ଝିଅ ପାଇଁ ୩ ବର୍ଷ ହେଲା ପରିବାର ଗାଁରୁ ବାସନ୍ଦ

ଖୋର୍ଦ୍ଧା : ଜଣେ ଯୁବତୀ ଗ୍ରାମରୁ ଫେରାର ହୋଇଯିବା ଘଟଣାକୁ ନେଇ ଯୁବତୀଙ୍କ ପରିବାରକୁ ଗ୍ରାମରୁ ବାସନ୍ଦ କରାଯାଇଛି। ୩ ବର୍ଷ ଧରି ବାସନ୍ଦ ଜୀବନ କଟାଉଥିବାବେଳେ ଏହାକୁ ନେଇ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ସଂପୃକ୍ତ ଯୁବତୀଙ୍କ ପିତା।

ମିଳିଥିବା ସୂଚନା ଅନୁଯାୟୀ, ବାଣପୁର ହରିଚନ୍ଦନପୁର ଗାଁର କପିଳେନ୍ଦ୍ର ନାୟକଙ୍କର ଝିଅ ସରିତା(ଛଦ୍ମନାମ) ଏକ ସରକାରୀ ପ୍ରାଥମିକ ସ୍କୁଲ୍‌ରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରନ୍ତି। ତିନି ବର୍ଷ ତଳେ ବାହାଘର ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା। କିନ୍ତୁ ବାହାଘର ଠିକ୍ ପୂର୍ବରୁ ଝିଅ କେଉଁଆଡ଼େ ଚାଲି ଯାଇଥିଲେ। ଏ ନେଇ କପିଳେନ୍ଦ୍ର ଥାନାରେ ଏତଲା ଦେଇଥିଲେ। ବହୁ ଖୋଜାଖୋଜି କରିବା ପରେ ଝିଅ ଜଣେ ସମ୍ପର୍କୀୟ ତଥା ବିବାହିତ ଭାଇ ବୈକୁଣ୍ଠ ନାୟକ ସହ ଫେରାର୍ ହୋଇ ଯାଇଥିବା ଜା‌ଣିବାକୁ ପାଇଥିଲେ। ତେବେ ଏହି ଘଟଣାକୁ କେନ୍ଦ୍ର କରି ଗାଁରେ କପିଳେନ୍ଦ୍ରଙ୍କ ପରିବାର ଉପରେ ୧ଲକ୍ଷ ଟଙ୍କା ଜରିମାନା କରାଯିବା ସହ ସମାଜରୁ ବାସନ୍ଦ କରାଯାଇଥିଲା। କପିଳେନ୍ଦ୍ର ବାଣପୁର ଥାନାରେ ଅଭିଯୋଗ କରିବା ପରେ ପୁଲିସ୍‌ ହସ୍ତକ୍ଷେପ କରିଥିଲା। ପୁଲିସ ହସ୍ତକ୍ଷେପ ଫଳରେ କପିଳେନ୍ଦ୍ରଙ୍କୁ ଜରିମାନା ଦେବାକୁ ପଡ଼ି ନଥିଲା। କିନ୍ତୁ ଦୀର୍ଘ ତିନି ବର୍ଷ ହେଲା ସାମାଜିକ ବାସନ୍ଦ କାଏମ ରହିଛି।

ଇତିମଧ୍ୟରେ ଫେରାର୍ ଥିବା ଝିଅ ଗାଁକୁ ଫେରିବା ପରେ ପୁଣି ଗ୍ରାମର କିଛି ବ୍ୟକ୍ତି ପରିବାର ସଦସ୍ୟଙ୍କୁ ମାରଧର କରିବା ସହ ହଇରାଣ ହରକତ କରିବା ନେଇ ବହୁବାର କପିଳେନ୍ଦ୍ର ଥାନାରେ ଅଭିଯୋଗ କରିଛନ୍ତି। ଗାଁର କିଛି ନିର୍ଦିଷ୍ଟ ବର୍ଗର ଲୋକଙ୍କ ଅତ୍ୟାଚାର ୨୦୧୬ ମସିହା ଠାରୁ ଅନବରତ ଚାଲିଆସିଛି। ଅନ୍ୟପକ୍ଷରେ ବୈକୁଣ୍ଠ ନିଜର ପ୍ରଥମ ସ୍ତ୍ରୀ ଓ ୧୨ ବର୍ଷର କନ୍ୟାକୁ ମଧ୍ୟ ଛାଡ଼ି ଦେଇଛି। ସେମାନେ ଏବେ ବାପଘରେ ରହୁଛନ୍ତି। ଏହି ଘଟଣାରେ ସହାୟତାର ହାତ ବଢ଼ାଇଛନ୍ତି କପିଳେନ୍ଦ୍ର। କପିଳେନ୍ଦ୍ର, ତାଙ୍କ ଦୁଇ ପୁଅ, ବୈକୁଣ୍ଠର ପ୍ରଥମ ସ୍ତ୍ରୀ ଓ କନ୍ୟା ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ସାକ୍ଷାତ କରି ଅଭିଯୋଗ ଜଣାଇଛନ୍ତି।

ସମ୍ବନ୍ଧିତ ଖବର