ପୋଖରୀରେ ବୁଡ଼ି ୨ ଛାତ୍ରୀଙ୍କ ମୃତ୍ୟୁ

ଆନନ୍ଦପୁର ବ୍ୟାରେଜ୍‌ କେନାଲରେ ଭାସିଗଲେ ୨, ପୁଣି ମହାନଦୀରେ ଭାସିଗଲେ ଛାତ୍ର

ନୀଳଗିରି : ବାଲେଶ୍ୱର ଜିଲ୍ଲା ନୀଳଗିରି ଏନ୍‌ଏସି ଅଞ୍ଚଳରେ ପୋଖରୀରେ ବୁଡ଼ି ଯାଇ ୨ ନାବାଳିକା ଛାତ୍ରୀ ପ୍ରାଣ ହରାଇଛନ୍ତି। ମୃତକ ୨ ଜଣ ହେଲେ ୭ମ ଶ୍ରେଣୀରେ ପଢ଼ୁଥିବା ନୀଳଗିରି ଏନ୍‌ଏସି ୭ ଓ୍ଵାର୍ଡ ବାଲିଗୋହିରୀ ଗାଁର ବସନ୍ତ ବେହେରାଙ୍କ ଝିଅ ବନଶ୍ରୀ(୧୨) ଓ ୯ ନଂ ଓ୍ଵାର୍ଡ କାହାଳିଆ ପୋଖରୀସାହିର ପରମେଶ୍ୱର ମହାରଣାଙ୍କ ଝିଅ ୧୦ମ ଶ୍ରେଣୀର ଛାତ୍ରୀ ଜ୍ୟୋତିରେଖା(୧୪)। ତେବେ ଏହି ମର୍ମନ୍ତୁଦ ଦୁର୍ଘଟଣାରୁ ଜ୍ୟୋତିଙ୍କ ସହପାଠିନୀ ସିମୁଳିଆ ଗାଁର ମନୋରଂଜନ ବାରିକଙ୍କ ଝିିଅ ଈଶ୍ୱରୀ(୧୪) ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ସୂଚନା ଅନୁସାରେ, ଆଜି ସକାଳେ ୩ ଜଣ ସାଙ୍ଗହୋଇ ଟିଉସନ ଯାଇଥିଲେ। ସେଠାରୁ ସେମାନେ ବନଶ୍ରୀ ଘରକୁ ଫେରିଥିଲେ। ଦିନ ପ୍ରାୟ ୧୦ଟା ପାଖାପାଖି ବନଶ୍ରୀ ଘର ପଛପଟେ ଥିବା ଏକ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ଅନ୍ୟ ୨ ସାଙ୍ଗ ପୋଖରୀହୁଡ଼ାରେ ଅପେକ୍ଷା କରିଥିଲେ। ପୋଖରୀରେ ଗୋଡ଼ ଖସି ବନଶ୍ରୀ ବୁଡ଼ିଯିବା ଦେଖି ତାକୁ ରକ୍ଷା କରିବାକୁ ଯାଇ ଜ୍ୟୋତିରେଖା ମଧ୍ୟ ପୋଖରୀରେ ବୁଡ଼ି ଯାଇଥିଲେ। ଏହା ଦେଖି ପୋଖରୀହୁଡ଼ାରେ ବସିଥିବା ଈଶ୍ୱରୀ ଚିତ୍କାର କରିବା ସହ ସେମାନଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରିଥିଲେ। ଚିତ୍କାର ଶୁଣି ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ୩ ଜଣଙ୍କୁ ଉଦ୍ଧାର କରି ନୀଳଗିରି ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ବନଶ୍ରୀ ଓ ଜ୍ୟୋତିରେଖାଙ୍କୁ ମୃତ ଘୋଷଣା କରିଥିଲେ। ନୀଳଗିରି ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଉଭୟଙ୍କ ଶବ ବ୍ୟବଚ୍ଛେଦ କରାଇ ସେମାନଙ୍କ ପରିବାରକୁ ହସ୍ତାନ୍ତର କରିଛି।

ଆନନ୍ଦପୁର ବ୍ୟାରେଜ୍‌ କେନାଲରେ ଭାସିଗଲେ ୨

ହାଟଡ଼ିହି : ମାଛ ଧରିବାକୁ ଯାଇ ଆନନ୍ଦପୁର ବ୍ୟାରେଜ୍‌ କେନାଲରେ ଭାସିଯାଇ ଦୁଇଜଣ ନିଖୋଜ ହୋଇଛନ୍ତି। ହାଟଡ଼ିହି ବ୍ଲକ ପନ୍ଦାଡ଼ୋ ପଞ୍ଚାୟତ ବଣିଆହୁଡ଼ି ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି। ଏ ସମ୍ପର୍କରେ ଜଣାପଡ଼ିବା ପରେ କେନାଲ ନିକଟରେ ଲୋକଙ୍କ ଭିଡ଼ ଜମିଛି।

ପ୍ରାପ୍ତ ସୂଚନା ଅନୁସାରେ ବଣିଆହୁଡ଼ି ଗ୍ରାମର ସଂଜୟ ଜେନା ଓ ନାଳୁ ଜେନା ପୂର୍ବାହ୍ଣ ୧୧ଟାବେଳେ କେନାଲକୁ ମାଛ ଧରିବାକୁ ଯାଇଥିଲେ। ଦିନ ଦୁଇଟା ପର୍ଯ୍ୟନ୍ତ ଘରକୁୁ ଫେରି ନ ଥିଲେ। ଉଭୟଙ୍କ ପରିବାର ଲୋକେ ସେମାନଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ନ ପାଇବାରୁ ନିରାଶ ହୋଇଥିଲେ। ସନ୍ଧ୍ୟାରେ କେନାଲ କୂଳରେ ଉଭୟଙ୍କ ଜୋତା, ସେମାନେ ଧରିଥିବା ମାଛ ଓ ଅନ୍ୟାନ୍ୟ ଜିନିଷ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଫଳରେ ଉଭୟ କେନାଲରେ ଭାସି ଯାଇଥିବା ଜଣାପଡ଼ିିଥିଲା। ଏ ସମ୍ପର୍କରେ ଖବର ପାଇ ହାଟଡ଼ିହି ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚିଥିଲେ। ଖବର ଲେଖାଯିବା ପର୍ଯ୍ୟନ୍ତ ସ୍ଥାନୀୟ ଲୋକଙ୍କ ସହାୟତାରେ ଅଗ୍ନିଶମ ବିଭାଗ କର୍ମଚାରୀ ଖୋଜାଖୋଜି କରୁଥିଲେ ମଧ୍ୟ ସେମାନଙ୍କ କୌଣସି ସନ୍ଧାନ ମିଳିନି। ଘଟଣାସ୍ଥଳରେ ୨୫ ଫୁଟ ଗଭୀର ପାଣି ରହୁଥିବାରୁ ଉଭୟଙ୍କୁ ଉଦ୍ଧାର କରିବାରେ ସମସ୍ୟା ସୃଷ୍ଟି ହେଉଥିବା ଜଣାପଡ଼ିଛି।

ପୁଣି ମହାନଦୀରେ ଭାସିଗଲେ ଛାତ୍ର

ଧମା : ସମ୍ବଲପୁର ଚାଆଁରପୁର ଘାଟରେ ମଦନାବତୀ ପବ୍ଲିକ ସ୍କୁଲର ଦଶମ ଶ୍ରେଣୀ ଛାତ୍ର ଅମନ ପାଶଓ୍ଵାନ ନିଖୋଜ ହେବା ଘଟଣାକୁ ୧୫ ଦିନ ନଯାଉଣୁ ପୁଣିଥରେ ମହାନଦୀରେ ଆଉ ଜଣେ ଛାତ୍ର ଭାସି ଯାଇଛନ୍ତି। ହୁମା ବିମଳେଶ୍ୱର ବାବା ମନ୍ଦିରର ମଚ୍ଛିନ୍ଦ୍ର ଘାଟରେ ଆଜି ଏହି ଅଭାବନୀୟ ଘଟଣା ଘଟିଯାଇଛି। ଏହି ଛାତ୍ର ଜଣଙ୍କ ନିକଟସ୍ଥ ହଳଦୀ ଗ୍ରାମର ପ୍ରଦୀପ ପାତ୍ରଙ୍କ ପୁଅ ଟିକେଶ୍ୱର(୨୦) ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ମୁତାବକ, ରବିବାର ୩ ଜଣ ସାଙ୍ଗ ବାମରା ବ୍ଲକ ଧଉରାଡ଼ିହି ଗ୍ରାମର ଭାଗିରଥୀ ଖରସେଲ, ଜମନକିରା ବ୍ଲକ କୁଲୁଣ୍ଡି ଗ୍ରାମର ସତ୍ୟେନ୍ଦ୍ର ପାଢୀ ଓ ଟିକେଶ୍ୱର ହୁମା ମନ୍ଦିରକୁ ଦର୍ଶନ ପାଇଁ ଆସିଥିବା ବେଳେ ପାଖ ଘାଟକୁ ଗାଧୋଇବାକୁ ଯାଇଥିଲେ। ତେବେ ଗାଧୋଇବା ବେଳେ ଟିକେଶ୍ୱରଙ୍କ ଗୋଡ଼ ଖସି ଯିବାରୁ ସେ ପାଣି ସୁଅରେ ଭାସି ଯାଇଥିଲେ। ଦ୍ୱିପ୍ରହର ସମୟ ହୋଇଥିବାରୁ ଉକ୍ତ ଘାଟରେ ମଧ୍ୟ କୌଣସି ଲୋକ ନଥିଲେ। ସାଙ୍ଗମାନଙ୍କ ଠାରୁ ସୂଚନା ପାଇ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଦୀର୍ଘ ୪ ଘଣ୍ଟା ଯାଏଁ ଖୋଜା ଖୋଜି କରିଥିଲେ। ତେବେ ଶେଷ ରିପୋର୍ଟ ମିଳିବା ଯାଏଁ ଟିକେଶ୍ୱରଙ୍କ କୌଣସି ପତ୍ତା ମିଳିପାରି ନାହିଁ।

ସମ୍ବନ୍ଧିତ ଖବର