ରାଜ୍ୟରେ ସାପ କାମୁଡ଼ାରେ ଦିନକୁ ମରୁଛନ୍ତି ଦୁଇଜଣ
୩ ବର୍ଷରେ ମରିଛନ୍ତି ୨୨୧୭, ମୟୂରଭଞ୍ଜରେ ସର୍ବାଧିକ, ଝଡ଼ାଫୁଙ୍କାକୁ ଭରସା କରି ଯାଉଛି ଜୀବନ
ଭୁବନେଶ୍ବର : ରାଜ୍ୟରେ ସାପ କାମୁଡ଼ାଜନିତ ମୃତ୍ୟୁ ସଂଖ୍ୟା ଉଦ୍ବେଗଜନକ ସ୍ଥିତିରେ ରହିଛି। ଗତ ୩ ବର୍ଷରେ ରାଜ୍ୟରେ ୨ହଜାର ୨୧୭ ଜଣ ପ୍ରାଣ ହରାଇଛନ୍ତି। ଅର୍ଥାତ୍ ଦିନକୁ ଦୁଇଜଣଙ୍କର ମୃତ୍ୟୁ ଘଟୁଛି। ଏହି ତାଲିକାର ଶୀର୍ଷରେ ମୟୂରଭଞ୍ଜ ରହିଛି। ଜିଲ୍ଲାରେ ମାସକୁ ୮ ଜଣଙ୍କର ମୃତ୍ୟୁ ଘଟୁଛି। ଝଡ଼ାଫୁଙ୍କା ଉପରେ ଭରସା କରି ମୃତ୍ୟୁ ସଂଖ୍ୟା ବଢ଼ିଥିବା ଏକ ସର୍ବେକ୍ଷଣରୁ ଜଣାପଡ଼ିଛି। ସଚେତନତା ଅଭାବରୁ ଓ ଝଡ଼ାଫୁଙ୍କା ଭଳି ଅନ୍ଧବିଶ୍ବାସ ପାଇଁ କ୍ରମବର୍ଦ୍ଧିଷ୍ଣୁ ମୃତ୍ୟୁ ସଂଖ୍ୟା ଉପରେ ରୋକ୍ ଲଗାଇବା ସମ୍ଭବ ହେଉନାହିଁ। ଗାଁ ଗହଳିରେ ସାପ କାମୁଡ଼ିଲେ ଡାକ୍ତରୀ ଚିକିତ୍ସା ନୁହେଁ, ବରଂ ଲୋକେ ଆଗ ଝଡ଼ାଫୁଙ୍କା କରୁଛନ୍ତି। କୌତୂହଳପ୍ରଦ କଥା ହେଉଛି ଡାକ୍ତରଖାନାରେ ରୋଗୀ ଚିକିତ୍ସିତ ହେଉଥିଲେ ମଧ୍ୟ ଝଡ଼ାଫୁଙ୍କା ହେବା ଏକ ସାଧାରଣ କଥା ହୋଇଛି। ତା’ ସହିତ ଡାକ୍ତର ଓ ସାପ କାମୁଡ଼ା ଔଷଧ ଯଥେଷ୍ଟ ପରିମାଣରେ ଉପଲବ୍ଧ ନହେବା ମଧ୍ୟ ଅନ୍ୟତମ ପ୍ରମୁଖ କାରଣ ବୋଲି ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସାପକାମୁଡ଼ାକୁ ନେଇ ଏବେ ବି ଲୋକେ ଭୟଭୀତ ଅଛନ୍ତି। ତୁରନ୍ତ ଚିକିତ୍ସା ନ ହେଲେ ରୋଗୀର ମୃତ୍ୟୁ ହେଉଥିବାରୁ ଲୋକେ ଛାନିଆ ହୋଇପଡ଼ନ୍ତି। ଲୋକଙ୍କର ଭରସାକୁ ଅଦ୍ୟାବଧି ସ୍ବାସ୍ଥ୍ୟସେବା ଜିତି ପାରିନଥିବାରୁ ଲୋକେ ଝଡ଼ାଫୁଙ୍କା ଉପରେ ଭରସା କରିଛନ୍ତି। ସରକାରଙ୍କ ପକ୍ଷରୁ ମଧ୍ୟ ବ୍ୟାପକ ସଚେତନତା ବ୍ୟବସ୍ଥା ନାହିଁ। ଫଳରେ ଝଡ଼ାଫୁଙ୍କାର ଚେର ବେଶ୍ ଗଭୀରରେ ରହିଛି। ଏଥିରେ କେତେକ ମୋଟା ଅଙ୍କର ଅର୍ଥ ମଧ୍ୟ ଉପାର୍ଜନ କରୁଛନ୍ତି।
ଗତ ୫ ବର୍ଷ ମଧ୍ୟରେ ରାଜ୍ୟରେ ୨୯୫୪ ଜଣଙ୍କର ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ବେଳେ ଗତ ୩ ବର୍ଷରେ ୨୨୧୭ ଜଣଙ୍କର ମୃତ୍ୟୁ ଘଟିଛି। ୨୦୧୯ ଏପ୍ରିଲରୁ ଜୁଲାଇ ମଧ୍ୟରେ ୨୩୭ ଜଣଙ୍କର ମୃତ୍ୟୁ ହୋଇ ସାରିଲାଣି। ଅନେକ ଉପାନ୍ତ ଗ୍ରାମ ରହିଛି ଯେଉଁଠି ସାପ କାମୁଡ଼ାରେ ମୃତ୍ୟୁ ଘଟିଲେ ମଧ୍ୟ ସରକାରୀ ଖାତାରେ ଆନୁଷ୍ଠାନିକ ଭାବେ ରେକର୍ଡ ହେଇ ପାରୁନାହିଁ। ଅର୍ଥାତ୍ ସ୍ବାସ୍ଥ୍ୟସେବାକୁ ନେଇ ସରକାର ଯେତେ ତତ୍ପର ହେଲେ ମଧ୍ୟ ସାପ କାମୁଡ଼ା ମୃତ୍ୟୁ ସଂଖ୍ୟା ରୋକିବା ସମ୍ଭବ ହେଉ ନାହିଁ।
ତିନିବର୍ଷରେ ମୟୂରଭଞ୍ଜରେ ସାପ କାମୁଡ଼ା ଜନିତ ମୃତ୍ୟୁ ସଂଖ୍ୟା ସର୍ବାଧିକ ହୋଇଥିବା ବେଳେ ପୁରୀରେ ସର୍ବନିମ୍ନ ୧୧୦ ରହିଛି। ଗଞ୍ଜାମରେ ୨୪୭, ବାଲେଶ୍ବରରେ ୨୪୨, କେନ୍ଦୁଝରରେ ୨୨୭, ଭଦ୍ରକରେ ୧୮୦, ଯାଜପୁରରେ ୧୫୪, ସମ୍ବଲପୁରରେ ୧୩୪, କଟକରେ ୧୩୩, ଢେଙ୍କାନାଳରେ ୧୨୮, ସୁନ୍ଦରଗଡ଼ରେ ୧୨୭, ନବରଙ୍ଗପୁରରେ ୧୨୩, ଅନୁଗୁଳରେ ୧୧୯ ଓ କେନ୍ଦ୍ରପଡ଼ା ଜିଲ୍ଲାରେ ୧୧୨ ଜଣଙ୍କର ମୃତ୍ୟୁ ଘଟିଛି।
ମୋଟ ମୃତ୍ୟୁ ସଂଖ୍ୟାର ୮୫ ପ୍ରତିଶତ ମେ’ ରୁ ଆକ୍ଟୋବର ମାସ ମଧ୍ୟରେ ହୋଇଛି। ୬୦ ପ୍ରତିଶତ ଘଟଣାରେ ଚିକିତ୍ସା ଅବହେଳା ବା ଇଞ୍ଜେକ୍ସନ(ଆଣ୍ଟି ଭେନମ୍ ସେରମ୍) ଉପଲବ୍ଧ ନଥିବା କାରଣରୁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ୭୫ ପ୍ରତିଶତ ମୃତ୍ୟୁ ଝଡ଼ାଫୁଙ୍କାକୁ ଭରସା କରି ହୋଇଛି। ପ୍ରଥମେ ଝଡ଼ାଫୁଙ୍କା ଓ ପରେ ମେଡିକାଲ ନେବା ପରେ ରୋଗୀର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।