୫ ବିଶ୍ୱବିଦ୍ୟାଳୟକୁ ୧୮ କୋଟି ୬୦ ଲକ୍ଷ

ବିଶ୍ୱବିଦ୍ୟାଳୟ ଭିତ୍ତିଭୂମି ବିକାଶ ଲାଗି ଅର୍ଥ ମଞ୍ଜୁର

ରେଭେନ୍ସା ଓ ଉତ୍କଳର ଦ୍ୱିତୀୟ କ୍ୟାମ୍ପସ ଲାଗି ସାଢ଼େ ୧୬ କୋଟି

ଭୁବନେଶ୍ୱର : ୨୦୧୭-୧୮ ଶିକ୍ଷାବର୍ଷରେ ରାଜ୍ୟର ୫ ବିଶ୍ୱବିଦ୍ୟାଳୟ ଭିତ୍ତିଭୂମି ବିକାଶ ଲାଗି ୧୮ କୋଟି ୬୦ ଲକ୍ଷ ୨୭ ହଜାର ୩୦୦ ଟଙ୍କା ମଞ୍ଜୁର କରିଛି ଉଚ୍ଚଶିକ୍ଷା ବିଭାଗ। ରେଭେନ୍ସା ବିଶ୍ୱବିଦ୍ୟାଳୟ ଲାଗି ସବୁଠାରୁ ଅଧିକ ୯ କୋଟି ଟଙ୍କା ବରାଦ କରାଯାଇଥିବା ବେଳେ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟକୁ ୬୬ ହଜାର ୩୦୦ ଟଙ୍କା ଦିଆଯାଇଛି। ଉତ୍କଳ ଏବଂ ରେଭେନ୍ସା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସର ଭିତ୍ତିଭୂମି ଲାଗି ଅର୍ଥ ବରାଦ ହୋଇଥିବା ବେଳେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ୍‌ ନେଇ କୌଣସି ବି ସୂଚନା ଦିଆଯାଇନି। ତିନି ବର୍ଷ ହେଲା ଦ୍ୱିତୀୟ କ୍ୟାମ୍ପସ କଥା ଉଠୁଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଜମି ଚିହ୍ନଟ କରିପାରି ନାହିଁ ଉଚ୍ଚଶିକ୍ଷା ବିଭାଗ।

ରେଭେନ୍ସା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସର ଭିତ୍ତିଭୂମି ଲାଗି ୯ କୋଟି ଟଙ୍କା ବରାଦ କରାଯାଇଛି। ୧୪ କୋଟି ୪୬ ଲକ୍ଷ ଟଙ୍କାରେ ହେବାକୁ ଥିବା କ୍ୟାମ୍ପସର ପ୍ରଶାସନିକ କୋଠା ଲାଗି ପ୍ରାରମ୍ଭିକ ପର୍ଯ୍ୟାୟରେ ୩ କୋଟି ମଞ୍ଜୁର ହୋଇଛି। ଛାତ୍ରାବାସ ଓ ଛାତ୍ରୀନିବାସ ନିର୍ମାଣ ଲାଗି ୧୪ କୋଟି ୪୧ ଲକ୍ଷ ଟଙ୍କା ଲେଖାଏ ଖର୍ଚ୍ଚ ହେବ। ଉଭୟ ହଷ୍ଟେଲ ପାଇଁ ୩ କୋଟି ଲେଖାଏ ଦିଆଯାଇଛି। ଉତ୍କଳ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସର ଭିତ୍ତିଭୂମି ଲାଗି ମଧ୍ୟ ୭ କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ଏକାଡେମିକ୍‌ ବିଲ୍‌ଡିଂ ଲାଗି ୬ କୋଟି ୫୬ ଲକ୍ଷ ଟଙ୍କା ଖର୍ଚ୍ଚ ହେବାକୁ ଥିବା ବେଳେ ୨ କୋଟି ବରାଦ କରାଯାଇଛି। ପ୍ରଶାସନିକ କୋଠା ନିର୍ମାଣ ଲାଗି ୧୫ କୋଟି ୬୬ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଏବେ ୨ କୋଟି ମଞ୍ଜୁର ହୋଇଛି। ଛାତ୍ରୀନିବାସ-୧ ନିର୍ମାଣ ପାଇଁ ୧ କୋଟି ୧୭ ଲକ୍ଷ ଖର୍ଚ୍ଚ ହେବାକୁ ଥିବା ବେଳେ ୩ କୋଟି ୫୦ ଲକ୍ଷ ମଞ୍ଜୁର କରାଯାଇଛି।

ସେହିପରି ପୁରୀସ୍ଥିତ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ୪ର୍ଥ ଏକାଡେମିକ୍‌ ବ୍ଲକ ଲାଗି ୨ କୋଟି, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଜନସ୍ୱାସ୍ଥ୍ୟ କାର୍ଯ୍ୟ ପାଇଁ ୯ ଲକ୍ଷ ୬୧ ହଜାର ଏବଂ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟକୁୁ ପାଲୁର ହିଲ୍‌ରେ ଡିଜିଟାଲ ସାଇଟ୍‌ ସର୍ଭେ ଅଫ୍‌ ଲ୍ୟାଣ୍ଡ ଲାଗି ୬୬ ହଜାର ୩୦୦ ଟଙ୍କା ବରାଦ କରାଯାଇଛି।

ସମ୍ବନ୍ଧିତ ଖବର