇଁ ରହୁ। ଆରମ୍ଭରୁ ଆଜି ପର୍ଯ୍ୟନ୍ତ ସମସ୍ତ ବିବାହର ତର୍ଜମା ହେଉ। ସମସ୍ତ ପ୍ରକାରର ଅଗ୍ନି ପରୀକ୍ଷା ଦେବାକୁ ମୁଁ ପ୍ରସ୍ତୁତ ଅଛି ବୋଲି ସେ କହିଛନ୍ତି। ସୂଚାଇ ଦିଆଯାଇପାରେ ଯେ ପୁଷ୍ପାଳକ ନିଯୋଗରେ ଥାଇ ସମ୍ପୃକ୍ତ ସିଂହାରୀ ସେବକ ଖୁରିଆ ନାହାକ ସେବକଙ୍କ କୂଳରେ ବିବାହ କରିଥିବାରୁ ତାଙ୍କୁ ପୁଷ୍ପାଳକ ନିଯୋଗ ନିଲମ୍ବିତ କରିଛି।

ଶ୍ରୀମନ୍ଦିରରେ ପଡ଼ି ଜଣେ ଗୁରୁତର

ପୁରୀ : ଶ୍ରୀମନ୍ଦିରକୁ ଦର୍ଶନ ଲାଗି ଆସିଥିବା ଜଣେ ଶ୍ରଦ୍ଧାଳୁ ତଳେ ପଡ଼ିଯାଇ ଗୁରୁତର ଆହତ ହୋଇଛନ୍ତି। ଖବର ନେବାରେ ଜଣାପଡ଼ିଛି ଯେ ଭୁବନେଶ୍ୱର ସହିଦ ନଗର ନିବାସୀ ତାରିଣୀ ପ୍ରସାଦ ଦାସ(୫୭) ଶ୍ରୀମନ୍ଦିରକୁ ଦର୍ଶନ ଲାଗି ଆସିଥିଲେ। ସେ ଅପରାହ୍ନ ପ୍ରାୟ ସାଢ଼େ ଦୁଇଟାରେ ଶ୍ରୀମନ୍ଦିର ପରିସରରେ ଦର୍ଶନ କରିବାକୁ ଯାଉଥିବା ବେଳେ ହଠାତ ତାଙ୍କ ମୁଣ୍ଡ ବୁଲାଇବାରୁ ତଳେ ପଡ଼ିଯାଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଚିକିତ୍ସା ଲାଗି ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତିି କରାଯାଇଛି।

ସମ୍ବନ୍ଧିତ ଖବର