ନକ୍ସଲଙ୍କ ଗୁଳିମାଡ଼ରେ ଟିପର ଚାଳକ ମୃତ!

ବଣାଇଁଗଡ଼/କଲେଇପୋଷ/ଲହୁଣିପଡ଼ା : ଲହୁଣିପଡା ଥାନା ଟେନସା ଫାଣ୍ଡି ଅନ୍ତର୍ଗତ ବରସୁଆଁ ନିକଟ ବାଉରକଳା-କୁସୁମଡିହି ରାସ୍ତାରେ ଗତ ରାତି ୮ଟାରେ ଗୁଳିିମାଡ଼ରେ ବାଉରକଳାର ଟିପର ଚାଳକ ସୁନିଲ ମୁଣ୍ଡା (୩୧)ଙ୍କ ମୃତ୍ୟୁ ଘଟିଛି। ଗୁଳିମାଡରେ ଫ୍ରାନ୍‌ସିସ ମୁଣ୍ଡା (୩୬) ଓ ଟୁଇଁଚା ମୁଣ୍ଡା (୩୦) ଆହତ ହୋଇଛନ୍ତି। ଗୁଳି ମାଡ଼ର ୧୫ ଘଣ୍ଟା ପରେ ମୃତାହତଙ୍କୁ ଲହୁଣିପଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଗୁରୁତର ଟୁଇଁଚାକୁ ଲହୁଣିପଡ଼ା ଡାକ୍ତରଖାନାରୁ ରାଉରକେଲାକୁ ସ୍ଥାନାନ୍ତର କରାଯାଇଛି। ଘଟଣା ପଛରେ ନକ୍ସଲଙ୍କ ସମ୍ପୃକ୍ତି ଥିବା ଚର୍ଚ୍ଚା ହେଉଛି।

ଗତକାଲି ସନ୍ଧ୍ୟାରେ ବାଉରକଳା ତଳବସ୍ତିର ସୁନିଲ ମୁଣ୍ଡା, ଟୁଇଁସା ମୁଣ୍ଡା ଓ ଫ୍ରାନ୍ସସିସ୍‌ ମୁଣ୍ଡା କେତେକ ଲୋକ ଉପରବସ୍ତିର ଜଣଙ୍କ ଘରକୁ ଶୁଦ୍ଧିକ୍ରିୟାରେ ଯୋଗ ଦେବାକୁ ଯାଇଥିଲେ। ଭୋଜି ଖାଇ ରାତି ୮ଟାରେ ସୁନିଲ, ଟୁଇଁସା ଓ ଫ୍ରାନ୍‌ସିସ୍‌ ଘରକୁ ଫେରୁଥିଲେ। ପ୍ରାୟ ଅଧ କିଲୋମିଟର ଆସିବା ପରେ କୁଡୁସାହି ନିକଟରେ ଅଚାନକ ଜଙ୍ଗଲରୁ ଆଖିବୁଜା ଗୁଳିମାଡ଼ ହୋଇଥିଲା। ଗୋଟିଏ ଗୁଳି ସୁନିଲ ମୁଣ୍ଡାଙ୍କ ଛାତିକୁ ଭେଦି ଯିବାରୁ ସେ ତଳେ ପଡ଼ି ଯାଇଥିଲେ। ୨ଟି ଗୁଳି ଟୁଇଁସା ମୁଣ୍ଡାର ବାମ ହାତ ଓ ଜଂଘରେ ଲାଗିବାରୁ ସେ ମଧ୍ୟ ତଳେ ପଡ଼ି ଯାଇଥିଲେ। ମାତ୍ର ଫ୍ରାନ୍‌ସିସ ରକ୍ଷା ପାଇ ଯାଇଥିଲେ। ତାଙ୍କ ଛାତିରେ ଘସି ହୋଇ ଗୁଳି ଚାଲିଯିବାରୁ ସେ ସାମାନ୍ୟ ଆହତ ହୋଇଥିଲେ। ଘଟଣାସ୍ଥଳରେ ୩ ଜଣ ରକ୍ତ ଜୁଡ଼ୁବୁଡ଼ୁ ହୋଇ ପଡ଼ିଥିବା ବେଳେ କିଛି ସମୟ ପରେ ଭୋଜି ଖାଇ ଫେରୁଥିବା ବସ୍ତିର ଅନ୍ୟ ଲୋକେ ସେମାନଙ୍କୁ ଉଦ୍ଧାର କରିଥିଲେ। ସେତେବେଳକୁ ସୁନିଲଙ୍କ ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର