ବୁର୍ଲା ସିଣ୍ଡିକେଟ ବ୍ୟାଙ୍କରେ ୧.୯୬ କୋଟିର ହେରଫେର : ୨ ପୂର୍ବତନ ଅଧିକାରୀଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ

ମୃତକଙ୍କ ନାଁରେ କୃଷି ଋଣ

ସମ୍ବଲପୁର : ମୃତ ବ୍ୟକ୍ତି ଓ ଆବେଦନ କରି ନ ଥିବା ବ୍ୟକ୍ତି ପାଇଛନ୍ତି ଋଣ। ଜାଲ୍‌ କାଗଜପତ୍ର ଦେଇ ଗରିବ ଚାଷୀଙ୍କ ନାଁରେ ଋଣ ଉଠାଇ ନିଆଯାଇଛି। ସମ୍ବଲପୁର ଜିଲ୍ଲା ବୁର୍ଲା ସିଣ୍ଡିକେଟ ବ୍ୟାଙ୍କରେ ଋଣ ନାଁରେ ଏମିତି ପ୍ରାୟ ୨ କୋଟି ଟଙ୍କାର ହେରଫେର ହୋଇଛି। ଆଉ ଏହି ଦୁର୍ନୀତିର ପର୍ଦା ଉନ୍ମୋଚନ କରିଛି ବ୍ରାଇମବ୍ରାଞ୍ଚ୍‌ର ଅର୍ଥନୈତିକ ଅପରାଧ ଶାଖା। ଏହି ଘଟଣାରେ ସିଣ୍ଡିକେଟ ବ୍ୟାଙ୍କ, ବୁର୍ଲାର ପୂର୍ବତନ ଶାଖା ପରିଚାଳକ ପ୍ରଧାନପଡ଼ାର ସୁବାସ ଚନ୍ଦ୍ର ଦାଶ ଏବଂ ପୂର୍ବତନ ସହକାରୀ ପ୍ରବନ୍ଧକ ଅନୁଗୁଳିଆ ପଡ଼ାର ମିରାନସ ଲାକ୍ରାଙ୍କୁ ଗିରଫ କରି ସମ୍ବଲପୁର ଏସଡିଜେଏମ କୋର୍ଟରେ ହାଜର ଯାଇଛି। ସେଠାରୁ ଉଭୟଙ୍କୁ କିଛି ସମୟ ଅଇଁଠାପାଲି ଥାନାକୁ ନେଇ ପଚରାଉଚରା ପରେ ଭୁବନେଶ୍ବର ନିଆଯାଇଥିବା ଜଣାପଡ଼ିଛି। ତେବେ କେତେ ଜଣ ମୃତକଙ୍କ ନାଁରେ ଏଭଳି ଜାଲ କାଗଜପତ୍ରରେ ଋଣ ଉଠାଣ ହୋଇଛି, ତାହା ସ୍ପଷ୍ଟ ଜଣାପଡ଼ିନାହିଁ। ତଦନ୍ତ ପରେ ତାହା ସ୍ପଷ୍ଟ ହେବ ବୋଲି ଅର୍ଥନୈତିକ ଅପରାଧ ଶାଖା ପକ୍ଷରୁ କୁହାଯାଇଛି।

ସୂଚନା ଅନୁଯାୟୀ, ସିଣ୍ଡିକେଟ ବ୍ୟାଙ୍କର କିସାନ କାର୍ଡ ଯୋଜନାରେ ପ୍ରତି ଚାଷୀଙ୍କୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ପ୍ରଦାନ ବ୍ୟବସ୍ଥା ରହିଛି। ମାତ୍ର ୨୦୧୪ରୁ ୨୦୧୬ ମସିହା ମଧ୍ୟରେ ୧୯୬ ଚାଷୀଙ୍କୁ ଦିଆଯାଇଥିବା ଋଣରେ ସମସ୍ତ ପ୍ରକାର ନିୟମ ଉଲ୍ଲଂଘନ କରାଯାଇଛି। ସହକାରୀ ପ୍ରବନ୍ଧକ ମାରିନସ ଲାକ୍ରା ଋଣ ପାଇଁ ସୁପାରିସ ଏବଂ ସୁବାସ ଦାଶ ଅନୁମୋଦନ କରିଥିଲେ। ନକଲି ପରିଚୟପତ୍ର, କେଓ୍ବାଇସି ସମେତ ଅନ୍ୟ କାଗଜପତ୍ର ଜରିଆରେ ୧ କୋଟି ୯୬ ଲକ୍ଷ ଟଙ୍କାର ଋଣ ଦିଆଯାଇଥିଲା। ଏହା ଜଣାପଡ଼ିବା ପରେ ସିଣ୍ଡିକେଟ ବ୍ୟାଙ୍କ ଭୁବନେଶ୍ବରର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦ୍ରକାନ୍ତ ଦାସମହାପାତ୍ରଙ୍କ ଲିଖିତ ଅଭିଯୋଗ ଆଧାରରେ ନଭେମ୍ବର ୬ ତାରିଖରେ ଆଇପିସି ଧାରା ୪୧୯, ୪୨୦, ୪୬୭, ୪୬୮, ୪୭୧, ୪୦୯, ୧୨୦(ବି)ରେ ମାମଲା ରୁଜୁ ହୋଇଥିଲା।

ସମ୍ବନ୍ଧିତ ଖବର