ଭାଇର ଚାପୁଡ଼ା ନେଲା ଭଉଣୀ ଜୀବନ

ଖଡ଼ିଆଳ : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ନେହେନା ଗ୍ରାମରେ ଭାଇ ମୁଚୁକୁନ୍ଦ ଦଣ୍ଡସେନାଙ୍କ ଚାପୁଡ଼ା ମାଡ଼ରେ ଭଉଣୀ ଅଙ୍କିତା ଦଣ୍ଡସେନା (୧୪)ଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାକୁ ଲୁଚାଇ ପରିବାର ଲୋକେ ଶବସତ୍କାର କରି ଦେଇଥିଲେ। ଫଳରେ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ମୁଚକୁନ୍ଦଙ୍କୁ ଗିରଫ କରିଛି। ପରିବାରର ଅନ୍ୟ ୪ ଜଣଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରାଯାଉଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ନେହେନା ଗ୍ରାମରେ ରାମ ନବମୀ ଉପଲକ୍ଷେ ଗତ ୧୩ ତାରିଖ ଦିନ ନାମଯଜ୍ଞ ହେଉଥିଲା। ସନ୍ଧ୍ୟାରେ ଦୁର୍ବାରଞ୍ଜନ ଦଣ୍ଡସେନାଙ୍କ ଝିଅ ଅଙ୍କିତା ନାମଯଜ୍ଞ ଦେଖିଯିବାକୁ ତାଙ୍କ ଭାଇ ମୁଚୁକୁନ୍ଦ ନିକଟରେ ଜିଦ କରିଥିଲେ। ଏଥିରେ ମୁଚୁକୁନ୍ଦ ରାଗିଯାଇ ଜୋରରେ ଚାପୁଡ଼ା ମାରିଥିଲେ। ଅଙ୍କିତା ବେହୋସ ହୋଇ ଯିବାରୁ ମୁଚୁକୁନ୍ଦ ଡରିଯାଇ ତା‌ଙ୍କୁ ଗୋଟିଏ କୋଠରିରେ ବନ୍ଦ କରି ଦେଇଥିଲେ। ପରେ ପରିବାର ଲୋକେ ଘଟଣାକୁ ଲୁଚାଇ ଶବକୁ ନଦୀକୁ ନେଇ ସତ୍କାର କରି ଦେଇଥିଲେ। ପରେ ଲୋକଙ୍କ ମଧ୍ୟରେ ଆଲୋଚନା ହେବା ପରେ ସେହି ଗାଁର ଗଣେଶରାମ ବାଗ ଖଡ଼ିଆଳ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ହାଡ଼ ପାଉଁଶ ଜବତ କରି ମୁଖ୍ୟ ଅଭିଯୁକ୍ତ ମୁଚୁକୁନ୍ଦଙ୍କୁ ଗିରଫ କରିଥିଲା। ମୃତ ଅଙ୍କିତାଙ୍କ ବାପା ଦୁର୍ବାରଞ୍ଜନ, ସଂପର୍କୀୟ ନରେଶ ଦଣ୍ଡସେନା, ବୋଧନକର ଦଣ୍ଡସେନା, ସୁରେଶ ଦଣ୍ଡସେନାଙ୍କୁ ଥାନାର ଅଟକ ରଖି ପଚରା ଉଚରା ଜାରି ରହିଛି।

ସମ୍ବନ୍ଧିତ ଖବର