ସମସ୍ୟା ଘେରରେ ଦୁର୍ଗମ ପଡାଆଉଁଳି ଗାଁ

ତେନ୍ତୁଳିଖୁଣ୍ଟି : ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଲମତାଗୁଡା ପଞ୍ଚାୟତର ଦୁର୍ଗମ ପଡାଆଉଁଳି ଗାଁ ବିିଭିନ୍ନ ସମସ୍ୟାରେ ବୁଡି ରହିଛି। ତେବେ ସମସ୍ୟାର ସମାଧାନ ନିମନ୍ତେ ପ୍ରଶାସନ ପକ୍ଷରୁ ଦୃଷ୍ଟି ଦିଆଯାଉନଥିବାରୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି।

ପଡାଆଉଁଳି ଗ୍ରାମରେ ୬୧ଟି ପରିବାରରୁ ୩ଶହରୁ ଊର୍ଧ୍ୱ ଜଣ ବସବାସ କରୁଛନ୍ତି। ଗ୍ରାମବାସୀ ମୁଖ୍ୟତଃ ଦିନ ମଜୁରିଆ ହୋଇଥିବା ବେଳେ ଏମାନେ ଡଙ୍ଗର ଚାଷ ଓ ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭର କରି ପରିବାର ଚଳାଇଥାନ୍ତି। ତେବେ ବର୍ତମାନ ସୁଦ୍ଧା ଏହି ଗାଁକୁ ପକ୍କା ରାସ୍ତା ନଥିବାରୁ ଆମ୍ବୁଲାନ୍‌ସ ସେବା ପହଞ୍ଚି ପାରୁନି। ପ୍ରୋଜେକ୍ଟ ରାସ୍ତା ଠାରୁ ବେଜୁଗୁଡା ଭାୟା ଦେଇ ଉପରଗଡି ଗାଁ ପର୍ଯ୍ୟନ୍ତ ୬କିଲୋମିଟର ରାସ୍ତା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ତିଆରି ହୋଇଛି। ତେବେ ଏହି ରାସ୍ତା ଠାରୁ ପ୍ରାୟ ୧କିଲୋମିଟର ଦୂର ପଡାଆଉଁଳି ଗ୍ରାମ ପର୍ଯ୍ୟନ୍ତ ରାସ୍ତା ନଥିବାରୁ ଗ୍ରାମବାସୀ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ରାସ୍ତା ନଥିବାରୁ ଗ୍ରାମର ରୋଗୀ ତଥା ଗର୍ଭବତୀ ମହିଳାଙ୍କୁ ଖଟିଆରେ ଦୀର୍ଘ ୧କିଲୋମିଟର ବୁହା ଯାଉଛି।

ଅନ୍ୟପଟେ ଏହି ଗ୍ରାମର ବୁଦୁ ଜାନୀ ଓ ଆଦି ଜାନୀ ଭଳି ଅନେକ ଗରିବ ପରିବାରକୁ ରାସନ କାର୍ଡ ମିଳିପାରିନି। ଗ୍ରାମର ଅନେକ ହିତାଧିକାରୀ ଚାଳ ଛପର କୁଡିଆରେ ରହଥିଲେ ହେଁ ବର୍ତମାନ ସୁଦ୍ଧା ବିଜୁ ପକ୍କାଘର କିମ୍ବା ଇନ୍ଦିରା ଆବାସ ଯୋଜନାରେ ସାମିଲ କରାଯାଇନି। ଅନ୍ୟପଟେ ଗାଁରେ ଥିବା ଅଙ୍ଗନଓ୍ଵାଡି କେନ୍ଦ୍ରର ନିଜସ୍ୱ ଗୃହ ନଥିବାରୁ ଗ୍ରାମ ସୁବାସ ଜାନୀଙ୍କ ଘରେ କେନ୍ଦ୍ର ଚାଲୁଛି। ଦୀର୍ଘ ମାସ ହେଲା ଅଙ୍ଗନଓ୍ଵାଡି କେନ୍ଦ୍ର କାମ ଅଧପନ୍ତରିଆ ଅବସ୍ଥାରେ ପଡି ରହିଥିବାରୁ ଏଭଳି ସମସ୍ୟା ଉପୁଜିଛି। ଗାଁରେ ଗୋଟିଏ ମାତ୍ର ନଳକୂପ ରହିଥିବା ବେଳେ ଏହା ଗ୍ରାମବାସୀଙ୍କ ପାଇଁ ଯଥେଷ୍ଟ ହେଉନି। ତେଣୁ ଅନ୍ୟ ଏକ ନଳକୂପର ଆବଶ୍ୟକତା ରହିଥିବା ଗ୍ରାମବାସୀ କହିଛନ୍ତି।

ଏହି ଅଞ୍ଚଳରେ ସରକାରୀ ଯୋଜନାରେ କୌଣସି ଶ୍ରମଭିତ୍ତିକ କାର୍ଯ୍ୟ ମିଳୁନଥିବାରୁ ଲୋକେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଅନ୍ୟପଟେ ଦୀର୍ଘ ବର୍ଷ ହେଲା ଏଠାରେ ବସତି ସ୍ଥାପନ ହୋଇଥିଲେ ହେଁ ଅନେକ ପରିବାରକୁ ଜଙ୍ଗଲ ଜମି ପଟ୍ଟା ମିଳିପାରିନି। ଯଦି ଏହି ଗାଁକୁ ରାସ୍ତା ତିଆରି ହୁଏ ଆମ୍ବୁଲାନ୍‌ସ ସେବା ସହ ଅନ୍ୟ ସୁବିଧା ସୁଯୋଗ ଗାଁରେ ପହଞ୍ଚି ପାରିଥାନ୍ତା ବୋଲି ଗ୍ରାମର ମଧୁ ଜାନୀ, ଚନ୍ଦ୍ର ଜାନୀ, ରଇଲି ଜାନୀ ପ୍ରମୁଖ କହିଛନ୍ତି। ଗାଁକୁ ରାସ୍ତା ନିର୍ମାଣ ସହ ପାନୀୟ ଜଳ ଓ ସମସ୍ତ ହିତାଧିକାରୀଙ୍କୁ ବିଭିନ୍ନ ଯୋଜନାରେ ସାମିଲ କରିବାକୁ ଶୀଘ୍ର ପ୍ରଶାସନ ଦୃଷ୍ଟି ଦେବାକୁ ଗ୍ରାମର ବିଶୁ ଜାନୀ, ରାବଣୁ ଜାନୀ, ଦୁଃଖୁ ଜାନୀ, ବିନ୍ଦୁ ଜାନୀଙ୍କ ସମେତ ଅନ୍ୟ ମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର