ରାଉରକେଲା : ରାଉରକେଲା ସିଭିଲଟାଉନସିପ୍ ସ୍ୱେରେଜ ବୋର୍ଡ ଅଫିସ୍ ପରିସରସ୍ଥ ଜନସ୍ୱାସ୍ଥ୍ୟ ବିଭାଗ (ପିଏଚ୍ଡି)ର ୯ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ୭୦ ଫୁଟ୍ ଉଚ୍ଚର ୪୩ ବର୍ଷର ପୁରୁଣା ଓଭରହେଡ୍ ପାଣି ଟାଙ୍କି ତାସ ଘର ଭଳି ଭୁଶୁଡି ପଡିଛି। ଫଳରେ ଆଖପାଖରେ ନାହିଁ ନ ଥିବା ପରିସ୍ଥିତି ସୃଷ୍ଟି ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ପୂର୍ବାହ୍ନ ପ୍ରାୟ ୧୧ଟା ୨୦ମିନିଟ୍ରେ ସହରର ଜନବହୁଳ ସିଭିଲ୍ଟାଉନ୍ସିପ୍ ଅଞ୍ଚଳରେ ଏହି ଅଘଟଣ ଘଟିଥିଲା। ଟାଙ୍କିଟି ତଳେ ପଡ଼ିବାପରେ ପ୍ରଚଣ୍ଡ ଶବ୍ଦ ସହ କିଛି ସମୟ ସମଗ୍ର ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା। େଓ୍ଵସ୍କୋ କନିଷ୍ଠ ଯନ୍ତ୍ରୀ (ବିଦ୍ୟୁତ)ଙ୍କ ଅଫିସ୍ ଉପରେ ତାହା ଭୁଶୁଡି ପଡ଼ିବାରୁ ଅଫିସ୍ ବିଲ୍ଡିଂ ସମ୍ପୂର୍ଣ୍ଣ ଧୂଳିସାତ୍ ହୋଇଯାଇଛି। କମ୍ପ୍ୟୁଟର, ଆସବାବପତ୍ର ସହ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଭାଙ୍ଗିରୁଜି ଯାଇଛି ବା ପାଣିରେ ଭିଜି ନଷ୍ଟ ହୋଇଛି।
ଅଫିସ୍ ପରିସରେ ଥିବା କର୍ମଚାରୀମାନଙ୍କର ଗୋଟିଏ ବାଇକ୍, ୫ଟି ସାଇକେଲ ମଧ୍ୟ ଚୁର୍ମାର୍ ହୋଇଯାଇଛି। ଅଫିସ୍ରେ ପ୍ରାୟ ୧୫ରୁ ୨୦ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା େଓ୍ଵସ୍କୋ ଅଧୀକ୍ଷଣ ଯନ୍ତ୍ରୀ ଇଂ. ଅଚ୍ୟୁତାନନ୍ଦ ମେହେର କହିଛନ୍ତି। ସେହିଭଳି ଅଘଟଣ ସମୟରେ ଅଫିସରେ କାର୍ଯ୍ୟରତ ପ୍ରାୟ ୩୦ କର୍ମଚାରୀ ଭିତରେ ନ ଥିବାରୁ ଏବଂ ଭୁଶୁଡିଥିବା ପାଣି ଟାଙ୍କି ନିକଟରେ ନିର୍ମାଣଧୀନ ଅନ୍ୟ ଭୂତଳ ପାଣି ଟାଙ୍କିରେ କାର୍ଯ୍ୟରତ ୨୨ ଶ୍ରମିକ ଅନ୍ୟ ପାଖରେ ଥିବାରୁ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ତେବେ ଟାଙ୍କି ନିକଟସ୍ଥ ଟ୍ୟାବ୍ରୁ ପାଣି ଆଣିବାକୁ ଯାଇଥିବା ଠେଲା ଦୋକାନୀ ଜ୍ୟୋତ୍ସ୍ନା ରକ୍ଷିତ (୫୫), ତାଙ୍କ ସ୍ୱାମୀ ଦିଲୀପ ରକ୍ଷିତ (୬୦) ଓ ଅନ୍ୟ ଜଣେ ମହିଳା ଜୟନ୍ତୀ ସାହୁ ଆହତ ହୋଇଛନ୍ତି। ସେମାନଙ୍କ ମୁଣ୍ଡ, ଦେହରେ ଆଘାତ ଲାଗିଛି। ଚିକିତ୍ସା ପାଇଁ ସେମାନଙ୍କୁ ରାଉରକେଲା ସରକାରୀ ହସ୍ପିଟାଲ (ଆର୍ଜିଏଚ୍)ରେ ଭର୍ତ୍ତି କରାଯାଇଛି।
ଉଲ୍ଲେଖଯୋଗ୍ୟ ଯେ ଜନସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ୧୯୭୫ ମସିହାରେ ନିର୍ମିତ ଏହି ୯ଲକ୍ଷ ଲିଟର କ୍ଷମତା ବିଶିଷ୍ଟି ପାଣିଟାଙ୍କିରୁ ଦୈନିକ ସିଭିଲଟାଉନସିପ୍ ଅଞ୍ଚଳକୁ ପାଣି ଯୋଗାଇ ଦିଆଯାଉଥିଲା। ସବୁଦିନ ପରି ଆଜି ୯ ଲକ୍ଷ ଲିଟର ପାଣିରୁ ସକାଳେ ସିଭିଲଟାଉନସିପ୍ ଅଞ୍ଚଳକୁ ଯୋଗାଣ ପରେ ମାତ୍ର ୩୦ରୁ ୪୦ ହଜାର ଲିଟର ପାଣି ଟାଙ୍କିରେ ଗଚ୍ଛିତ ଥିଲା। ଯଦି ସକାଳ ଓଳି ପାଣି ଯୋଗାଣ ପୂର୍ବରୁ ଏଭଳି ଅଘଟଣ ଘଟିଥାନ୍ତା, ତାହେଲେ ସମସ୍ତ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହେବା ସହ କୃତ୍ରିମ ବନ୍ୟା ସୃଷ୍ଟି ହୋଇଥାନ୍ତା ବୋଲି ସ୍ଥାନୀୟ ଲୋକ କହିଛନ୍ତି।