ସମୁଦ୍ରରେ ଭାସି ଯାଇଥିବା ୨ ଛାତ୍ରଙ୍କ ଶବ ଉଦ୍ଧାର

ବ୍ରହ୍ମପୁର/ଗୋପାଳପୁର : ହୋଲି ଦିନ ଗୋପାଳପୁର ସମୁଦ୍ରକୁ ଗାଧୋଇ ଯାଇଥିବା ବେଳେ ବ୍ରହ୍ମପୁରର ୩ ଜଣ ଛାତ୍ର ଭାସି ଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଛାତ୍ରଙ୍କ ମୃତ ଦେହ ସେହି ଦିନ ଉଦ୍ଧାର ହୋଇଥିଲା। ଅନ୍ୟ ଦୁଇ ଜଣ ଛାତ୍ରଙ୍କ ଶବ ଦୀର୍ଘ ୪୦ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ପରେ ଓଡ୍ରାଫ୍‌ ଟିମ୍‌, ପୁଲିସ ଓ ଦମକଳ ବାହିନୀର ମିଳିତ ଅପରେସନ୍‌ ଯୋଗୁଁ ଗୋପାଳପୁର ବନ୍ଦର ଅଞ୍ଚଳରୁ ଆଜି ଉଦ୍ଧାର କରାଯାଇଛି। ଏ ନେଇ ବ୍ରହ୍ମପୁର ଆସିଷ୍ଟାଣ୍ଡ ଫାୟାର୍‌ ଅଫିସର୍‌ ସନାତନ ମହାପାତ୍ର ସୂଚନା ଦେବା ପରେ ଉଭୟଙ୍କ ଶବ ବ୍ୟବଚ୍ଛେଦ କରାଯାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି।

ଗତ ୨ ତାରିଖ ଦିନ ବଡ଼ ବଜାର ଥାନା ହରିଡ଼ାଖଣ୍ଡି ଅମ୍ବିକା ନଗରର ଟି. ସିଦ୍ଧାନ୍ତ ପାତ୍ର, ସାନବଜାର ନୂଆ ସାହିର ଏ. ଲୋକେଶ ଓ ଲାଲା ସାହିର ଡି.ହିତେଶ ହୋଲି ଖେଳ ସାରି ସାଙ୍ଗମାନଙ୍କ ସହିତ ଗୋପାଳପୁର ସମୁଦ୍ରକୁ ଗାଧୋଇବାକୁ ଯାଇଥିଲେ। ସେମାନଙ୍କୁ ପୁଲିସ ବାରଣ କରିବାରୁ ସେଠାରୁ ସେମାନେ ନିକଟ ହରିପୁର ସମୁଦ୍ର ମୁହାଣରେ ଗାଧୋଇ ଥିଲେ। ପ୍ରବଳ ଜୁଆରରେ ସିଦ୍ଧାନ୍ତ, ଲୋକେଶ ଏବଂ ହିତେଶ ସମୁଦ୍ର ଗର୍ଭକୁ ଭାସି ଯାଇଥିଲେ। ଅନ୍ୟ ସାଙ୍ଗମାନେ ସ୍ଥାନୀୟ ଲୋକଙ୍କୁ ଡାକିଥିଲେ। ପ୍ରାୟ ଘଣ୍ଟାଏ ପରେ ହରିପୁର ମୁହାଣ ନିକଟରୁ ସିଦ୍ଧାନ୍ତଙ୍କୁ ଉଦ୍ଧାର କରା ଯାଇଥିଲା। ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କିନ୍ତୁ ହିତେଶ ଓ ଲୋକେଶଙ୍କ କୌଣସି ଖୋଜ ଖବର ମିଳି ନଥିଲା।

ସମ୍ବନ୍ଧିତ ଖବର