ଶିକ୍ଷକଙ୍କ ଆତ୍ମହତ୍ୟା ମାମଲା : ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଗିରଫଦାରିର କାରଣକୁ ନେଇ ବଢୁଛି ଚର୍ଚ୍ଚା

କୋରାପୁଟ : ଶିକ୍ଷକଙ୍କ ଆତ୍ମହତ୍ୟା ମାମଲାରେ ଆଇନର ଜାଲରେ ଛନ୍ଦି ହୋଇଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ ଡଃ ପ୍ରମୋଦ କୁମାର ପଣ୍ଡା। ତାଙ୍କ ସରକାରୀ ବାସଭବନରେ ଶିକ୍ଷକ ଥିବା ଚିତ୍ତ ରଂଜନ ପଣ୍ଡା ଆତ୍ମହତ୍ୟା କରିବାର ପ୍ରାୟ ମାସକ ପରେ ପୁଲିସ ତାଙ୍କୁ ଗିରଫ କରିଛି। ଏତେ ବିଳମ୍ବରେ ତାଙ୍କୁ ଗିରଫ କରାଯିବା ନେଇ ବିଭିନ୍ନ ଚର୍ଚ୍ଚା ହେଉଥିଲାବେଳେ ପୁଲିସ କିନ୍ତୁ ଗିରଫଦାରିକୁ ଯଥାର୍ଥ ବୋଲି ଦର୍ଶାଇଛି। ତାଙ୍କ ବିରୋଧରେ ପ୍ରମାଣ ମିଳିବା ପରେ ଯାଇ ତାଙ୍କୁ ଗିରଫ କରାଯାଇଥିବା ପୁଲିସ ସ୍ପଷ୍ଟ କରିଛି। ଏହାକୁ ନେଇ ଜିଲ୍ଲା ଶିକ୍ଷା ବିଭାଗ ହଲଚଲ ହୋଇ ଯାଇଛି।

କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଚିକାମ୍ବ ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ଶିକ୍ଷକ ଥିବା ଚିତ୍ତ ରଂଜନ ପଣ୍ଡା ଡେପୁଟେସନରେ ଆସି କୋରାପୁଟ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କିରାଣୀ ଭାବେ କାମ କରୁଥିଲେ। ଗତ ଡିସେମ୍ବର ୮ ତାରିଖ ମଧ୍ୟାହ୍ନରେ ତାଙ୍କ ମୃତଦେହ ଜିଲ୍ଲା ଶିକ୍ଷା ଅଧିକାରୀ ଡଃ ପ୍ରମୋଦ କୁମାର ପଣ୍ଡାଙ୍କ ବାସଭବନରୁ ମିଳିଥିଲା। ତାଙ୍କ ପକେଟରୁ ଏକ ସୁଇସାଇଡ ନୋଟ ମିଳିବା ପରେ ଏହା ଆତ୍ମହତ୍ୟା ଜନିତ ମୃତ୍ୟୁ ବୋଲି ସ୍ପଷ୍ଟ ହୋଇଥିଲା। ଏହି ସୁଇସାଇଡ ନୋଟରେ ମୃତ ଶିକ୍ଷକ ୭ଜଣଙ୍କୁ ତାଙ୍କ ମୃତ୍ୟୁ ପାଇଁ ସିଧାସଳଖ ଦାୟୀ କରିଥିଲେ। ଏଥିରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନାମ ନ ଥିଲା। କିନ୍ତୁ ଏହି ସୁଇସାଇଡ ନୋଟରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପରୋକ୍ଷରେ ଯୋଡି ଦେଇଥିଲେ ଚିତ୍ତ ରଂଜନ ପଣ୍ଡା। ଏଥିରେ ସେ ଦର୍ଶାଇଥିଲେ ଯେ, ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର କିଛି ଅଧିକାରୀ ଓ କର୍ମଚାରୀ ତାଙ୍କ ବିରୋଧରେ ଷଡଯନ୍ତ୍ର କରି ମାନସିକ ନିର୍ଯ୍ୟାତନା ଦେଉଥିଲେ। ଏହା ଶିକ୍ଷା ଅଧିକାରୀ ଜାଣିଥିଲେ ମଧ୍ୟ କିଛି ପଦକ୍ଷେପ ନେଉ ନ ଥିଲେ। ବରଂ ସେମାନଙ୍କୁ ସାହାଯ୍ୟ କରୁଥିଲେ। ମୃତ ଶିକ୍ଷକଙ୍କ ପତ୍ନୀ ଏଥିନେଇ କୋରାପୁଟ ଟାଉନ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ୩୧୯/୧୯ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲା। ସେତେବେଳେ ମଧ୍ୟ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନାମ ସିଧାସଳଖ ଆସି ନ ଥିଲା। ବୁଲେଇ ବଙ୍କେଇ ତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। ତେଣୁ ଜିଲ୍ଲା ଶିକ୍ଷା ଅଧିକାରୀ ଏହି ମାମଲାରେ ଫସିବେ କି ନାହିଁ ତାକୁ ନେଇ ଶିକ୍ଷକ ସମାଜ ଓ ସାଧାରଣ ଲୋକଙ୍କ ମନରେ ଆରମ୍ଭରୁ ଦ୍ବନ୍ଦ ରହିଥିଲା। ଏପରିକି ଶିକ୍ଷକଙ୍କ ମୃତ୍ୟୁ ପରେ ପରେ ସୁଇସାଇଡ ନୋଟରେ ନାଁ ଥିବା ଲୋକମାନେ ଫେରାର ହୋଇ ଯାଇଥିଲାବେଳେ ଶିକ୍ଷା ଅଧିକାରୀ କୋରାପୁଟରେ ରହିଥିଲେ। ନିୟମିତ ଅଫିସ କାମ ବି କରିଥିଲେ। କିନ୍ତୁ କିଛି ଦିନ ପରେ ପୁଲିସକୁ ଜଣାଇ ଛୁଟିରେ ଚାଲି ଯାଇଥିଲେ।

କଟକ ସିଡିଏ ଅଂଚଳରୁ ପୁଲିସ ତାଙ୍କୁ ଗିରଫ କରି ଗତକାଲି କୋର୍ଟ ଚାଲାଣ କରିଛି। ହଠାତ ପୁଲିସ ତାଙ୍କୁ ଗିରଫ କରିବାକୁ ଶିକ୍ଷକ ସମାଜ ସହଜରେ ଗ୍ରହଣ କରି ପାରି ନାହାନ୍ତି। ଏହି ମାମଲାରେ ତାଙ୍କ ସଂପୃକ୍ତି ନେଇ ଆରମ୍ଭରୁ ଦ୍ବନ୍ଦ ରହିଥିଲାବେଳେ ପୁଲିସ ବି ମୁହଁ ଖୋଲୁ ନ ଥିଲା। ତେଣୁ ଏହାକୁ ନେଇ ଶିକ୍ଷା ବିଭାଗରେ ବିଭିନ୍ନ ଆଲୋଚନା ହେଉଥିଲା। କିନ୍ତୁ ତାଙ୍କ ଗିରଫ ପଛରେ ପ୍ରମାଣ ରହିଥିବା କହିଛି ପୁଲିସ। ଏକ ବିଶ୍ବାସଯୋଗ୍ୟ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଡିଇଓଙ୍କ ବିରୋଧରେ ମୋଟ ୯ଟି ପ୍ରମାଣ ଯୋଗାଡ କରିଛି ପୁଲିସ। ଏଫଆଇଆରରେ ତାଙ୍କ ନାମ ରହିଥିଲାବେଳେ ସୁଇସାଇଡାଲ ନୋଟରେ ବି ନାମ ରହିଛି। ମୋବାଇଲ ଫୋନ କଲ ଡିଟେଲସ ରିପୋର୍ଟ ଅନୁସାରେ ଡିଇଓ ହିଁ ତାଙ୍କୁ ଡିସେମ୍ବର ୮ ତାରିଖ ସକାଳ ୮ଟାରେ ତାଙ୍କ ବାସଭବନକୁ ଡାକିଥିଲେ। ଆଉ ଏହା ପରେ ହିଁ ସେ ଆତ୍ମହତ୍ୟା କରିଥିଲେ। ଡିଇଓଙ୍କ ଦୈନନ୍ଦିନ ଖର୍ଚ୍ଚର ତାଲିକା ପୁଲିସ ଜବତ କରିଥିଲାବେଳେ ଏଥିରେ ଶିକ୍ଷକ ଚିତ୍ତ ରଂଜନ ପଣ୍ଡା ଡିଇଓଙ୍କ ପାଇଁ କ’ଣ କ’ଣ କିଣିଥିଲେ ତା’ର ତାଲିକା ରହିଛି। ଡିଇଓ ଏବଂ ତାଙ୍କ ପତ୍ନୀଙ୍କ ମୋବାଇଲ ଓ ଟିଭି ରିଚାର୍ଜ ଶିକ୍ଷକ ଚିତ୍ତ ରଂଜନ ପଣ୍ଡା ହିଁ କରୁଥିଲେ। ତେଣୁ ଡିଇଓଙ୍କ ଶିକ୍ଷକଙ୍କୁ ଆର୍ଥିକ ନିର୍ଯ୍ୟାତନା ଦେଉଥିବା ପୁଲିସ ସନ୍ଦେହ କରୁଛି। ସେହିପରି ଅଭିଯୁକ୍ତ ସମୀର ପାତ୍ରଙ୍କ ସମେତ ଆଉ କିଛି ଲୋକଙ୍କ ବୟାନ ଡିଇଓଙ୍କ ବିରୋଧରେ ଯାଇଛି। ଡିଇଓ ଡିସେମ୍ବର ୮ ତାରିଖରେ ଶେଷ ଥର ପାଇଁ ଚିତ୍ତରଂଜନ ପଣ୍ଡାଙ୍କୁ ଡିଇଓ ଦେଖିଥିଲେ ଓ ତାଙ୍କ ସହ କଥା ହୋଇଥିଲେ। ଏପଟେ ଶିକ୍ଷକଙ୍କ ମୃତ୍ୟୁର କିଛି ଦିନ ପରେ ଡିଇଓ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଛୁଟିରେ ଚାଲି ଯାଇଥିଲେ। ଏହା ପୁଲିସର ସନ୍ଦେହ ବଢାଇ ଦେଇଥିଲା। ତେଣୁ ତାଙ୍କୁ ପୁଲିସ ଗିରଫ କରିଥିବା କହିଛି। ଡିଇଓଙ୍କ ଗିରଫ ପାଇଁ ପୁଲିସ ଏହି ସବୁ କାରଣ ଦର୍ଶାଇ ଗତକାଲି କୋର୍ଟ ଚାଲାଣ କରାଯିବା ପରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ସମ୍ବନ୍ଧିତ ଖବର