ଭୂତଳ ଜଳ ସଂରକ୍ଷଣକୁ ପ୍ରଶାସନର ଅଣଦେଖା : ଦିନକୁ ଦିନ ମଧୁର ଜଳସ୍ତର କମୁଥିବା ବେଳେ ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ୍‌ରେ ରାସ୍ତାରେ ଭାସୁଛି ଭୂତଳ ଜଳ

ବ୍ରହ୍ମଗିରି : ଭୂତଳ ଜଳ ଶେଷ ହୋଇ ଆସୁଛି। ଆଗକୁ ପିଇବାକୁ ପାଣି ମିଳିବ ନାହିଁ। ମଧୁର ଜଳସ୍ତର ଧୀରେ ଧୀରେ କମିବାରେ ଲାଗିଛି। ହେଲେ ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ୍‌ରେ ଭୂତଳ ଜଳ ସଂରକ୍ଷଣ କଥାକୁ ପ୍ରଶାସନ ସମ୍ପୂର୍ଣ୍ଣ ଭୁଲି ଯାଇଛି।

ବ୍ରହ୍ମଗିରି ବ୍ଲକ୍‌ରେ ମୋଟ ୨୫ ପଞ୍ଚାୟତ ରହିଛି। ଏହି ପଞ୍ଚାୟତରେ ମୋଟ ୧୩୦୦ ନଳକୂପ ବସିଛି। ସେଥିମଧ୍ୟରୁ ତାରା, ଏସ୍‌ଏଲ୍‌ଭି ଆଦି ନଳକୂପ ଏକ ହଜାର ରହିଛି। ବାକି ୩ ଶହ ଉତ୍ସ ନଳକୂପ ରହିଛି। ଉତ୍ସ ନଳକୂପ ବା ଓଭର୍‌ ଫ୍ଲୋର୍‌ରୁ ସ୍ବତଃପ୍ରବୃତ୍ତ ପାଣି ବାହାରୁଛି। ଏହି ନଳକୂପର ପାଇପ୍‌ ମାଟି ତଳକୁ ୬ ଶହରୁ ୮ଶହ ଫୁଟ୍ ଯାଇଛି। ଗୋଟିଏ ନଳକୂପ ବସାଇବାକୁ ପ୍ରାୟ ୩୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥାଏ। ମାଟି ତଳୁ ପାଣି ସ୍ବତଃ ବାହାରିଥାଏ। ଖରାଦିନେ ଥଣ୍ତା ପାଣି ବାହାରୁ ଥିବାବେଳେ ଶୀତ ଦିନେ ଅଳ୍ପ ଉଷୁମ ପାଣି ବାହାରି ଥାଏ। ବ୍ରହ୍ମଗିରି ବ୍ଲକ୍‌ରେ ଅଧିକାଂଶ ଗାଁରେ ନଳକୂପ ରହିଛି। ଲୋକେ ନଳକୂପ ପାଣି ହିଁ ପିଇବାକୁ ବ୍ୟବହାର କରିଥାନ୍ତି। ଯେଉଁଠାରେ ପାଇପ୍‌ ପାଣି ବ୍ୟବସ୍ଥା ନାହିଁ। କିନ୍ତୁ ଏହି ସବୁ ନଳକୂପରେ ଆଜି ପର୍ଯ୍ୟନ୍ତ ଟ୍ୟାପ୍‌ ଲାଗି ନାହିଁ। ଦିନରାତି ସବୁବେଳେ ପାଣି ବାହାରୁଛି। ବର୍ଷା, ଖରା ଓ ଶୀତ ସବୁବେଳେ ପାଣି ଭାସୁଛି। କେତେକ ସ୍ଥାନରେ ଲୋକେ ନିଜସ୍ବ ଉଦ୍ୟମରେ ନଳକୂପର ପାଣି ବନ୍ଦ କରିବାକୁ କାଠି ବ୍ୟବହାର କରୁଥିବା ଦେଖିବାକୁ ମିଳିଥାଏ।

ଲୋକଙ୍କୁ କେଉଁଠି ପିଇବା ପାଣି ମିଳୁନି ତ ଆଉ ପୁଣି କେଉଁଠି ପାଣି ଭାସୁଛି। ଦିନରାତି ପାଣି ଭାସିବା ଫଳରେ ଭୂତଳ ଜଳସ୍ତର କମିବାରେ ଲାଗିଛି। ଖରାଦିନେ ଏହି ସବୁ ନଳକୂପରୁ ଜଳ ଶୁଖି ଯାଉଥିବାବେଳେ ଅଳ୍ପ ଅଳ୍ପ ପାଣି ବାହାରିଥାଏ। ଅନେକ ନଳକୂପରୁ ପାଣି ବାହାରୁ ନ ଥିବାରୁ ହ୍ୟାଣ୍ତ୍‌ପମ୍ପ୍‌ ଲଗାଯାଇ ପାଣି ବାହାର କରାଯାଇଥାଏ। ଗତ ବର୍ଷକ ମଧ୍ୟରେ ଶହେରୁ ଅଧିକ ଉତ୍ସ ନଳକୂପରେ ହ୍ୟାଣ୍ତ୍‌ପମ୍ପ୍‌ ଲଗାଗଲାଣି। ଏବେ ୩ ଶହ ଉତ୍ସ ନଳକୂପରେ ସେମିତି ପାଣି ବାହାରୁଛି। ତୁରନ୍ତ ପ୍ରଶାସନ ଏହି ସବୁ ନଳକୂପରେ ଟ୍ୟାପ୍‌ ଲଗାଇ ଜଳ ସଂରକ୍ଷଣ କରିବାକୁ ସାଧାରଣରେ ଦାବି ହୋଇଛି। ଯଦି ପ୍ରଶାସନ ପକ୍ଷରୁ ଧ୍ୟାନ ଦିଆ ନ ଯାଏ, ତେବେ ଆଗାମୀ ଦିନରେ ବ୍ଲକ୍‌ରେ ପିଇବା ପାଣି ସମସ୍ୟା ଉତ୍କଟ ହେବା ସହିତ ପ୍ରାକୃତିକ ବିପର୍ଯ୍ୟୟ ଆଶଙ୍କାକୁ ଏଡ଼ାଇ ଦେଇ ହେବ ନାହିଁ ବୋଲି ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର