କାହ୍ନା ଅଭୟାରଣ୍ୟରୁ ସାତକୋଶିଆକୁ ବାଘ ସ୍ଥାନାନ୍ତର : ମାସ ଶେଷ ସୁଦ୍ଧା ବାଘ ଆସିବ

ହାତୀ ଉପରେ ବସି ଟ୍ରାଙ୍କୁଲାଇଜ୍‌ କରିବେ ଅଧିକାରୀ

ଭୁବନେଶ୍ୱର : ମଧ୍ୟପ୍ରଦେଶର କାହ୍ନା ଅଭୟାରଣ୍ୟରୁ ସାତକୋଶିଆ ଅଭୟାରଣ୍ୟକୁ ଦୁଇଟି ନୁହେଁ ଆସିବ ଗୋଟିଏ ବାଘ। ଏନେଇ ୬ ମାସ ହେଲା ଚାଲିଥିବା ପ୍ରକ୍ରିୟା ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ପ୍ରଥମେ ଏପ୍ରିଲ ମାସ ସୁଦ୍ଧା ଦୁଇଟି ବାଘ ଆଣିବାକୁ ଉଦ୍ୟମ ହୋଇଥିଲା। କିନ୍ତୁ ସଫଳତା ମିଳିପାରି ନ ଥିଲା। ଏବେ ନିଷ୍ପତ୍ତିି ହୋଇଛି ଯେ ପ୍ରଥମ ପର୍ଯ୍ୟାୟରେ ଗୋଟିଏ ଅଣ୍ଡିରା ବାଘ ଅଣାଯିବ। ବାଘ ଆଣିବା ନେଇ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତୃପକ୍ଷ(ଏନ୍‌ଟିସିଏ) ଓ ଭାରତୀୟ ବନ୍ୟପ୍ରାଣୀ ପ୍ରତିଷ୍ଠାନ ସଦସ୍ୟଙ୍କ ସହ ସମସ୍ତ ପ୍ରକ୍ରିୟା ଶେଷ ହୋଇଛି। ଚଳିତ ମାସ ସୁଦ୍ଧା ବାଘ ସାତକୋଶିଆରେ ପହଞ୍ଚିବ ବୋଲି ଜଙ୍ଗଲ ଓ ପରିବେଶ ବିଭାଗ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି।

ସାତକୋଶିଆ ବାଘ ଅଭୟାରଣ୍ୟରେ ବାଘ ବଂଶ ବୃଦ୍ଧି ପାଇଁ ୨୦୧୮ ଆରମ୍ଭରୁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଥିଲେ। ଏନେଇ ମଧ୍ୟପ୍ରଦେଶ ସରକାରଙ୍କୁ ଅନୁରୋଧ କରିବା ସହ ଉଭୟ ରାଜ୍ୟର ସରକାରଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଶେଷରେ ନିଷ୍ପତ୍ତି ହୋଇଥିଲା ଯେ କାହ୍ନା ଅଭୟାରଣ୍ୟରୁ ଦୁଇ ଯୋଡ଼ା ବାଘ ଆଣି ସାତକୋଶିଆରେ ଛଡ଼ାଯିବ। ଏନେଇ ବ୍ୟାପକ ଆଲୋଚନା ହୋଇଥିଲା। ଏ ନେଇ କେନ୍ଦ୍ର ସରକାରଙ୍କ ଅନୁମତି ମିଳିଥିବାରୁ ଆସନ୍ତା ୧୫ ଦିନ ବାଘ ସ୍ଥାନାନ୍ତର ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।

ସଚିବ ଶ୍ରୀ ମହାପାତ୍ର କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନୁମତି ମିଳିସାରିଛି। ତେଣୁ ବାଘ ସ୍ଥାନାନ୍ତରରେ କୌଣସି ଅସୁବିଧା ହେବନି। ବାଘକୁ କିଭଳି ଟ୍ରାଙ୍କୁଲାଇଜ୍‌ କରାଯିବ ସେନେଇ କଥାବାର୍ତା ଚାଲିଛି। ବାଘ ରହିବା ପାଇଁ ସାତକୋଶିଆ ବାଘ ଅଭୟାରଣ୍ୟରେ ଏକ କେଜ୍‌ କରାଯାଇଛି। ସେଠାରେ ବାଘକୁ ରଖାଯିବ। ସ୍ଥାନାନ୍ତର ପାଇଁ ମଧ୍ୟପ୍ରଦେଶ ସରକାର ଗାଡ଼ି ଯୋଗାଇ ଦେବେ। ଓଡ଼ିଶାରୁ ଏକ ଟିମ୍‌ ସେଠାକୁ ଯିବ। ଏଥିରେ ପ୍ରାଣୀ ଚିକିତ୍ସକଙ୍କ ସହ ଜଙ୍ଗଲ ବିଭାଗର ଅଧିକାରୀ ରହିବେ। ଯେଉଁମାନେ ଟିମ୍‌ରେ ରହିବେ ସେମାନେ ଇତିମଧ୍ୟରେ ସେଠାକୁ ଯାଇ ବୁଲି ଦେଖି ଆସିବା ସହ ତାଲିମ ନେଇସାରିଛନ୍ତି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର