ପ୍ରତୀକ୍ଷିତ ପ୍ରକଳ୍ପ

ଜଳ ହେଉ କି ସେତୁ, ରାଜ୍ୟର ବିଭିନ୍ନ ସ୍ଥାନରେ ବହୁ ପ୍ରକଳ୍ପ ଅଧପନ୍ତରିଆ ଅବସ୍ଥାରେ ପଡ଼ି ରହିଛି। ଏମିତି ବି ଶିଳାନ୍ୟାସ ପରେ ବର୍ଷବର୍ଷ ଧରି ସମୟ ଅତିବାହିତ ହୋଇଥିଲେ ମଧ୍ୟ ତାହା ଏଯାବତ୍‌ ଜୀବନ୍ୟାସ ପାଇନାହିଁ। ଫଳରେ, ଏହି ପ୍ରକଳ୍ପ ଉପରେ ନିର୍ଭରଶୀଳ ହଜାର ହଜାର ଲୋକ ପ୍ରଭାବିତ ହୋଇ ଆସୁଛନ୍ତି। ସେମାନଙ୍କ ଜୀବନ ଦୈନନ୍ଦିନୀରେ କୌଣସି ପରିବର୍ତ୍ତନ ହେଉନାହିଁ କିମ୍ବା ସେମାନଙ୍କ ସାମାଜିକ ଓ ଅର୍ଥନୈତିକ ଅବସ୍ଥା ଗତିଶୀଳ ନ ହୋଇପାରି ଗୋଟିଏ ବିନ୍ଦୁରେ ସ୍ଥିର ହୋଇ ରହିଯାଇଛି। ସରକାର ତଥା ପ୍ରଶାସନର କେବେ ଦୃଷ୍ଟି ପଡ଼ିବ? କେବେ ଶେଷ ହେବ ଏହି ପ୍ରତୀକ୍ଷିତ ପ୍ରକଳ୍ପ? ମନ ଭିତରେ ଉଙ୍କି ମାରୁଥିବା ଏହି ପ୍ରଶ୍ନ ସହିତ କିଛି ପ୍ରକଳ୍ପଗୁଡ଼ିକର ଭବିଷ୍ୟତକୁ ନେଇ ‘ସମ୍ବାଦ’ର ଏକ ସ୍ୱତନ୍ତ୍ର ଉପସ୍ଥାପନା।

ଜନ ସମର୍ଥନ ସତ୍ତ୍ୱେ ଝୁଲୁଛି ପ୍ରକଳ୍ପ

ବଲାଙ୍ଗୀର: ଲୋୟର ସୁକତେଲ ପ୍ରକଳ୍ପ ବଲାଙ୍ଗୀର ଜିଲ୍ଲାର ଜୀବନରେଖା। ଜିଲ୍ଲାର ନ୍ୟୂନତମ ଜଳସେଚନ ହାରକୁ ଦୃଷ୍ଟିରେ ରଖି ସରକାର ଏହି ପ୍ରକଳ୍ପ ଆରମ୍ଭ କରିଥିଲେ। ଲକ୍ଷ୍ୟଥିଲା ଚାଷୀଙ୍କ ସୁବିଧା ପାଇଁ ଜଳସେଚନ ବ୍ୟବସ୍ଥାକୁ ଅଧିକ ତ୍ୱରାନ୍ଵିତ କରାଯିବ। ନବେ ଦଶକରେ ସରକାର ଏହି ପ୍ରକଳ୍ପର ବି ଭିତ୍ତିପ୍ରସ୍ତର ଦେଇଥିଲେ। ମାତ୍ର, ୧୫ ବର୍ଷ ଧରି ଏହାକୁ ନେଇ ଅନିଶ୍ଚିତତା ଲାଗିରହିଛି। ବିପକ୍ଷବାଦୀଙ୍କ ତୁଳନାରେ ସପକ୍ଷବାଦୀଙ୍କ ସ୍ୱର ଭାରି ପଡ଼ିଥିଲେ ମଧ୍ୟ ସରକାର ଏହି ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ଵିତ କରିପାରିନାହାନ୍ତି। ବିସ୍ଥାପନ, ଥଇଥାନ, ଅଧିଗ୍ରହଣ ଓ ସମୟ ସହ ବଢୁଥିବା ବ୍ୟୟ ଅଟକଳ ଯୋଗୁଁ ଏହାର ଭାଗ୍ୟ ସୂତାଖିଅରେ ଝୁଲୁଛି।

ବଲାଙ୍ଗୀର ସଦର ବ୍ଲକ ଓ ଲୋଇସିଂହା ବ୍ଲକର ପ୍ରାୟ ୩୧ଟି ଗାଁ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଦ୍ୱାରା ପ୍ରଭାବିତ ହେବେ। ସେଥିମଧ୍ୟରୁ ୧୭ଟି ଗାଁ ନିଶ୍ଚିହ୍ନ ହୋଇଯିବେ। ୧୯୯୬ ମସିହାରେ ଏହି ପ୍ରକଳ୍ପ ପାଇଁ ୨୧୭କୋଟି ୧୩ ଲକ୍ଷ ଟଙ୍କା ଖର୍ଚ୍ଚ ଆକଳନ କରାଯାଇଥିଲା। ୨୦୦୯ ମସିହାରେ ସଂଶୋଧନ ହୋଇ ଏହା ୧୦୪୧.୮୧ କୋଟି ଟଙ୍କାରେ ପହଞ୍ଚିଲା। ଆଉ ୨୦୧୫ ମସିହାରେ ଏହି ପ୍ରକଳ୍ପର ହିସାବ ଛୁଇଁଛି ୨୪ଶହ ୪୮.୦୯ କୋଟି ଟଙ୍କାରେ। ୧୨୭୫ବର୍ଗ ମିଟର ଅଞ୍ଚଳରେ କେଚ୍‌ମେଣ୍ଟ ଅଞ୍ଚଳ ହୋଇଥିବା ବେଳେ ସର୍ବାଧିକ ୩୨.୦୨୮ ହେକ୍ଟା ମିଟର ଓ ସର୍ବନିମ୍ନ ୫.୬୮୫ ହେକ୍ଟା ମିଟର ଜଳଧାରଣ କ୍ଷମତା ରହିଛି। ପ୍ରକଳ୍ପ ହେଲେ ୫୩୨୪.୫୫ ହେକ୍ଟର ଜମି ବୁଡିବ। ସେଥିରେ ୫୮୩ ହେକ୍ଟର ଜଙ୍ଗଲ ଜମି, ୭୮୬ ହେକ୍ଟର ସରକାରୀ ଜମି, ୮୦୧ ହେକ୍ଟର ଚାଷ ଜମି ଓ ୩୯୫୫.୫୫ ହେକ୍ଟର ଘରୋଇ ଜମି ଯିବ। ଏହି ପ୍ରକଳ୍ପ ପାଇଁ ୯୨୧୨ ପରିବାର ବିସ୍ଥାପିତ ହେବେ ବୋଲି ହିସାବ ଦିଆଯାଉଛି। ତେବେ ୧୯୯୬ରୁ ୨୦୧୩ ଯାଏ ବିରୋଧ ଯୋଗୁଁ କାମ ଇଞ୍ଚେ ବି ଆଗେଇ ପାରି ନଥିଲା। ୨୦୧୩ ଏପ୍ରିଲ ମାସ ୪ ତାରିଖରେ ଓସିସି ଆରମ୍ଭ କରିଥିଲା ସ୍ପିଲ୍‌ ୱେ କାମ। ୧୯୩.୫ ମିଟର ଲମ୍ବା ସ୍ପିଲ୍‌ ୱେ କାମ ଚାଲିଥିବା ବେଳେ ଆର୍ଥ ଡେମ୍‌ କାମ ହୋଇପାରି ନାହିଁ। ଏହି କାମ ବାବଦରେ ୨୦୧୭ ଡିସେମ୍ବର ସୁଦ୍ଧା ୧୩୦.୪୫ କୋଟି ଟଙ୍କା ଖର୍ଚ୍ଚ ହେଲାଣି। ସେହିପରି ଡାହାଣ କେନାଲ ଜରିଆରେ ୨୧ହଜାର ୬୧୦ ହେକ୍ଟର ଜମିକୁ ଓ ବାମ କେନାଲ ଜରିଆରେ ୧୦ହଜାର ୨୦୦ ହେକ୍ଟର ଜମିକୁ ଜଳସେଚନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ବଲାଙ୍ଗୀର, ଲୋଇସିଂହା, ସୋନପୁର ଜିଲ୍ଲାର ତରଭା, ଆଗଲପୁର ଓ ପାଟଣାଗଡ ବ୍ଲକର କିଛି ଅଞ୍ଚଳକୁ ଜଳସେଚନ ହୋଇପାରିବ। ସେହିପରି ଗତ ଅକ୍ଟୋବର ୨୬ ତାରିଖରେ ବାମ ଓ ଡାହାଣ କେନାକୁ ପାଇପ୍‌ ଲାଇନ୍‌ କରାଯିବ ବୋଲି ସରକାରଙ୍କ ଜଳସଂପଦ ବିଭାଗ ସ୍ପଷ୍ଟ କରିଛନ୍ତି। ଅନ୍ୟପଟେ କୋଏଣ୍ଡାପାଲି, ଖୁଣ୍ଟପାଲି, କଖାଲ, କୁଟେନସିଲାଟ, ବଡତେଲେନପାଲି, ସାନତେଲେନପାଲି, ପୋଢମୁଣ୍ଡ, ଚୁଡାପାଲି, ବରପିଟା, କଙ୍କରା, ଢୁଲୁସର, ବାରପୁଡୁଗିଆ, ଖଗସାବାହାଲ, ଗର୍ଜନ(ମାଗୁରବେଡ଼ା ଡେମ୍‌ ପାର୍ଶ୍ୱ କଲୋନି) ଓ ବାନ୍ଧନଘୋର(ଡେମ୍‌ ସଂଲଗ୍ନ ରାସ୍ତା) ଅଞ୍ଚଳର ୫ହଜାର ୫୧୯.୧୩ ଏକର ଅଧିଗ୍ରହଣ କରାଯିବାକୁ ଥିବାବେଳେ ୧୦୧କୋଟି ୧୮ଲକ୍ଷ ୩୬ହଜାର ୨୭୧ ଟଙ୍କା କ୍ଷତିପୂରଣ ଦିଆଯିବା କଥା। କିନ୍ତୁ ବିଭାଗ ପକ୍ଷରୁ ୧୧୨କୋଟି ୨୮ଲକ୍ଷ ୧୧ହଜାର ୩୪୦ ଟଙ୍କା ଦିଆଯାଇଛି। ବେଆଇନ ଭାବେ ଅଧିକ ଅର୍ଥ ଦିଆଯାଇଥିବାରୁ ସେହି ଟଙ୍କା ଫେରାଇବା ପାଇଁ ବିଭାଗ ନୋଟିସ୍‌ କରିଛି। କିନ୍ତୁ ଏଯାଏ କାହାରିକୁ ବିସ୍ଥାପିତ କରାଯାଇ ପାରିନାହିଁ। ଜଳସେଚନ ପ୍ରକଳ୍ପ ପକ୍ଷରୁ ବିସ୍ଥାପିତଙ୍କୁ ନୋଟିସ୍‌ କରାଯାଉଥିଲେ ବି କେହି ଶୁଣୁନାହାନ୍ତି। ସରକାର ୨୦୧୩ ଥଇଥାନ ନୀତି ଅନୁସାରେ ଏକ୍ସଗ୍ରାସିଆ ବା ଅନୁକମ୍ପାମୂଳକ ସହାୟତା ଦେବା ପାଇଁ ଯୋଜନା କରୁଛନ୍ତି ବୋଲି କହିଥିଲେ। କିନ୍ତୁ ଏନେଇ କିଛି ସ୍ପଷ୍ଟ ହୋଇପାରୁନାହିଁ।

କେନ୍ଦ୍ର, ରାଜ୍ୟ ଉଭୟ ଫେଲ୍‌!

ବ୍ୟାସନଗର: କେବେ ସରିବ ଯୋକଡ଼ିଆ ଜଳ ପ୍ରକଳ୍ପ? ସହରବାସୀ ପାଣି ପାଇବେ କେବେ? ଆନ୍ତରିକତା ଅଭାବ ନାଁ ଠିକାଦାରଙ୍କ ଦୟାରେ ଚାଲିଛି ଯୋକଡ଼ିଆ ଜଳ ପ୍ରକଳ୍ପ? ଏହିଭଳି ବିଭିନ୍ନ ପ୍ରଶ୍ନ ବ୍ୟାସନଗର ସହରବାସୀଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପ୍ରତିବର୍ଷ ସଚିବଙ୍କ ଠାରୁ ଆରମ୍ଭକରି ବିଭାଗୀୟ ଅଧିକାରୀମାନେ ଆସି ଏହାର ତଦନ୍ତ କରିବା ସହିତ ଯଥାଶୀଘ୍ର କାମ ସରିଯିବ ବୋଲି ପ୍ରତିଶ୍ରୁତି ଦେଉଥିବାବେଳେ ଦୀର୍ଘ ୯ ବର୍ଷ ପରେ ବି କାର୍ଯ୍ୟ ସରିପାରୁନାହିଁ। ଏଭଳି ସ୍ଥିତିରେ ଜଳ ସଂକଟ ଉତ୍କଟ ହେବାରେ ଲାଗିଛି। ଆଗକୁ ଆହୁରି ଉତ୍କଟ ହେବ ବୋଲି ବୁଦ୍ଧିଜୀବୀମାନେ ଆଶଙ୍କା ପ୍ରକଟ କରିଛନ୍ତି। ସହରର ଜଳକଷ୍ଟକୁ ନେଇ ୨୦୦୯ ମସିହାରେ ଏକ ଖସଡ଼ା ପ୍ରସ୍ତୁତ କରି କେନ୍ଦ୍ର ସରକାରଙ୍କୁ ହସ୍ତାନ୍ତର କରାଯାଇଥିଲା। କେନ୍ଦ୍ର ସରକାରଙ୍କ ଆର୍ଥିକ ସହାୟତାରେ ଯୋକଡ଼ିଆ ପାଣି ପ୍ରକଳ୍ପ ପାଇଁ ୧୪ କୋଟି ୨୯ ଲକ୍ଷ ୮୭ ହଜାର ଟଙ୍କା ମଞ୍ଜୁର କରାଯାଇଥିଲା। ଏହି ପ୍ରକଳ୍ପର କାମ ପାଇଁ ରାଜ୍ୟ ସରକାର ୨୦୦୯ ମସିହା ଅକ୍ଟୋବର ମାସରେ ଟେଣ୍ଡର କରିଥିଲେ। ଟେଣ୍ଡର ହେବାର ବର୍ଷକ ପରେ ୨୦୧୦ ନଭେମ୍ବରରେ ପ୍ରାକ୍ତନ ନଗର ଉନ୍ନୟନ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର, ପ୍ରାକ୍ତନ ଅର୍ଥନମନ୍ତ୍ରୀ ଡ. ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ ଓ ତତ୍‌କାଳୀନ କୋରେଇ ବିଧାୟକ ପ୍ରୀତିରଂଜନ ଘଡ଼ାଇ ଚୋରଦା ବାଇପାସ ଛକରେ ଶିଳାନ୍ୟାସ କରିଥିଲେ। ୨୦୧୧ ମସିହା ସେପ୍ଟେମ୍ବର ମାସରେ ଜଳ ପ୍ରକଳ୍ପ କାମ ଆରମ୍ଭ କରାଯାଇଥିଲା। ଇତିମଧ୍ୟରେ ୯ବର୍ଷ ବିତିଲାଣି ଯୋକଡ଼ିଆ ପାଣି ପ୍ରକଳ୍ପ ଶେଷ ହୋଇପାରୁନାହିଁ।

ସୂଚନା ଅନୁସାରେ, ଝାଡ଼ଖଣ୍ଡର ଠିକାଦାର ଛତିଶ ରାୟ ୨୦୧୧ ଡିସେମ୍ବରରୁ କାମ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କାମ ସଂପୂର୍ଣ କରି ପାରି ନାହାନ୍ତି। ଯୋକଡ଼ିଆ ଖରସ୍ରୋତାରେ ଇନ୍‌ଟେକ୍‌ ଟାଙ୍କି କାମ ସରିନାହିଁ। ମୁଣ୍ଡମାଳ ନିକଟରେ ନିର୍ମାଣ କରାଯାଇଥିବା ଓଭରହେଡ଼୍‍ ଟାଙ୍କି, କେମିକାଲ ହାଉସ୍‌, ଫିଲଟର ହାଉସ୍‌ ଓ ଦୁଇଟି ପମ୍ପ୍‌ ହାଉସ୍‌ ନିର୍ମାଣ କରାଯାଇଥିଲେ ମଧ୍ୟ ମେସିନାରୀ ଜିନିଷ ସଂଯୋଗ କରାଯାଇ ନାହିଁ। ପାଇପ୍‌ ସଂଯୋଗ କରାଯାଇ ନାହିଁ କେବଳ ଘର ନିର୍ମାଣ କାମ ସରିଛି। ଚାରିଆଡ଼େ ପାଇପ୍‌ କାମ ଅଧାପନ୍ତରିଆ ହୋଇପଡ଼ିଛି। ଭଟିଆ ନିକଟରେ ନିର୍ମାଣ କରାଯାଇଥିବା ଓଭରହେଡ୍‌ ଟାଙ୍କି କାମ ମଧ୍ୟ ସରିନାହିଁ। କାମ ସରି ନଥିବା ବେଳେ ସହରବାସୀଙ୍କୁ ଭକୁଆ ବନାଇବା ପାଇଁ ଘର ଓ ଟାଙ୍କି ରଙ୍ଗ ଦେବା ଆରମ୍ଭ କରି ଦେଇଛନ୍ତି। ସହରରେ ପାଇପ୍‌ ବିଛାଇବା ପାଇଁ ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳରେ ଭୁବନେଶ୍ୱରର ଜଣେ ଠିକାଦାର କାମ କରୁଛନ୍ତି। ମୋଟ୍‌ ୨୩ କିଲୋମିଟର୍‌ ପାଇପ୍‌ ବିଛାଇବାକୁ ଥିବା ବେଳେ ଅଳ୍ପ କେତେ ମିଟର୍‌ ପାଇପ୍‌ ବିଛା ହୋଇଛି। ପ୍ରକଳ୍ପ ଶେଷ ହେବା ପାଇଁ ଆଉ କେତେ ଦିନ ଲାଗିବ ତାହା ଅଧିକାରୀ ମଧ୍ୟ କହିପାରୁ ନାହାନ୍ତି। ଅନ୍ୟପକ୍ଷରେ, ଜନସ୍ୱାସ୍ଥ୍ୟ ବିଭାଗର କନିଷ୍ଠ ଯନ୍ତ୍ରୀ ଅରୁଣ କୁମାର ସାହୁ କହିଛନ୍ତି ଯେ, କାମ ୮୦ ପ୍ରତିଶତ ସରିଗଲାଣି ଆସନ୍ତା ଜୁନ୍‌ ସୁଦ୍ଧା ଏହି ପ୍ରକଳ୍ପରୁ ଜଳଯୋଗାଣ ଆରମ୍ଭ ହେବ।

 

ସମ୍ବନ୍ଧିତ ଖବର