ଭାତହାଣ୍ଡିରୁ ଗୋଟିଏ

ଯାଜପୁରରେ ଷ୍ଟ୍ରିଟ୍‌ ଲାଇଟ୍‌ କିଣାରେ ଦୁର୍ନୀତିର ଗନ୍ଧ

ନିର୍ଦ୍ଦିଷ୍ଟ ସଂସ୍ଥାକୁ ଅହେତୁକ ଅନୁକମ୍ପା ଦେଉଛି ଜିଲ୍ଲା ପ୍ରଶାସନ
ଏମିତି ଚାଲିଛି ମୁଖ୍ୟମନ୍ତ୍ରୀଙ୍କ ‘ପିସି ବନ୍ଦ’ ଆହ୍ଵାନ

ଭୁବନେଶ୍ୱର : କିଛି ମାସ ତଳେ ମୁଖ୍ୟମନ୍ତ୍ରୀ କହିଲେ, ପିସି ନିଶ୍ଚିତ ବନ୍ଦ ହେବା ଦରକାର। ପିସି କାରବାର ବନ୍ଦ ନେଇ କଠୋର ହେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ହିଁ ପ୍ରମାଣିତ କରୁଥିଲା ରାଜ୍ୟରେ ତଳ ସ୍ତରରେ ଆଖିବୁଜା ପିସି କାରବାର ଚାଲିଛି। ତେବେ ନିର୍ଦ୍ଦେଶ ପରେ ବି ତାହାର ପ୍ରଭାବ ତଳ ସ୍ତର ଯାଏଁ ସମ୍ଭବତଃ ଯାଇପାରି ନାହିଁ। କାରଣ ତଳ ସ୍ତରରେ ଏମିତି ଦୁର୍ନୀତି ବ୍ୟାପିଛି ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଫୁ କରି ଦୁର୍ନୀତି ଜାରି ରଖିଛନ୍ତି ଜିଲ୍ଲା ସ୍ତରର ଅଧିକାରୀମାନେ। ଭାତ ହାଣ୍ଡିରୁ ଗୋଟିଏ ଚିପିଲା ପରି ଏମିତି ଏକ ଘଟଣା ଯାଜପୁରରେ ଦେଖିବାକୁ ମିଳିଛି। ଗାଁ ଗାଁରେ ଷ୍ଟ୍ରିଟ୍‌ ଏଲ୍‌ଇଡି ଲାଇଟ୍‌ ଲଗାଇବା ପାଇଁ ହୋଇଥିବା ଟେଣ୍ଡର୍‌ରେ ଦୁର୍ନୀତିର ଆଭାସ ମିଳିଛି। ଯାହା କି ଜିଲ୍ଲାରେ ଏବେ ଚର୍ଚ୍ଚାର ବିଷୟ ହୋଇଛି।

ସବୁ ଗାଁ ରାସ୍ତା ରାତିରେ ଝଲ୍‌ସିବ ବୋଲି ସରକାର ତିନି ବର୍ଷ ତଳେ ଘୋଷଣା କଲେ। ଯୋଜନା ହେଲା, ସବୁ ଗାଁକୁ ବିଜୁଳି ଯିବ ଓ ଇଲେକ୍ଟ୍ରି ଖୁଣ୍ଟିରେ ଏଲ୍‌ଇଡି ଲାଇଟ୍‌ ଲାଗିବ। ୫ ବର୍ଷ ଭିତରେ ଏହା କାର୍ଯ୍ୟକାରୀ ହେବ ବୋଲି ସ୍ଥିର ହେଲା ଓ ଦାୟିତ୍ୱ ଦିଆଗଲା ପଞ୍ଚାୟତିରାଜ ବିଭାଗକୁ। କେନ୍ଦ୍ରର ଚତୁର୍ଦ୍ଦଶ ଅର୍ଥ କମିସନ୍‌ ଓ ରାଜ୍ୟର ଚତୁର୍ଥ ଅର୍ଥ କମିସନ୍‌ରେ ଏଥି ପାଇଁ ଆର୍ଥିକ ବ୍ୟବସ୍ଥା ରହିଲା। ୨୦୧୫-୧୬ ଓ ୨୦୧୬-୧୭ ଆର୍ଥିକ ବର୍ଷରେ ଏଲ୍‌ଇଡି ଲାଇଟ୍‌ ଲଗାଇବାକୁ ପ୍ରତି ପଞ୍ଚାୟତକୁ ଅର୍ଥ ଦିଆଗଲା।

ଜିଲ୍ଲା ସ୍ତରରେ ଏଥି ପାଇଁ ଟେଣ୍ଡର୍‌ ଡାକି ଲାଇଟ୍‌ ସପ୍ଲାୟର୍‌ ଚୟନ କରିବାକୁ ପଞ୍ଚାୟତିରାଜ ବିଭାଗ ଜିଲ୍ଲାପାଳମାନଙ୍କୁ ଦାୟିତ୍ୱ ଦେଲା। ଅଧିକାଂଶ ଜିଲ୍ଲାରେ ଏ ପର୍ଯ୍ୟନ୍ତ ଟେଣ୍ଡର୍‌ ଡକାଗଲା ନାହିଁ। ତେଣୁ ତିନି ବର୍ଷ ଭିତରେ ଏହି ଯୋଜନା ଅତ୍ୟନ୍ତ ମନ୍ଥର ଗତିରେ ଚାଲିଛି।

ଯେଉଁ ଜିଲ୍ଲାରେ ଏଲ୍‌ଇଡି ଲାଇଟ୍‌ କିଣିବା ପାଇଁ ଟେଣ୍ଡର୍‌ ଡକାଗଲା, ସେଠାରେ କିଛି ଦୁର୍ନୀତିଖୋର ଅଫିସର୍‌ ଏହାକୁ ଏକ ସୁଯୋଗ ବୋଲି ଭାବି ନେଲେ। ଏପରି ଦୁର୍ନୀତିରେ ଯାଜପୁର ଜିଲ୍ଲା ସର୍ବାଗ୍ରେ ରହିଛି। ୨୦୧୬ ଡିସେମ୍ବର ମାସରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୫୬ ଲକ୍ଷ ଟଙ୍କାର ଲାଇଟ୍‌ ଯୋଗାଣ ଓ ସ୍ଥାପନ ପାଇଁ ଟେଣ୍ଡର୍‌ ଡକାଗଲା। ଚଳିତ ବର୍ଷ ମାର୍ଚ୍ଚ ମାସରେ ଟେଣ୍ଡର୍‌ ଖୋଲାଯାଇ ବିରଜା ଇଲେକ୍ଟ୍ରିକାଲ୍‌ ଆଣ୍ଡ୍‌ କନ୍‌ଷ୍ଟ୍ରକ୍ସନ୍‌କୁ ସର୍ବନିମ୍ନ ଟେଣ୍ଡର୍‌ଧାରୀ ଭାବେ ଚୟନ କରାଗଲା। ଏହି ସଂସ୍ଥା ଲାଇଟ୍‌ ପିଛା ସର୍ବନିମ୍ନ ୫୪,୫୦୪ ଟଙ୍କା ନେବ ବୋଲି ସ୍ଥିର ହେଲା।

ଯାଜପୁରରେ ଲାଇଟ୍‌ ଯୋଗାଣ ଦାୟିତ୍ୱ ନେଇଥବା ଏହି ସଂସ୍ଥା ପଡ଼ୋଶୀ ଭଦ୍ରକରେ ବି ସର୍ବନିମ୍ନ ଟେଣ୍ଡର୍‌ଧାରୀ ହେଲା। ସମାନ ସଂସ୍ଥା ସମାନ ସାମଗ୍ରୀ ଏଠାରେ ଯୋଗାଇଲା ୩୬,୭୧୪ ଟଙ୍କାରେ। ଯାଜପୁର ଠାରୁ ପାଖାପାଖି ୧୮ ହଜାର ଟଙ୍କା କମ୍‌। ସମାନ ଲାଇଟ୍‌କୁ ପଡ଼ୋଶୀ ଜିଲ୍ଲାରେ କିପରି ସେହି ସଂସ୍ଥା ୧୮ ହଜାର ଟଙ୍କା କମ୍‌ରେ ଦେଲା, କିନ୍ତୁ ଯାଜପୁରରୁ ଏତେ ଚଢ଼ା ଦର ନେଲା, ତାହା ଜିଲ୍ଲାର ଅଧିକାରୀମାନେ ଯାଞ୍ଚ୍‌ କରିବାକୁ ସାମାନ୍ୟ ଉଦ୍ୟମ କଲେ ନାହିଁ। ଦୁଇଟି ଜିଲ୍ଲାରେ ସମାନ ସାମଗ୍ରୀକୁ ଦୁଇଟି ଭିନ୍ନ ଭିନ୍ନ ଦର ନେଉଥିବା ସପ୍ଲାୟର୍‌ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବନି ବୋଲି ପ୍ରଶ୍ନ ଉଠୁଛି।

ଏବେ ଦ୍ୱିତୀୟ ପର୍ଯ୍ୟାୟରେ ଷ୍ଟ୍ରିଟ୍‌ ଲାଇଟ୍‌ ଯୋଗାଣ ପାଇଁ ୧୭.୬୪ କୋଟି ଟଙ୍କାର ଟେଣ୍ଡର୍‌ ଡକାଯାଇଛି। ଆସନ୍ତାକାଲି ଟେଣ୍ଡର୍‌ ଖୋଲା ହେବ। ସେହି ପୁରୁଣା ସଂସ୍ଥାକୁ ପୁଣି ଥରେ ଟେଣ୍ଡର୍‌ ଦେବା ପାଇଁ ଆବଶ୍ୟକ ପ୍ରାକ୍‌ ପ୍ରସ୍ତୁତି ହୋଇଥିବା ଅଭିଯୋଗ ଉଠୁଛି। ତେବେ ଟେଣ୍ଡର୍‌ ଖୋଲା ହେଲା ପରେ ଏଥର କେତେ ଦରରେ ଲାଇଟ୍‌ କିଣିବା ପାଇଁ ପ୍ରଶାସନ ଚୂଡ଼ାନ୍ତ କରୁଛି, ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର