ଆଜି ସବ୍‌ସିଡି ନିଷ୍ପତ୍ତି: ଏୟାର ଏସିଆର କ୍ୱାଲାଲମ୍ପୁର ଉଡ଼ାଣ ଭବିଷ୍ୟତ

ଭୁବନେଶ୍ୱର: ଆଗାମୀ ଦିନରେ ଏୟାର ଏସିଆ ଭୁବନେଶ୍ୱରରୁ କ୍ୱାଲାଲମ୍ପୁରକୁ ବିମାନ ଉଡ଼ାଣ କରିବ କି ନାହିଁ ସେନେଇ ବୁଧବାର ଆପାତତଃ ନିଷ୍ପତ୍ତି ନିଆଯିବ। ବିମାନ ଉଡ଼ାଣ ପାଇଁ ରାଜ୍ୟ ସରକାର ଏୟାର ଏସିଆକୁ ସବ୍‌ସିଡି ଦେଉଥିବାବେଳେ ଆଗାମୀ ଦିନରେ ଏହା ଦେବେ କି ନାହିଁ, ଯଦି ଦେବେ କେତେ ଦେବେ, କେଉଁ ସର୍ତ୍ତରେ ଦେବେ ସେନେଇ ବୁଧବାର ନିଷ୍ପତ୍ତି ହେବ। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ବୈଠକରେ ରାଜ୍ୟ ପର୍ଯ୍ୟଟନ ବିଭାଗ ଏବଂ ଏୟାର ଏସିଆ କର୍ତ୍ତୃପକ୍ଷ ବସି ଆଲୋଚନା ହେବା ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ବିଶ୍ୱସ୍ତ ସୂତ୍ରରୁ ଜାଣିବାକୁ ମିଳିଛି। ଏପ୍ରିଲ ୨୬,୨୦୧୭ରୁ ଭୁବନେଶ୍ୱରରୁ କ୍ୱାଲାଲମ୍ପୁରକୁ ସପ୍ତାହକୁ ଚାରିଦିନ ବିମାନ ସେବା ଆରମ୍ଭ କରିଥିବା ଏୟାର ଏସିଆ ରାଜ୍ୟ ସରକାରଙ୍କ ଠାରୁ ପ୍ରତି ଉଡ଼ାଣ ପିଛା ୧ଲକ୍ଷ ୭୦ହଜାର ଟଙ୍କା ସବ୍‌ସିଡି ପାଉଥିଲା। ଯାତ୍ରୀ ସଂଖ୍ୟା ଆଶାତିତ ବୃଦ୍ଧି ପାଇବାରୁ ଏୟାର ଏସିଆ ନଭେମ୍ବର ୨୬ରୁ ସପ୍ତାହକୁ ୭ଦିନ ବିମାନ ସେବା ଆରମ୍ଭ କରିଥିଲା। ଏପରିକି ଏହି ବର୍ଷକରେ ରାଜ୍ୟ ସରକାର ସପ୍ତାହକୁ ୪ଦିନ ହିସାବରେ ପ୍ରାୟ ୬କୋଟି ଟଙ୍କା ସବ୍‌ସିଡି ଦେଇଥିଲେ। ଏହାପରେ ଏବେ ସବ୍‌ସିଡି ଦିଆଯାଉନି। ଏବେ ଏୟାର ଏସିଆ ପ୍ରତ୍ୟେକ ଉଡ଼ାଣ ପାଇଁ ସବ୍‌ସିଡି ମାଗୁଥିବାରୁ ଏହା ଦିଆଯିବ କି ନାହିଁ ସେନେଇ କିଛି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇପାରିନି। ଏୟାର ଇଣ୍ଡିଆ ସପ୍ତାହକୁ ତିନିଦିନ ଭୁବନେଶ୍ୱରରୁ ବ୍ୟାଙ୍କକ୍‌କୁ ବିମାନ ଉଡ଼ାଣ କରୁଥିଲେ ହେଁ ସବ୍‌ସିଡି ନେଉଥିବାରୁ ରାଜ୍ୟ ସରକାର କାହିଁକି ଏୟାର ଏସିଆକୁ ସବ୍‌ସିଡି ଦେଉଛନ୍ତି ବୋଲି ପ୍ରଶ୍ନ ଉଠିଛି। ଏପରିକି ଏନେଇ ଆଇନଗତ ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ଅଛି। ତେଣୁ ରାଜ୍ୟ ସରକାର ସବ୍‌ସିଡି ଅବଧି ବଢ଼ାଇଲେ କ’ଣ ସର୍ତ୍ତ ରଖିବେ ସେନେଇ ଏବେ ମାନସମନ୍ଥନ ଚାଲିଛି। ମିଳିଥିବା ସୂଚନା ଅନୁଯାୟୀ, ଏୟାର ଏସିଆ କର୍ତ୍ତୃପକ୍ଷ କହିଛନ୍ତି ଯେ, ରାଜ୍ୟ ସରକାର ସପ୍ତାହକୁ ୭ଦିନ ୧ଲକ୍ଷ ୭୦ହଜାର ଲେଖାଏଁ ସବ୍‌ସିଡି ପ୍ରଦାନ କଲେ କ୍ୱାଲାଲମ୍ପୁରକୁ ଉଡ଼ାଣ ସମ୍ଭବ ହେବ। କିନ୍ତୁ ରାଜ୍ୟ ସରକାର ଏତେ ଟଙ୍କା ଦେଇପାରିବେନି ବୋଲି ରୋକଠୋକ୍‌ ମନା କରିଦେଇଛନ୍ତି।

ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏୟାର ଏସିଆ ନିକଟରେ ସର୍ତ୍ତ ରଖାଯାଇଛି ଯେ, ଯଦି ପୂର୍ବଭଳି ସବ୍‌ସିଡି ଅର୍ଥ ସମାନ ରହିବ ତେବେ ୬ମାସ ପାଇଁ ଏହା ଦିଆଯିବ। ବର୍ଷକ ପାଇଁ ଦେଲେ ଉଡ଼ାଣ ପିଛା ୧ଲକ୍ଷରୁ ୧ଲକ୍ଷ ୨୦ହଜାର ଟଙ୍କା ପର୍ଯ୍ୟନ୍ତ ସବ୍‌ସିଡି ଦିଆଯିବ। ଏହାବାଦ୍‌ ଏହି ସବ୍‌ସିଡି ଦେବା ପାଇଁ ଗୋଟିଏ ସର୍ତ୍ତ ରହିଛି ଯେ, ଏୟାର ଏସିଆ ୬ମାସ ମଧ୍ୟରେ ଭୁବନେଶ୍ୱରରୁ ବ୍ୟାଙ୍କକ୍‌ କିମ୍ବା କଲୋମ୍ବୋକୁ ବିମାନ ସେବା ଆରମ୍ଭ କରିବ।ଉକ୍ତ ଅଧିକାରୀଙ୍କ ସୂଚନା ଅନୁଯାୟୀ, କଲୋମ୍ବୋରୁ ପ୍ରତିବର୍ଷ ୭ଲକ୍ଷ ପର୍ଯ୍ୟଟକ ଭାରତ ଆସୁଥିବାବେଳେ ଅଧିକାଂଶ ପର୍ଯ୍ୟଟକ ବୋଧଗୟା ବିମାନବନ୍ଦର ଦେଇ ଯାତାୟତ କରୁଛନ୍ତି। ତେଣୁ ଏୟାର ଏସିଆ କର୍ତ୍ତୃପକ୍ଷ ଚାହିଁଲେ ବୋଧଗୟାରୁ ଭୁବନେଶ୍ୱର ଦେଇ କଲୋମ୍ବୋକୁ ବିମାନ ଉଡ଼ାଣ କରିବାକୁ ପ୍ରସ୍ତାବ ଦିଆଯାଇଛି। ଏୟାର ଇଣ୍ଡିଆ ଭୁବନେଶ୍ୱରରୁ ବ୍ୟାଙ୍କକ୍‌କୁ ବିମାନ ଉଡ଼ାଣ କରୁଥିଲେ ହେଁ ଏହାର ଉଡ଼ାଣ ନେଇ ଅନିଶ୍ଚିତତା ଲାଗି ରହିଥିବାରୁ ରାଜ୍ୟ ସରକାର ଏୟାର ଏସିଆ କ୍ଷେତ୍ରରେ ରିସ୍କ ନେବାକୁ ଚାହୁଁନାହାନ୍ତି। ଅନ୍ତର୍ଜାତୀୟ ବିମାନ ଉଡ଼ାଣ କ୍ଷେତ୍ରରେ ଓଡ଼ିଶାରେ ବ୍ୟାପକ ସୁଯୋଗ ଥିବାରୁ ରାଜ୍ୟ ସରକାର ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ କରିବାକୁ ଚାହୁଁନାହାନ୍ତି। ତେଣୁ ବୁଧବାର ବୈଠକରେ କିଛି ନିଷ୍ପତ୍ତି ନିଆଯିବ ବୋଲି ଆଶା କରାଯାଉଛି।ଅପରପକ୍ଷେ ଏୟାର ଏସିଆ ପକ୍ଷରୁ ଭୁବନେଶ୍ୱରରୁ କ୍ୱାଲାଲମ୍ପୁରକୁ ଆସନ୍ତା ୬ମାସ ପାଇଁ ବୁକିଂ ଚାଲିଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର