‘ଗାନ୍ଧୀ ଶାନ୍ତି କେନ୍ଦ୍ର’ରେ ରହିଛି ଗାନ୍ଧୀଜୀଙ୍କ ସମ୍ପର୍କିତ ୬ଟି ପ୍ରଦର୍ଶନୀ କକ୍ଷ

ପ୍ରତ୍ୟେକ କକ୍ଷରେ ଡିଜିଟାଲ ପରଦା ଜରିଆରେ ଗାନ୍ଧୀଜୀଙ୍କ ସମ୍ପର୍କିତ କଥା ଓଡ଼ିଆ, ହିନ୍ଦୀ ଓ ଇଂରାଜୀରେ ଜାଣିବାର ସୁଯୋଗ ମିଳୁଛି

ଭୁବନେଶ୍ବର : ‘ଗାନ୍ଧୀ ଶାନ୍ତି କେନ୍ଦ୍ର’କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଉଦ୍‌ଘାଟନ କରିଛନ୍ତି। ଗାନ୍ଧୀଜୀଙ୍କ ସମ୍ପର୍କିତ ୬ଟି ପ୍ରଦର୍ଶନୀ କକ୍ଷ ଏହା ମଧ୍ୟରେ ରହିଛି। ପ୍ରତ୍ୟେକ କକ୍ଷରେ ଡିଜିଟାଲ ପରଦା ଜରିଆରେ ଗାନ୍ଧୀଜୀଙ୍କ ସମ୍ପର୍କିତ କଥା ଓଡ଼ିଆ, ହିନ୍ଦୀ ଓ ଇଂରାଜୀରେ ଜାଣିବାର ସୁଯୋଗ ମିଳୁଛି। ଏହି ପରିସରରେ ଅହିଂସା ଗ୍ୟାଲେରି, ଏକବିଂଶ ଶତାବ୍ଦୀରେ ମହାତ୍ମା, ମୋହନ ଦାସରୁ ମହାତ୍ମା, ମହାତ୍ମାରୁ ବାପୁ, ଗାନ୍ଧୀଙ୍କ ମାର୍ଗ ଓ ଶାଶ୍ବତ ଗାନ୍ଧୀ ଭଳି ୬ଟି କକ୍ଷ ବା ଗ୍ୟାଲେରି ରହିଛି। ସେଠାରେ ଗାନ୍ଧୀଜୀ ସ୍କୁଲ୍‌ ଜୀବନ ଆରମ୍ଭ କରିଥିବା କାଠିଆୱାରା ହାଇସ୍କୁଲର ସ୍ମୃତି, ଗାନ୍ଧୀଜୀଙ୍କ ଛାତ୍ର ଜୀବନର ମାର୍କସିଟ୍‌, ରାଜା ହରିଶ୍ଚନ୍ଦ୍ର ଓ ଶ୍ରବଣ କୁମାରଙ୍କ କଥା ପଢ଼ି ପଢ଼ି ଅନୁପ୍ରାଣିତ ହୋଇଥିବା ଗାନ୍ଧୀ, ଲବଣ ସତ୍ୟାଗ୍ରହ ପାଇଁ ସେ ପାଇଥିବା ଲାଇସେନ୍‌ସ ପତ୍ର, ହରିଜନ ପତ୍ରିକା ଛପା ଯାଉଥିବା ପ୍ରିଣ୍ଟିଂ ମେସିନ୍‌ର ପ୍ରତିକୃତି, ହରିଜନ ପତ୍ରିକାର ଶେଷ ପ୍ରକାଶିତ ପତ୍ରିକା, ଗାନ୍ଧୀଜୀଙ୍କ ସମ୍ପର୍କରେ ବିଶ୍ବର ଶ୍ରେଷ୍ଠ ବ୍ୟକ୍ତିମାନେ ଦେଇଥିବା ମନ୍ତବ୍ୟ ସବୁ ଜାଣିବାର ସୁଯୋଗ ମିଳିବ।

‘ଗାନ୍ଧୀଙ୍କ ସହ ସେଲ୍‌ଫି’, ଟେଲିଫୋନ୍‌ରେ ଗାନ୍ଧୀଙ୍କ ଭାଷଣ
କେନ୍ଦ୍ରକୁ ଆହୁରି ଆକର୍ଷଣୀୟ କରୁଛି ‘ଗାନ୍ଧୀଙ୍କ ସହ ସେଲ୍‌ଫି’। ଏକ କାଚ ଗୃହରେ ଥିବା ସ୍କ୍ରିନ୍‌ ଜରିଆରେ ଜଣେ ନିଜ ସହ ଗାନ୍ଧୀଜୀଙ୍କ ଫଟୋ ଉତ୍ତୋଳନର ସେଲ୍‌ଫି ନେଇ ଏହାକୁ ନିଜ ମେଲ୍‌କୁ ପଠାଇ ପାରିବ। ପୁଣି ଗାନ୍ଧୀଜୀଙ୍କ ପ୍ରିୟ ୫ଟି ଗୀତର ଏକ ରେକର୍ଡର ରଖାଯାଇଛି। ତେବେ ଆଧୁନିକ ଜ୍ଞାନ କୌଶଳପ୍ରୟୋଗ ପୂର୍ବକ ସେଇ ରେକର୍ଡର ନିକଟରେ ୫ଟି ଭିନ୍ନ ଭିନ୍ନ ପରିମାଣର ଲୁଣ ଗ୍ଲାସ ରଖାଯାଇଛି। ସେଥିରୁ ଗୋଟିଏ ଗ୍ଲାସ ଉଠାଇ ଏକ ସ୍ଥାନରେ ରଖିଲେ ନିର୍ଦିଷ୍ଟ ଗୀତ ଶୁଣିବାର ସୁଯୋଗ ମିଳିବ। ଦୁଇଟି ଡିଜିଟାଲ ସ୍କ୍ରିନ ମଧ୍ୟ ଅଛି। ଏଥିରେ ଗାନ୍ଧୀଜୀଙ୍କ ଜୀବନୀ, ଓଡ଼ିଶା ସମ୍ପର୍କ, ଲବଣ ସତ୍ୟଗ୍ରହ ସମ୍ପର୍କିତ ଟିକିନିଖି କଥା ଅଙ୍ଗୁଳି ଚାଳନା କରି ଜାଣିହେବ। ଏହା ମଧ୍ୟରେ ଏପରି ‌ଏକ ଟେଲିଫୋନ୍‌ ରଖାଯାଇଛି, ଯାହା ଉଠାଇ ଆପଣ କାନରେ ଦେବା କ୍ଷଣି ସେଥିରେ ଗାନ୍ଧୀଙ୍କ ଭାଷଣ ଶୁଣିବାକୁ ମିଳିବ। ଏକ ଫିଡ୍‌ବ୍ୟାକ ଷ୍ଟୋର ରହିଥିବା ବେଳେ ଜଣେ ତା’ ମଧ୍ୟକୁ ଯାଇ ସ୍କ୍ରିନକୁ କ୍ଲିକ୍‌ କରିବା ସହ ନିଜର ଅନୁଭୂତି ସେଠାରେ ବର୍ଣ୍ଣନା କରିପାରିବ। ଯାହା ସମ୍ପୂର୍ଣ୍ଣ ଭାବେ ରେକର୍ଡ ହୋଇ ସଂରକ୍ଷିତ ରହିବ।

ଗାନ୍ଧୀଜୀଙ୍କ ୩ଟି ରୂପର ବ୍ରୋଞ୍ଜ ପ୍ରତିମୂର୍ତି, ବାରକୋଡ ସ୍କାନ କଲେ ମିଳିବ ଟିକିନିଖି ତଥ୍ୟ
ଏହି ପରିସରରେ ଗାନ୍ଧୀଜୀଙ୍କ ଓକିଲାତି ଜୀବନଠୁ ନେଇ ଗାନ୍ଧୀ ମହାତ୍ମା ପର୍ଯ୍ୟନ୍ତ ୩ଟି ୧କୁଇଣ୍ଟାଲ ‌ଓଜନ ବିଶିଷ୍ଟ ବ୍ରୋଞ୍ଜ ପ୍ରତିମୂର୍ତି ରହିଛି। ସେଠାରେ ଗାନ୍ଧୀଜୀଙ୍କ ସହ ଫଟୋ ନେବାର ସୁବିଧା ରହିଥିବା ‌ବେଳେ କାନ୍ଥରେ ଲାଗିଥିବା ବାର କୋଡକୁ ସ୍କାନ କରି ଗାନ୍ଧୀଜୀଙ୍କ ସମ୍ପର୍କରେ ତଥ୍ୟଗତ ବିଷୟ ଜାଣିହେବ। ଏଥିପାଇଁ ‘ଗାନ୍ଧୀ ପିସ୍‌ ସେଣ୍ଟର’ ନାମକ ଏକ ଆପ୍‌ ‌ଡାଉନେଲାଡ୍‌ କରିଲେ ହିଁ ଜଣେ ସ୍କାନ କରି ତଥ୍ୟ ପାଇପାରିବ। ଏଥିସହ ଏହା ପରିସର‌ରେ ଏପରି କିଛି ଫଟୋ ଅଛି ଯାହା ସମ୍ପର୍କରେ ଜାଣିବା ପାଇଁ ମଧ୍ୟ ବାରକୋଡ ସ୍କାନ କରି ଅନେକ କଥା ଜାଣିହେବ। ମହାତ୍ମା ଗାନ୍ଧୀଙ୍କ ୪ ପୁତ୍ରଙ୍କ ସମ୍ବନ୍ଧୀୟ କଥା ହେଉ ଅବା ଗାନ୍ଧୀଜୀଙ୍କ ସମ୍ପର୍କରେ ଆସିଥିବା ବ୍ୟକ୍ତିବିଶେଷଙ୍କ କଥା, ସବୁକିଛି ବାରକୋଡ ସ୍କାନରର ସହାୟତାରେ ଜାଣିହେବ।

ସମ୍ବନ୍ଧିତ ଖବର