ଏଣିକି ପ୍ରତି ରବିବାର ଶ୍ରୀପୁରୁଷୋତ୍ତମ ପ୍ରାର୍ଥନା କାର୍ଯ୍ୟକ୍ରମ, କୁମାର ପୂର୍ଣ୍ଣିମା ଠାରୁ ଆରମ୍ଭ ହେବ

ପୁରୀ : ଏଣିକି ଶ୍ରୀଜଗନ୍ନାଥ ମନ୍ଦିର ସମ୍ମୁଖରେ କେବଳ ଆଧ୍ୟାତ୍ମିକ ରାହାଗିରି ଦେଖିବାକୁ ମିଳିବ ନାହିଁ। ଏହି ରାହାଗିରି ସହିତ ଯୋଡି ହୋଇଛି ଶ୍ରୀମନ୍ଦିର ଐତିହ୍ୟ ଓ ସଂସ୍କୃତି ଜଡ଼ିତ ଅନେକ କାର୍ଯ୍ୟକ୍ରମ। ଶ୍ରୀଜଗନ୍ନାଥ ଧାମରେ ଆଧ୍ୟାତ୍ମିକ ପରିବେଶକୁ ପରିପୁଷ୍ଠ କରିବା ପାଇଁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଏକ ମହତ ପଦକ୍ଷେପ ହାତକୁ ନିଆଯାଇଛି। ମନ୍ଦିର ପ୍ରଶାସନ ଓ ପୁରୀ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟଙ୍କ ସହଯୋଗରେ ଆସନ୍ତା ୧୩ ତାରିଖ କୁମାର ପୂର୍ଣ୍ଣିମା ଦିନଠାରୁ ଶ୍ରୀପୁରୁଷୋତ୍ତମ ପ୍ରାର୍ଥନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଶ୍ରୀମନ୍ଦିର ନୀତି ପ୍ରଶାସକ ଏକ ପ୍ରେସ ବିବୃତ୍ତିରେ ଜଣାଇଛନ୍ତି।

ଏଥର ପ୍ରତି ରବିବାର ପ୍ରାତଃ ୬ଟା ୩୦ରୁ ୮ଟା ପର୍ଯ୍ୟନ୍ତ ସିଂହଦ୍ବାର ସମ୍ମୁଖରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଶଙ୍ଖଧ୍ବନୀ, ବେଦଧ୍ବନୀରେ ସିଂହଦ୍ବାର ପ୍ରକମ୍ପିତ ହେବ। ଶ୍ରୀମନ୍ଦିର ଅରୁଣସ୍ତମ୍ଭ ସମ୍ମୁଖରେ ପ୍ରଦୀପ ପ୍ରଜ୍ବଳନ କରାଯିବ। ପରେ ଶ୍ରୀଜଗନ୍ନାଥା‌ଷ୍ଟକମ୍ ଆବୃତ୍ତି କରାଯିବ। ଶ୍ରୀଗୀତଗୋବିନ୍ଦମ୍‌ ଲଳିତ କାନ୍ତ ପଦ୍ୟାବଳୀ ଅନୁସରଣରେ ଓଡ଼ିଶୀ ନୃତ୍ୟ, ଶ୍ରୀମଦ୍‌ଭଗବତ ଗୀତାର ପ୍ରଥମ ଦୁଇଟି ଶ୍ଳୋକ ଓ ଏହାର ବାଖ୍ୟା, ସାମୁହିକ ଭଜନ, ନାମ ସଂକୀର୍ତ୍ତନ ଓ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ପରିକ୍ରମା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସ୍ଥିର ହୋଇଛି। ଶ୍ରୀଗୀତଗୋବିନ୍ଦ ଆଧାରରେ ଓଡ଼ିଶୀ ନୃତ୍ୟ ପରେ ଗୋଟିଏ ରବିବାରରେ ଯୋଗାସନ, ଧ୍ୟ୍ୟାନ, ଦୁଇଟି ରବିବାରରେ ସ୍ତବସ୍ତୃତି ଓ ଗୋଟିଏ ରବିବାରରେ ପାଲା କିମ୍ବ‌ା ଦାଶକାଠିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ମଧ୍ୟ ହେବ। ପ୍ରତି ରବିବାର ଦିନ ରଙ୍ଗୋଲି, ଚିତ୍ରାଙ୍କନ ଓ ଦୀପ ସଜ୍ଜା ଆଦି କାର୍ଯ୍ୟକ୍ରମ ଆୟୋଜନ କରାଯିବ। ସେହିଭଳି ପ୍ରତିମାସ ସଂକ୍ରାନ୍ତି ଦିନ ସନ୍ଧ୍ୟା ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ପ୍ରବଚନ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ। ସମଗ୍ର ବିଶ୍ବରେ ଏହି କ୍ଷେତ୍ର ପ୍ରତି ଭକ୍ତଙ୍କ ଅନନ୍ୟ ଆକର୍ଷଣ ରହିଛି। ବାର ମାସରେ ତେର ପର୍ବ ଭଳି ଶ୍ରୀମନ୍ଦିରର ଦୈନନ୍ଦିନ ନୀତିକାନ୍ତିରେ ମଧ୍ୟ ସ୍ବତନ୍ତ୍ରତା ରହିଛି। ପ୍ରତିଦିନ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସୁଥିବା ହଜାର ହଜାର ଶ୍ରଦ୍ଧାଳୁଙ୍କ ମଧ୍ୟରେ ଆଧ୍ୟାତ୍ମିକ ଭାବନା ଜାଗ୍ରତ କରିବାକୁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ଶ୍ରୀମନ୍ଦିର ନୀତି ପ୍ରଶାସକ ଜଣାଇଛନ୍ତି।

ସମ୍ବନ୍ଧିତ ଖବର