କୋଣାର୍କରେ ବିପଦସଙ୍କୁଳ ଅବସ୍ଥାରେ ବିଦ୍ୟୁତ୍‌ ସରବରାହ

କୋଣାର୍କ : ପ୍ରଳୟଙ୍କରୀ ବାତ୍ୟା ‘ଫନି’ରେ ବିଦ୍ୟୁତ୍‌ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଥିଲା। ବିଭିନ୍ନ ସ୍ଥାନରେ ବିଦ୍ୟୁତ୍‌ ପୋଲ ଭାଙ୍ଗିବା ସହିତ ଗଛଲତା ପଡ଼ି ତାରଗୁଡ଼ିକ ନଷ୍ଟ ହୋଇଥିଲା। ତେବେ କୋଣାର୍କର ମୁଖ୍ୟ ବଜାର ଓ ବିଭିନ୍ନ ୱାର୍ଡକୁ ଯୁଦ୍ଧକାଳୀନ ଭିତ୍ତିରେ ଅସ୍ଥାୟୀ ଭାବେ ବିଦ୍ୟୁତ‌୍ ସରାବରାହ ଯୋଗାଇ ଦିଆଯାଇଥିଲା। ପରବର୍ତୀ ସମୟରେ ଏହାର ସ୍ଥାୟୀ ସମାଧାନ କରାଯିବ ବୋଲି ବିଦ୍ୟୁତ୍‌ ବିଭାଗର ଅଧିକାରୀମାନେ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ବାତ୍ୟାକୁ ଶହେ ଦିନ ବିତିଯାଇଥିଲେ ବି ଏ ପର୍ଯ୍ୟନ୍ତ ବିଦ୍ୟୁତ୍‌ ସେବା ସ୍ବାଭାବିକ ହୋଇପାରି ନାହିଁ।

ବିଭିନ୍ନ ସ୍ଥାନରେ କେବୁଲ ଓ ତାରଗୁଡ଼ିକ ନଡ଼ିଆ ଗଛରେ ବନ୍ଧା ହୋଇ ବିଦ୍ୟୁତ୍‌ ସରାବରାହ ଜାରି ରହିଛି। ସେହିପରି କିଛି ସ୍ଥାନରେ ବିଦ୍ୟୁତ୍‌ ତାର ବିପଜ୍ଜନକ ଅବସ୍ଥାରେ ଝୁଲି ରହିଛି। କେତେକ ସ୍ଥାନରେ ବାଉଁଶ ଖୁଣ୍ଟି ଆଶ୍ରାରେ ବିଦ୍ୟୁତ୍‌ ଯୋଗାଣ ହେଉଛି। ଫଳରେ କୌଣସି ମୁହୂର୍ତ୍ତରେ ଏକ ବଡ଼ ଧରଣର ଅଘଟଣ ଘଟିବାର ଆଶଙ୍କା ଦେଖାଦେଇଛି। ଅନ୍ୟପକ୍ଷରେ ବିଦ୍ୟୁତ୍‌ ବିଭାଗର କେବୁଲ ଓ ତାର ସଠିକ୍‌ ଭାବେ ମରାମତି ହୋଇନଥିବାରୁ ବିଭିନ୍ନ ୱାର୍ଡରେ ଷ୍ଟ୍ରିଟ୍‌ ଲାଇଟ୍‌ ସଂଯୋଗୀକରଣ କାର୍ଯ୍ୟ ମଧ୍ୟ ବାଧାପ୍ରାପ୍ତ ହେଉଛି। ବିନା କୌଣସି ସୂଚନାରେ ବାରମ୍ବାର ବିଦ୍ୟୁତ୍‌ କାଟ କରାଯାଉଥିବାରୁ ଅଞ୍ଚଳବାସୀ ତୀବ୍ର ଅସନ୍ତୋଷ ପ୍ରକଟ କରିଛନ୍ତି। ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବା ସହ ତୁରନ୍ତ ବିଦ୍ୟୁତ୍‌ ସରବରାହର ସ୍ଥାୟୀ ପ୍ରତିକାର ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହୋଇଛି।

 

ସମ୍ବନ୍ଧିତ ଖବର