୫ ବର୍ଷ ପରେ ତାଜା ହେଲା ବାଘ ଭୟ : ବର୍ଣ୍ଣେଇ ସଂରକ୍ଷିତ ଜଙ୍ଗଲରେ ୨ ଅଣ୍ଡିରା ବାଘ

ବାଘର ନୂଆ ଫଟୋ ଭାଇରାଲ : ଡିଏଫ୍‌ଓଙ୍କ ଅସ୍ବୀକାର

ବଲାଙ୍ଗୀର : ବଡ଼ମାଳ ‌ଗୋଳାବାରୁଦ କାରଖାନା ନିକଟରେ ରାସ୍ତା ଉପରେ ବାଘଙ୍କ ଭିଡିଓ ଭାଇରାଲ ହେବାର ଦିନକ ପରେ ଆଜି ଜିଲ୍ଲାରେ ଆଉ କେତେକ ବାଘ ଫଟୋ ଭାଇରାଲ ହୋଇଛି। ଏକ ଫଟୋରେ ଗୋଟିଏ ବାଘ ରାସ୍ତା କଡ଼ରେ ପଡ଼ିଥିବା ବାଇକ୍ ପାଖରେ ବସିଥିବା ଦେଖିବାକୁ ମିଳୁଛି। ସେଠାରେ ଅନ୍ୟ କେତୋଟି ବାଇକ ମଧ୍ୟ ରହିଛି। ତେବେ ଏସବୁ ଫଟୋ ବଡ଼ମାଳ ଅଞ୍ଚଳ କି ବଲାଙ୍ଗୀର ଜିଲ୍ଲାର ନୁହେଁ ବୋଲି ଡିଏଫ୍‌ଓ ସମୀର କୁମାର ଶତପଥୀ।

ବଲାଙ୍ଗୀର : ପାଞ୍ଚ ବର୍ଷ ପରେ ପୁଣି ବଲାଙ୍ଗୀର ଜିଲ୍ଲାରେ ତାଜା ହୋଇଛି ବାଘ ଭୟ। ୨୦୧୩ ନଭେମ୍ବର ୧୩ ତାରିଖରେ ଜିଲ୍ଲାର ବଡମାଳ ଗୋଳାବାରୁଦ କାରଖାନା ସୁରକ୍ଷା ବାଡ଼ ନିକଟରେ ରହିଥିବା ପିପୃଟ ଗାଁକୁ ଏକ କଲରାପତରିଆ ବାଘ ପଶି ଆସିଥିଲା। ବାଘକୁ ଦେଖି ଗାଁ ଲୋକେ ଛାନିଆ ହୋଇ ଯାଇଥିଲେ। ବାଘ ମଧୢ ପ୍ରାୟ ଆଠ ନ ଜଣ ଗ୍ରାମବାସୀଙ୍କୁ ଆକ୍ରମଣ କରି ଆହତ କରିଥିଲା। ଶେଷରେ ଗାଁ ଲୋକେ ବାଘକୁ ପିଟି ପିଟି ମାରିଦେଇଥିଲେ। ବଡ଼ମାଳ ଗୋଳାବାରୁଦ କାରଖାନା ରାସ୍ତା ଉପରେ ଗତ ଗୁରୁବାର ରାତିରେ ଦୁଇଟି କଲରାପତରିଆ ବାଘ ବୁଲିବା ଘଟଣା ଜଣାପଡ଼ିବା ପରେ ପୁଣି ୫ ବର୍ଷ ତଳର ସ୍ମୃତି ତାଜା ହୋଇଛି। ଗୋଳାବାରୁଦ କାରଖାନା ଅଞ୍ଚଳରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। ବନ ବିଭାଗ କର୍ମଚାରୀମାନେ ବି ସେହି ଅଞ୍ଚଳକୁ ଯାଇ ଲୋକଙ୍କୁ ସତର୍କ ଓ ସଚେତନ କରାଉଥିବା ଜଣାପଡ଼ିଛି।

ବଡ଼ମାଳ ଅଞ୍ଚଳରେ ବାଘ କିଛି ନୂଆ କଥା ନୁହେଁ। ପିପୃଟ ଘଟଣା ପରେ ୨୦୧୪ ମସିହା ନଭେମ୍ବର ୧୧ ତାରିଖରେ ସ୍ଥାନୀୟ ସିକେର ଗାଁର ଜଣେ ବ୍ୟକ୍ତି ଜଂଗଲରୁ ଏକ ବାଘଛୁଆ ପାଇଥିଲେ। ଏହାକୁ ସେ ନିଜ ଘରେ ଆଣି ରଖିଥିଲେ। ଖବର ପାଇ ବନବିଭାଗ ସେହି ବାଘ ଛୁଆକୁ ନେଇ ନନ୍ଦନକାନନରେ ରଖିବା ବ୍ୟବସ୍ଥା କରିଥିଲା। ସେହିପରି କିଛି ଦିନ ତଳେ ମୁରିବାହାଲ ରେଞ୍ଜ ଅନ୍ତର୍ଗତ ଚଲକି ଗାଁ ନିକଟରେ ରାସ୍ତା କଡ଼ରେ ଦିନ ଦିପହରରେ ବାଘ ଗୋଟିଏ ବାଛୁରିକୁ ମାରି ଖାଉଥିବା ଦୃଶ୍ୟ ଲୋକେ ଦେଖିଥିଲେ। କେବଳ ଏତିକି ନୁହେଁ ଡୁମେରବାହାଲ ପ୍ରକଳ୍ପରୁ ବଡମାଳ ଗୋଳାବାରୁଦ କାରଖାନାକୁ ଜଳ ଯୋଗାଣ ପାଇଁ ଯେଉଁ ପାଇପ୍‌ଲାଇନ୍‌ ରହିଛି ତାହା ଉପରେ ମଧୢ ବାଘ ବସିଥିବାର ଦୃଶ୍ୟ କିଛିଦିନ ତଳେ ଭାଇରାଲ ହୋଇଥିଲା। ଏହା ତ ଜଙ୍ଗଲ ଭିତରର କଥା। କିଛି ଦିନ ହେଲାଣି ବଡମାଳ ଗୋଳାବାରୁଦ କାରଖାନାର କର୍ମଚାରୀ କଲୋନି ଅଞ୍ଚଳରୁ ବି ବୁଲାକୁକୁରଙ୍କ ସ˚ଖ୍ୟା କମିବାରେ ଲାଗିଥିଲା। କଲୋନୀ ପାଖ ଅଞ୍ଚଳରେ ବାଘ ବୁଲୁଥିବାର କିଛି ଲୋକେ ଦେଖିଥିବା କହୁଥିଲେ। ତେବେ ଏହାକୁ ଅନ୍ୟମାନେ ଗୁଜବ ବୋଲି ଭାବୁଥିଲେ। କିନ୍ତୁ ଗୁରୁବାର ରାସ୍ତା ଉପରେ ବାଘ ବୁଲୁଥିବା ଭିଡିଓ ଭାଇରାଲ ହେବା ପରେ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି।

ଗତକାଲି ସମ୍ବାଦରେ ଏହି ଖବର ପ୍ରକାଶ ପାଇବା ପରେ ବଲାଙ୍ଗିର ଡିଏଫଓ ସମୀର କୁମାର ଶତପଥୀ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧୢାନ କରିଛନ୍ତି। କହିଛନ୍ତି ଯେ ବାଘ ସଂପର୍କରେ ସ୍ଥାନୀୟ ଲୋକେ ଅବଗତ ଅଛନ୍ତି। ପାଇପ୍ ଲାଇନ୍‌ ପାଣି ଟାଙ୍କି ଆଖ ପାଖ ଅଞ୍ଚଳରେ ଏହି ଅଣ୍ଡିରା କଲରାପତରିଆ ବାଘ ଦୁଇଟି ରହୁଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ ଯେ ବଲାଙ୍ଗୀର ଜିଲ୍ଲାରେ ଏବେ ୧୧ଲକ୍ଷ ୫ଶହ ୬୭.୬୧ ହେକ୍ଟର ଜଙ୍ଗଲ ରହିଛି। ଜଙ୍ଗଲ ସଂରକ୍ଷଣ ଅପେକ୍ଷା କୃତ୍ରିମ ଜଙ୍ଗଲ ସୃଷ୍ଟିକୁ ଗୁରୁତ୍ବ ଦିଆଯାଇଥିବା କହିଛନ୍ତି ଡିଏଫ୍ଓ ଶ୍ରୀ ଶତପଥୀ। ୨୦୧୬ ବାଘଗଣନାରୁ ରାଜ୍ୟରେ ୩୧୮ଟି କଲରା ପତରିଆ ବାଘ ରହିଥିବା ବେଳେ ବଲାଙ୍ଗୀର ଜିଲ୍ଲାରେ ୨ଟି ଅଣ୍ଡିରା ବାଘ ଥିବା ଦର୍ଶାଯାଇଛି। ସମ୍ଭବତଃ ଏହି ଦୁଇ ଅଣ୍ଡିରା କଲରା ପତରିଆ ବଡମାଳ ବର୍ଣ୍ଣେଇ ଜଙ୍ଗଲ ଅଞ୍ଚଳରେ ଘୁରି ବୁଲୁଥିବା ଅନୁମାନ କରିଛନ୍ତି ଶ୍ରୀ ଶତପଥୀ। ତେବେ ବଡମାଳ ଓ ଆଖପାଖରେ ଥିବା ଜଙ୍ଗଲ ଗାଁଗୁଡ଼ିକ ଲୋକେ ଯେମିତି ସୁରକ୍ଷିତ ରହିବେ ସେଥିପ୍ରତି ଦୃଷ୍ଟି ଦିଆଯାଉଛି। ହାତୀ, ଭାଲୁ ଆକ୍ରମଣରେ ଲୋକେ ମୃତାହତ ହୋଇଥିବା ବେଳେ ଆଜି ଯାଏ ଏହି ଦୁଇ ବାଘ ଦ୍ବାରା କେହି ମୃତାହତ ହୋଇ ଥିବା ନଜିର ରହିଛି। ଲୋକଙ୍କୁ ସଚେତନ କରିବା ପାଇଁ ବନ ବିଭାଗ ପକ୍ଷରୁ ବଡମାଳ ଓ ଆଖପାଖ ଜନବସତିରେ ବନ ବିଭାଗ କର୍ମଚାରୀମାନେ ନିୟୋଜିତ ହୋଇଥିବା ଡିଏଫ୍ଓ ଶ୍ରୀ ଶତପଥୀ କହିଛନ୍ତି।

ସେହିପରି ଟିଟିଲାଗଡ଼ ରେଞ୍ଜର ଜିତେନ୍ଦ୍ରିୟ ନନ୍ଦ କହିଛନ୍ତି ଯେ ପୂର୍ବ ଅପେକ୍ଷା ଏହି ଜଙ୍ଗଲରେ କଲରାପତରିଆ ବାଘଙ୍କ ସ˚ଖ୍ୟା ବଢିଥିବା ଅନୁମାନ କରାଯାଉଛି। ବାଘ ଗଣନା ପାଇଁ ଗତ ଅକ୍ଟୋବର ମାସରେ ଜଙ୍ଗଲରେ କ୍ୟାମେରା ଲଗାଯାଇ ଥିଲା। ଗତ ୬ ତାରିଖ ଦିନ ଏହି କ୍ୟାମେରା ଖୋଲା ଯାଇ ଯାଞ୍ଚ ପାଇଁ ପଠାଯାଇଛି। ରିପୋର୍ଟ ଆସିବା ପରେ ବାଘଙ୍କ ସଠିକ୍‌ ସ˚ଖ୍ୟା ଜଣାପଡ଼ିବ। ତେବେ ବାଘ ସ˚ଖ୍ୟା ବଢୁଥିବା ବେଳେ ବାଘ ଯେପରି ଜନବସତିକୁ ନ ପଶିବ ଏହାକୁ ନେଇ ବନବିଭାଗ ସଜାଗ ଅଛି ବୋଲି ସେ କହିଛନ୍ତି।

କିଛି ଦିନ ତଳେ ମହାବଳ ବାଘୁଣୀ ସୁନ୍ଦରୀ ଅନୁଗୁଳ ଜିଲ୍ଲାରେ ଆତଙ୍କ ଖେଳାଇ ଦେଇଥିଲା। ସୁନ୍ଦରୀ ପାଇଁ କେତେ କସରତ କରାଗଲା। ଶେଷରେ ନିଶ୍ଚେତକ ଦିଆଯାଇ ତାକୁ ଉଦ୍ଧାର କରାଯାଇଥିଲା। ‌କିନ୍ତୁ ସୁନ୍ଦରୀ ପ୍ରାଣ ହରାଇଲା। ସୁନ୍ଦରୀ କାହାଣୀ ଲୋକଙ୍କ ମନରୁ ନଲିଭୁଣୁ ଏହି ଦୁଇ ଅଣ୍ଡିରା କଲରାପତରିଆ ଏବେ ବଡ଼ମାଳ ଅଞ୍ଚଳରେ ଆତଙ୍କର କାରଣ ହେବେ ନାହିଁ ତ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି। କିଛି ଦିନ ତଳେ ଏହି ଅଞ୍ଚଳରେ ଏକ ଭାଲୁ ଆକ୍ରମଣରେ କିଛି ଲୋକ ଆହତ ହୋଇଥିଲେ। କିନ୍ତୁ ଲୋକଙ୍କ ଆକ୍ରମଣରେ ଭାଲୁର ଜୀବନ ଯାଇଥିଲା। ତେଣୁ ବଡ଼ମାଳରେ କଲରାପତରିଆଙ୍କ ଉପସ୍ଥିତି କେଉଁ ପରିସ୍ଥିତି ସୃଷ୍ଟି କରିବାକୁ ଯାଉଛି ତାହାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଛି। ବନବିଭାଗ ଏକସମୟରେ ଦୁଇ ବାଘଙ୍କୁ ଓ ଲୋକଙ୍କୁ କେମିତି ସୁରକ୍ଷା ଦେବେ ତାହା ଦେଖିବାକୁ ବାକି ରହିଛି।

ସମ୍ବନ୍ଧିତ ଖବର