ଚନ୍ଦ୍ରପୁରରେ ଟେଲି ସେବା ବିପର୍ଯ୍ୟସ୍ତ

ଚନ୍ଦ୍ରପୁର : ରାୟଗଡା ଜିଲ୍ଲାର ଚିର ଅବହେଳିତ ଦୁର୍ଗମ ଚନ୍ଦ୍ରପୁର ବ୍ଲକବାସୀଙ୍କୁ ସମସ୍ୟା ପିଛା ଛାଡୁନାହିଁ। ଆଧୁନିକ ଜ୍ଞାନ କୌଶଳର ଉପଯୋଗ କରି ମଣିଷ ଗ୍ରହ, ନକ୍ଷତ୍ରମାନଙ୍କର ନିକଟବର୍ତ୍ତୀ ହେବାକୁ ସକ୍ଷମ ହୋଇପାରିଥିବା ବେଳେ ଚନ୍ଦ୍ରପୁରବାସୀଙ୍କ ପାଇଁ ସର୍ବନିମ୍ନ ସୁବିଧା ମିଳିପାରିନାହିଁ। କେନ୍ଦ୍ର ଏବଂ ରାଜ୍ୟ ସରକାର ମୌଳିକ ସେବା ଯୋଗାଇ ଦିଆଯାଉଥିବା ଡିଣ୍ଡିମ ପିଟୁଥିବା ବେଳେ ତାହା ଚନ୍ଦ୍ରପୁରବାସୀଙ୍କ ପ୍ରହସନ ପାଲିଟିଛି। ନକ୍ସଲ ପ୍ରବଣ ଉକ୍ତ ଅଞ୍ଚଳରେ ୨୦୦୫ ମସିହାରୁ ଉପଲବ୍ଧ କରାଯାଇଥିବା ଭାରତ ସଂଚାର ନିଗମ ଲିମିଟେଡର ଟେଲିଫୋନ ସେବାକୁ ବିଚାରକୁ ନିଆଯାଇପାରେ।

ପୂର୍ବତନ ସରପଞ୍ଚ ତଥା ବିଜୁ ଜନତା ଦଳର ଜଣେ ବରିଷ୍ଠ କର୍ମକର୍ତ୍ତା ସୁବାସ ମାଝୀଙ୍କ କହିବା ଅନୁସାରେ ଚନ୍ଦ୍ରପୁର ଅଞ୍ଚଳର ଏକ ମାତ୍ର ବିଏସଏନଏଲ ସେବା ବିଦ୍ୟୁତ ସରବରାହ ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ। ମାସର ଅର୍ଦ୍ଧାଧିକ ଦିନ ଘୋଷିତ, ଅଘୋଷିତ ବିଦ୍ୟୁତକାଟ ସମସ୍ୟା ଲାଗି ରହୁଥିବାରୁ ହଜାର ହଜାର ଟେଲିଫୋନ ଉପଭୋକ୍ତା ବ୍ୟସ୍ତ, ବିବ୍ରତ ହେବା ସହ ସମୟ ଏବଂ ଆର୍ଥିକ ଶୋଷଣର ଶିକାର ହେଉଛନ୍ତି। ବିକଳ୍ପ ବ୍ୟବସ୍ଥା ପାଇଁ ଜେନେରେଟର ଅକାମୀ ଥିବା ବେଳେ ବ୍ୟାଟେରୀ ଅଶକ୍ତ ଏବଂ ନେଟ୍‌ ସେବା ମଧ୍ୟ ମନ୍ଥର। ଜରୁରୀ ସୂଚନାର ଆଦାନ ପ୍ରଦାନ ଠପ୍‌ ହୋଇଯାଇଥିବାରୁ ସ୍ୱାଭାବିକ ଜୀବନ ଯାତ୍ରା ବିପର୍ଯ୍ୟସ୍ତ ହେଉଛି। ସ୍ଥାନୀୟ ପ୍ରଶାସନ, ଉଚ୍ଚ କର୍ତ୍ତୃପକ୍ଷ ଏବଂ ରାଜନୈତିକ ନେତୃବୃନ୍ଦ ଏସଂକ୍ରାନ୍ତରେ ଜାଣିଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରୁନଥିବାରୁ ତୁରନ୍ତ ସମାଧାନ ପାଇଁ ଦାବି କରିଛନ୍ତି। ଅଞ୍ଚଳବାସୀଙ୍କ ପକ୍ଷରୁ ବିଏସଏନଏଲର ମହାପ୍ରବନ୍ଧକ, ଉପଖଣ୍ଡ ଅଧିକାରୀ ଏବଂ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ଏକ ଦାବିପତ୍ର ମାଧ୍ୟମରେ ତୁରନ୍ତ ଏହି ବ୍ୟବସ୍ଥାରେ ସୁଧାର ଆଣିବାକୁ ନିବେଦନ କରାଯାଇଛି।

ସମ୍ବନ୍ଧିତ ଖବର