ଟିଟିଲାଗଡ଼ ଓ ସୋନପୁରରେ ତାତି ୩୫ଂ ଛୁଇଁଲା
ଭୁବନେଶ୍ୱର : ଏବେଠାରୁ ତାତିଲାଣି ପଶ୍ଚିମ ଓଡ଼ିଶା। ସବୁ ସହରର ତାପମାତ୍ରା ୩୦ ଡିଗ୍ରି ଉପରକୁ ଚାଲିଯାଇଥିବା ବେଳେ ଚଳିତବର୍ଷର ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରି ଟପିଛି। ତତଲାଗଡ଼ ଭାବେ ପରିଚିତ ଟିଟିଲାଗଡ଼ ଓ ସୋନପୁରରେ ଆଜି ଦିନର ସର୍ବୋଚ୍ଚ ତାପମାତ୍ରା ଆଜି ୩୫ ଡିଗ୍ରି ଉପରେ ରହିଥିଲା। ସୋନପୁରରେ ୩୫.୨ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ଟିଟିଲାଗଡ଼ର ତାପମାତ୍ରା ୩୫ ଡିଗ୍ରିରେ ପହଞ୍ଚିଛି।
Sambad is now on WhatsApp
Join and get latest news updates delivered to you via WhatsApp
କଟକ, ଭୁବନେଶ୍ୱର ସମେତ ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା ଆଜି ୩୩ ଡିଗ୍ରି ଉପରେ ରହିଥିଲା। ମୋଟ ୧୧ଟି ସହରର ତାପମାତ୍ରା ୩୩ ଡିଗ୍ରି ଉପରେ ଥିବା ବେଳେ ୫ଟି ସହରରେ ୩୪ ଡିଗ୍ରି ଟପିଛି। ଦିନର ତାପମାତ୍ରା ବଢ଼ୁଥିବାରୁ ଆଗକୁ ତାତି ଅସହ୍ୟ ହେବାର ଆଶଙ୍କା ମଧ୍ୟ ପ୍ରକାଶ କରାଯାଇଛି। ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ରାତି ସମୟର ତାପମାତ୍ରା ବି ବଢ଼ୁଥିବା ଲକ୍ଷ୍ୟ ରଖାଯାଇଛି। ପାରାଦ୍ୱୀପ, ପୁରୀ ସହରର ସର୍ବନିମ୍ନ ତାପମାତ୍ରା ଇତି ମଧ୍ୟରେ ୨୦ ଡିଗ୍ରି ଉପରକୁ ଚାଲିଯାଇଛି।
ପାଣିପାଗ କେନ୍ଦ୍ର ନିର୍ଦେଶକ ଶରତ ସାହୁଙ୍କ ଆକଳନ କହୁଛି ଏଥର ଶୀଘ୍ର ଗ୍ରୀଷ୍ମ ପ୍ରବାହ ହୋଇଛି। ଝାଞ୍ଜି ପବନ ସହ ସୂର୍ଯ୍ୟଙ୍କ ପ୍ରକୋପ ଯୋଗୁଁ ତାତି ବଢ଼ୁଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଏଭଳି ଗୋଟିଏ ଦୁଇ ଡିଗ୍ରି ଏପାଖ ସେପାଖ ରହିବ। ଏହି ସମୟ ମଧ୍ୟରେ ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ ତାପମାତ୍ରା ୩୬ ଡିଗ୍ରି ଝୁଇଁବାର ସମ୍ଭାବନା ରହିଛି। ଆଗଭଳି ରାତିରେ ଆଉ ସେତେଟା ଥଣ୍ଡା ଅନୁଭୂତ ହେବନି। ଉପକୂଳ ଓଡ଼ିଶାରେ କିନ୍ତୁ କୁହୁଡ଼ିର ପ୍ର୍ରକୋପ ବଢ଼ିବ। ୨୦୦ ମିଟର ପରେ ରାସ୍ତା ଠିକ୍ ଭାବେ ଦୃଶ୍ୟମାନ ହେବ ନାହିଁ। ଭୋର ସମୟରେ ହିଁ କୁହୁଡ଼ି ବଢ଼ିବ। ୮ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଜାରି ରହିବ।
ଜାତୀୟସ୍ତରର ପାଣିପାଗ ବିଜ୍ଞାନୀଙ୍କ ଆକଳନ କହୁଛି ୧୩ରୁ ୧୫ ତାରିଖ ବେଳକୁ ଓଡ଼ିଶାର କେତେକ ସ୍ଥାନରେ ହାଲକା ବର୍ଷା ହୋଇପାରେ। ଉତ୍ତର ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଏହାର ପ୍ରଭାବ ରହିବ। ବର୍ଷା ହେଲେ ମଧ୍ୟ ତାହା ପ୍ରଭାବରେ ତାପମାତ୍ରା କମିବାର ସମ୍ଭାବନା ନାହିଁ। ଏନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ କରାଯାଇନି।
ଗତ ୨୪ ଘଣ୍ଟାରେ ଟିଟିଲାଗଡ଼, ସୋନପୁର ବ୍ୟତୀତ ବଲାଙ୍ଗିରରେ ୩୪.୨ ଡିଗ୍ରି ରେକର୍ଡ କରାଯାଇ ଥିବାବେଳେ ଅନୁଗୁଳରେ ୩୪.୧, ମାଲକାନଗିରିରେ ୩୪, ସମ୍ବଲପୁରରେ ୩୩.୭, କଟକ ଓ ତାଳଚେରରେ ୩୩.୬, ଭୁବନେଶ୍ୱରରେ ୩୩.୫, ଝାରସୁଗୁଡ଼ା ଓ ହୀରାକୁଦରେ ସର୍ବୋଚ୍ଚ ତାପମାତ୍ରା ୩୩.୩ ଡିଗ୍ରି ରହିଥିଲା। ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୭.୫ ଡିଗ୍ରି ଓ ସୁନ୍ଦରଗଡ଼ରେ ୯ ଡିଗ୍ର୍ରି ରହିଥିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।