ସରକାରୀ ଜମିରେ ଇଟା ଭାଟି : ବେପାରୀଙ୍କ କବଜାରେ ଶହଶହ ଏକର ଜମି, ନଦୀପଠା

ଯାଜପୁରରୋଡ୍ : ସରକାରୀ ଜମିରେ ଚାଲିଛି ବେଧଡ଼କ ଇଟାଭାଟି। ବେପାରୀଙ୍କ କବଜାରେ ରହିଛି ଶହ ଶହ ଏକର ଜମି ଓ ନଦୀପଠା। ମାତ୍ର କାର୍ଯ୍ୟାନୁଷ୍ଠାନ ନେଇ ପ୍ରଶାସନ କୁନ୍ଥକୁନ୍ଥ। ଗତକାଲି ମାତ୍ର ଦୁଇଟି ଇଟାଭାଟି ଉପରେ ଚଢ଼ଉ କରି ସାମ୍ବାଦିକ ସମ୍ମିଳନୀ ଡାକି ପ୍ରଶାସନ ବାହାବାହା ନେବା ପାଇଁ ଯୋଜନା କରିଥିଲା ବେଳେ ବିବାଦ ଭିତରକୁ ଠେଲି ହୋଇଯାଇଛି।

ଅନୁସଂଧାନରୁ ଜଣାପଡ଼ିଛି ଯେ ଯାଜପୁର ତହସିଲ ଅଧୀନ ମାଧପୁର ଆରଆଇ ସର୍କଲର ସଠିପୁର, ବ୍ରଜନଗର, ରୁଢିଆ, ମାଧପୁର, ବାଲିପସି, ବ୍ୟାସନଗର ତହସିଲ ଅନ୍ତର୍ଗତ ପାଣିକୋଇଲି ଆରଆଇ ସର୍କଲର ନୁରୁଗାଁ, ପଥରପଦା, କାଜିପାଟଣା, ପାଣିକୋଇଲି ପ୍ରଭୃତିରେ ଶହ ଶହ ଖୋଲା ଇଟାଭାଟି ରହିଛି। ସେହିପରି ବୁଢା ନଦୀ ପଠାରେ ନଦୀବନ୍ଧକୁ ପାର୍ଶ୍ବରେ ୪ଟି ବିଶାଳ ଚିମିନି ଇଟା ଭାଟି ରହିଛି। ବର୍ଷ ବର୍ଷ ଧରି ଚାଲିଥିବା ପୋଡ଼ା ଇଟା ପାଇଁ ଶହ ଶହ ଏକର ମୂଲ୍ୟବାନ ସରକାରୀ ଜମି ପରିତ୍ୟକ୍ତ ହେବାରେ ଲାଗିଛି। ଏଥିରେ‌ ଅନେକ ପ୍ରଭାବଶାଳୀ ଲୋକଙ୍କ ହାତ ଥିବା ବେଳେ ପ୍ରଶାସନ ହାତବାନ୍ଧି ବସିଛି। ଗତକାଲି ମାତ୍ର ଦୁଇଟି ଇଟାଭାଟି ଉପରେ ଚଢ଼ଉ କରି ଧର୍ମକୁ ଆଖିଠାର ମାରିଛି। ଏହା ପ୍ରଭାବଶାଳୀ ଲୋକଙ୍କ ଚାପରେ ଚଢଉ ହୋଇଥିଲା ନା ବନ୍ଦ କରାଗଲା, ସେ ନେଇ ସ୍ପଷ୍ଟ ଉତ୍ତର କାହାରି ନିକଟରେ ନାହିଁ।

ଶହ ଶହ ଏକର ସରକାରୀ ଜମି ମଧ୍ୟରେ ଜଙ୍ଗଲ ଜମି ଠାରୁ ଆରମ୍ଭ କରି ନଦୀ ପଠା ଇଟା ବ୍ୟବସାୟୀ ଖୋଳି ତାଡ଼ି ବିକ୍ରି କରିବାରେ ଲାଗିଛନ୍ତି। ସରକାର କୋଟି କୋଟି ଟଙ୍କା ଘେରି ବନ୍ଧ ତିଆରି କରୁଥିବା ବେଳେ ଇଟା ବ୍ୟବସାୟୀ ଘେରି ବନ୍ଧ ତାଡ଼ି ଖୋଳି ଗାଡ଼ କରି ଦେଲେଣି। ଏଭଳି ସଂବେଦନଶୀଳ ଘଟଣା ପାଣିକୋଇଲି-ସଠିପୁର ଦେଇ ଯାଜପୁର ଜିଲ୍ଲା ସଦର ମହକୁମା ଯାଜପୁର ଟାଉନକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ପାର୍ଶ୍ବରେ ଚାଲିଛି। ଶହ ଶହ ବେଆଇନ୍ ଖୋଲା ଇଟାଭାଟି ସରକାରୀ ଜମିରେ ନିୟମିତ ଚାଲିଛି। ଗତ ୨ ଦିନ ମଧ୍ୟରେ ପ୍ରଶାସନ ‌୨ଟି ଚିମିନି ଭାଟି ଓ ଫ୍ଲାଏ ଆସ୍ ଇଟା ଭାଟିରେ ଚଢଉ କରିବା ଘଟଣା ବିଭିନ୍ନ ମହଲରେ ଆଲୋଡ଼ନ ସୃଷ୍ଟି କରିଛି। ଏପରିକି ବେଆଇନ୍ କୁହାଯାଉଥିବା ସନ୍ତୋଷ ବେହେରାଙ୍କ ଇଟାଭାଟିରୁ ପ୍ରଶାସନ ପ୍ରତିବର୍ଷ ୬୦ ହଜାର ଟଙ୍କା ଲେଖାଁଏ ରାଜସ୍ବ କିପରି ନେଉଥିଲେ, ତାହା ମଧ୍ୟ ଅଧିକାରୀଙ୍କ ଅସଲ ଚେହେରାକୁ ପଦାରେ ପକାଇ ଦେଇଛି।

ସମ୍ବନ୍ଧିତ ଖବର