ଦକ୍ଷତା ବିକାଶରେ ଓଡ଼ିଶା ଶ୍ରେଷ୍ଠ, ଦ୍ୱିତୀୟଥର ମିଳିବ ପୁରସ୍କାର

ଭୁବନେଶ୍ୱର: ଦକ୍ଷତା ବିକାଶ କ୍ଷେତ୍ରରେ ଓଡ଼ିଶାକୁ ଶ୍ରେଷ୍ଠ ରାଜ୍ୟ ଭାବେ ପ୍ରଧାନମନ୍ତ୍ରୀଙ୍କ ପୁରସ୍କାର ମିଳିବ ବୋଲି ଘୋଷଣା କରାଯାଇଛି। ଆସନ୍ତା ୫ ତାରିଖରେ ରାଞ୍ଚିଠାରେ ଅନୁଷ୍ଠିତ ହେବାକୁ ଥିବା ‘ଜାତୀୟ ଦକ୍ଷତା ବିକାଶ ଦିବସ’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପୁରସ୍କାର ପ୍ରଦାନ କରିବେ। ଗ୍ରାମୀଣ ଯୁବକଯୁବତୀଙ୍କ ଦକ୍ଷତା ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ ଓଡ଼ିଶାକୁ ଏହି ପୁରସ୍କାର ମିଳିବ। କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ଓଡ଼ିଶାକୁ ଏହି ପୁରସ୍କାର ମିଳିବ। ଦକ୍ଷତା ବିକାଶ ପାଇଁ ଶ୍ରେଷ୍ଠ ରାଜ୍ୟ ପୁରସ୍କାର ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋସିଆଲ୍‌ ଗଣମାଧ୍ୟମ ଫେସ୍‌ବୁକ୍‌ ଜରିଆରେ ଜଣାଇଛନ୍ତି। ଶ୍ରେଷ୍ଠ ରାଜ୍ୟ ପୁରସ୍କାର ଦ୍ୱିତୀୟ ଓ ତୃତୀୟ ସ୍ଥାନରେ କେରଳ ଓ ଆନ୍ଧ୍ରପ୍ରଦେଶ ରହିଛନ୍ତି। ଦକ୍ଷତା ବିକାଶ ପାଇଁ ଧାର୍ଯ୍ୟ କରାଯାଇଥିବା ଜାତୀୟ ଲକ୍ଷ୍ୟର ପାଞ୍ଚ ଭାଗରୁ ଭାଗେ ଓଡ଼ିଶା ହାସଲ କରିପାରିଛି। ଦୀନ ଦୟାଲ୍‌ ଉପାଧ୍ୟାୟ ଗ୍ରାମୀଣ କୌଶଳ ବିକାଶ ଯୋଜନାରେ ଓଡ଼ିଶା ଏବେ ସୁଦ୍ଧା ୯୬ ହଜାର ଯୁବକଯୁବତୀଙ୍କୁ ସଫଳତାର ସହ ତାଲିମ ଦେଇ ପାରିଛି ଏବଂ ୭୦ ହଜାର ଯୁବକ ଯୁବତୀଙ୍କ ପାଇଁ ରୋଜଗାର କରିବାର ମାଧ୍ୟମ ସୃଷ୍ଟି କରିପାରିଛି। ଓର୍‌ମାସ୍‌ ଜରିଆରେ ଏହି ସଫଳତା ମିଳିଛି। ଆସନ୍ତା ୨ ବର୍ଷ ମଧ୍ୟରେ ଆଉ ୧ ଲକ୍ଷ ଯୁବକ ଯୁବତୀଙ୍କୁ ତାଲିମ ଦେବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ୨୦୧୫ରେ ସାରା ଦେଶରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆରମ୍ଭ ହେବାର ବହୁ ପୂର୍ବରୁ ୨୦୦୯ରେ ଓଡ଼ିଶା ସରକାରଙ୍କ ପିଆର୍‌ ଓ ଡିଡବ୍ଲ୍ୟୁ ବିଭାଗ ଏହା ଆରମ୍ଭ କରିସାରିଥିଲେ। ସେଥିପାଇଁ ଓଡ଼ିଶା ଏହି ବ୍ୟବସ୍ଥା କରିବାରେ ଦେଶରେ ଅଗ୍ରଣୀ ଭୂମିକା ନେଇପାରିଛି। ଓର୍‌ମାସ୍‌ର ଏହି କୌଶଳ ବାବଦରେ ଅନୁଧ୍ୟାନ କରିବାକୁ ବିଭିନ୍ନ ସମୟରେ ମହାରାଷ୍ଟ୍ର, କେରଳ, ଉତ୍ତରପ୍ରଦେଶ, ବିହାର ଓ ଆସାମ ପ୍ରମୁଖ ରାଜ୍ୟର ପ୍ରତିନିଧିମାନେ ଓଡ଼ିଶା ଗସ୍ତରେ ଆସିଛନ୍ତି।

ସମ୍ବନ୍ଧିତ ଖବର