ଶ୍ୱେତପତ୍ର ୨୦୧୭ : ମାତିଛନ୍ତି ଡକାୟତ, ଲୁଟେରା

ଭୁବନେଶ୍ୱର : ଚୋର, ଡକାୟତ ମାତିଛନ୍ତି ରାଜ୍ୟରେ। ଏମିତି ଯେ ଘର, ରାସ୍ତାଘାଟ, ଟ୍ରେନ୍‌, ବ୍ୟାଙ୍କ, ବାଣିଜ୍ୟ ପ୍ରତିଷ୍ଠାନ କିଛି ଛାଡି ନାହାନ୍ତି। ନିର୍ଦିଷ୍ଟ କେତେ କୋଟି ଟଙ୍କା ଲୁଟି ନେଇଛନ୍ତି, ସେକଥା ସରକାର ଲୁଚାଇଛନ୍ତି। କିନ୍ତୁ ଚୋରି, ଡକାୟତି, ଲୁଣ୍ଠନର ସଂଖ୍ୟା ଦେଖିଲେ, ଜଣାପଡୁଛି ଯେ ଏହା ପରିମାଣ ବିରାଟ। ପୁଲିସ ଏଥିରୁ ମାତ୍ର ୨୫ କୋଟି ୬୪ ଲକ୍ଷ ଟଙ୍କା ଉଦ୍ଧାର କରିପାରିଛି। ବାକି ସଂପତ୍ତି ମିଳିବା ଆଶା କମ୍‌।

କେବଳ ସେତିକି ନୁହେଁ, ୨୦୧୬ ତୁଳନାରେ ୨୦୧୭ରେ ରାଜ୍ୟରେ ଅଧିକ ୬୦୦ ପୁଲିସ ନିଯୁକ୍ତି ପାଇଛନ୍ତି। ହେଲେ ଡକାୟତି, ଲୁଣ୍ଠନ, ଚୋରି, ସିନ୍ଧିଚୋରି ଆଦି ଘଟଣାରେ ଅଧାରୁ ଅଧିକ ମାମଲାର ତଦନ୍ତ କେମିତି କୁଆଡୁ କରାଯିବ,  ସେକଥା ପୁଲିସ ଜାଣିପାରୁନି। ଯେତିକି ମାମଲା ରୁଜୁ ହୋଇଛି, ତାର ୫୦% ଘଟଣାରେ ଚାର୍ଜସିଟ୍‌ ବା ଦୋଷାରୋପ ଫର୍ଦ ଦାଖଲ ହୋଇପାରିନାହିଁ। ଅର୍ଥାତ ୫୦%ରୁ ଅଧିକ ମାମଲାର ଭାଗ୍ୟ ଆଜି ବି ପୁଲିସ ଅଧିକାରୀଙ୍କ ଫାଇଲ ଭିତରେ ରୁନ୍ଧି ହୋଇ ରହିଛି। ଘରୋଇ ବିଭାଗର ଶ୍ୱେତପତ୍ରରେ ଓଡ଼ିଶା ପୁଲିସର ଦକ୍ଷତା ଜଳ ଜଳ ହୋଇ ଧରାପଡ଼ିଯାଉଛି। ରାଜ୍ୟରେ ମହିଳା ଓ ଶିଶୁ ଦୁଷ୍କର୍ମ ଘଟଣା ଆଲୋଡନ ସୃଷ୍ଟି କରିଥିବା ବେଳେ ଶ୍ୱେତପତ୍ରରେ ପ୍ରକାଶ ପାଇଥିବା ତଥ୍ୟ ସୂଚାଉଛି ଯେ  ପୁଲିସ ଏ କ୍ଷେତ୍ରରେ ସେଭଳି ତତ୍ପରତା ଦେଖାଉନାହିଁ, ଯେଭଳି ସରକାର ଚାହୁଁଛନ୍ତି। ୨୦୧୭ ମସିହାରେ ଘଟିଥିବା ଦୁଷ୍କର୍ମ ମାମଲା ମଧ୍ୟରୁ ପାଖାପାଖି ୩୭% ମାମଲାରେ ଅଭିଯୋଗ ଫର୍ଦ ଦାଖଲ ହୋଇପାରିନାହିଁ।

ତଥ୍ୟ କହୁଛି, ଗତବର୍ଷ ୨୨୨୧ ଟି ଦୁଷ୍କର୍ମ ମାମଲା ଥାନାକୁ ଆସିଛି। ଅର୍ଥାତ୍‌ ଦିନକୁ ହାରାହାରି ୬ଟି ଦୁଷ୍କର୍ମ ଅଭିଯୋଗ ଥାନାକୁ ଆସୁଛି। ସେଥିରୁ ୮୨୦ଟି ମାମଲାର ତଦନ୍ତ ଏ ଯାଏଁ ସରିନାହିଁ। ଯଦିଓ ୬୦ଦିନ ଭିତରେ ଧର୍ଷଣ ଅଭିଯୋଗର ତଦନ୍ତ ସାରି ଚାର୍ଜସିଟ୍‌ ଦାଖଲ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରମ୍ବାର ନିର୍ଦେଶ ଦେଇ ଚାଲିଛନ୍ତି, ଅପରାଧୀକୁ ଧରି କଠୋର ଦଣ୍ଡବିଧାନ ଲାଗି ଘୋଷଣା ହୋଇଛି, କିନ୍ତୁ ଏହାର ସେଭଳି ଆଖିଦୃଶିଆ ପ୍ରଭାବ କାର୍ଯ୍ୟରେ ଦେଖାଯାଇନାହିଁ।

ଗତବର୍ଷ ମୋଟ ୫୩୪ଟି ଡକାୟତି ମାମଲା ରୁଜୁ ହୋଇଛି ବୋଲି ଘରୋଇ ବିଭାଗ ହିସାବ ଦେଇଛି। ୨୦୪୮ଟି ଲୁଣ୍ଠନ, ୩୯୫୩ଟି ସିନ୍ଧି ଚୋରି, ୯୦୮୩ଟି ଚୋରି ଘଟାଇ ଲୋକଙ୍କୁ ଲୁଟିଛନ୍ତି ଅପରାଧୀ। ଅର୍ଥାତ୍‌ ପୁଲିସ ପାଟ୍ରୋଲିଂ ଏମିତି ଚାଲିଛି ଯେ ଦିନକୁ ହାରାହାରି ୪୩ଟି ଲୁଟ୍‌ତରାଜ ସଂଘଟିତ ହୋଇଛି ରାଜ୍ୟରେ। ଅପରାଧୀମାନେ କେତେ ଟଙ୍କା ଲୁଟି ନେଇଛନ୍ତି, ସରକାର ସେ ତଥ୍ୟ ଦେବାକୁ ଚାହିଁନାହାନ୍ତି। ଏହା ସଙ୍କେତ ଦେଉଛି, ସମ୍ଭବତଃ ଲୁଟେରା ବେଶ୍‌ କିଛି ଅର୍ଥ ଲୁଟ୍‌ ନେଇଛନ୍ତି, ଯେଉଁଥିରୁ ମାତ୍ର ୨୫ କୋଟି ୬୪ ଲକ୍ଷ ଟଙ୍କା ପୁଲିସ ଉଦ୍ଧାର କରିପାରିଛି। ଏ ମଧ୍ୟରୁ ୩ କୋଟି ୨୮ଲକ୍ଷ ୨୪ ହଜାର ୪୧୭ ଟଙ୍କା ଡକାୟତଙ୍କ ଠାରୁ ଉଦ୍ଧାର ହୋଇଛି ଓ ୨ କୋଟି ୫୨ଲକ୍ଷ ୮୭ ହଜାର ୯୬୯ ଟଙ୍କା ଲୁଣ୍ଠନକାରୀଙ୍କ ଠାରୁ। ଚୋରଙ୍କ ଠାରୁ ପୁଲିସ ୧୯ କୋଟି ୮୩ ଲକ୍ଷ ୨୬ ହଜାର ୮୦୫ ଟଙ୍କା ମୂଲ୍ୟର ସଂପତ୍ତି ଉଦ୍ଧାର କରିଛି।

୫୩୪ଟି ଡକାୟତି ମାମଲା ମଧ୍ୟରୁ ମାତ୍ର ୨୩୧ଟିରେ ତଦନ୍ତ ସମ୍ପୂର୍ଣ୍ଣ କରି ପୁଲିସ ଚାର୍ଜସିଟ୍‌ ଦାଖଲ କରିଛି। ଲୁଣ୍ଠନରେ ୫୫% ମାମଲାର ତଦନ୍ତ ସରୁନାହିଁ। ସେହିଭଳି ଚୋରି ଘଟଣାରେ ପୁଲିସର ତଦନ୍ତ ସଫଳତା ମାତ୍ର ୨୫%।

ହତ୍ୟା ମାମଲାରେ ବି ପୁଲିସର ସଫଳତା ବେଶ୍‌ କିଛି ଉତ୍ସାହଜନକ ନୁହେଁ। ୨୦୧୭ ମସିହାରେ ମୋଟ ପଞ୍ଜୀକୃତ ୧୨୬୭ଟି ହତ୍ୟା ମାମଲାରୁ ମାତ୍ର ୬୪୩ଟିରେ ଅଭିଯୋଗ ଫର୍ଦ ଦାଖଲ ହୋଇଛି। ଅର୍ଥାତ୍‌ ୪୯% କ୍ଷେତ୍ରରେ ହତ୍ୟାକାରୀଙ୍କ ସନ୍ଧାନ ପାଉନାହିଁ ପୁଲିସ।

ପ୍ରତାରଣା ଏବଂ ଠକେଇ ତଦନ୍ତରେ ମଧ୍ୟ ପୁଲିସର ଅପାରଗତା କିଛି କମ ନୁହେଁ। ଗତବର୍ଷ ୨୯୬୦ଟି ମାମଲା ପଞ୍ଜୀକୃତ ହୋଇ ମାତ୍ର ୮୨୭ ଅର୍ଥାତ୍‌ ୨୮% ମାମଲାର ଚାର୍ଜସିଟ୍‌ ଦାଖଲ ହୋଇଛି।

ମହିଳା ନିର୍ଯାତନା ଅଭିଯୋଗ ତଦନ୍ତରେ ପୁଲିସ କେତେ ସକ୍ରିୟ ହୋଇଛି, ତାହା ମଧ୍ୟ ଶ୍ୱେତପତ୍ରର ତଥ୍ୟରୁ ସ୍ପଷ୍ଟ ହେଉଛି। ଗତବର୍ଷ ୫୫୬୨ଟି ଯୌତୁକ ଜନିତ ମାମଲା ଥାନାକୁ ଆସିଥିଲା। ଏଥିରୁ ୪୦% ମାମଲାର ତଦନ୍ତ ସରୁନାହିଁ। ମୋଟ ୪୯୯ଟି ଯୌତୁକ ଜନିତ ହତ୍ୟା ମାମଲା ମଧ୍ୟରୁ ୨୯୨ଟିର ତଦନ୍ତ ଶେଷ ହୋଇପାରିନାହିଁ। ଯୌତୁକ ଜନିତ ନିର୍ଯାତନା ଘଟିଛି ୩୨୩୦। ଏଥିରୁ ୧୩୩୦ ଟି ତଦନ୍ତ ଗଡୁଛି। ଅଣଯୌତୁକ ନିର୍ଯାତନା ମାମଲାରେ ମଧ୍ୟ ପୁଲିସର ତଦନ୍ତ ସଫଳତା ୬୨%। ୧୭୦୮ଟି ମାମଲା ମଧ୍ୟରୁ ୬୪୧ଟିର ତଦନ୍ତ ଆଗେଇ ପାରୁନାହିଁ।

ଅର୍ଥନୈତିକ ଅପରାଧ ମାମଲା କ୍ଷେତ୍ରରେ ପୁଲିସର ପାରଦର୍ଶିତା ସଙ୍ଗୀନ ସ୍ଥିତିରେ। ୨୦୧୭ରେ ୨୩ଟି ମାମଲା ରୁଜୁ ହୋଇଥିଲେ ହେଁ, ମାତ୍ର ୨ଟି ମାମଲାର ଅଭିଯୋଗ ଫର୍ଦ ଦାଖଲ ହୋଇପାରିଥିଲା।

ସରକାର ଦର୍ଶାଇଛନ୍ତି, ୨୦୧୭ରେ ବାମପନ୍ଥୀ ଉଗ୍ରବାଦ ନିୟନ୍ତ୍ରଣାଧୀନ ଥିଲା। ମାଲକାନଗିରି, କୋରାପୁଟ, କଳାହାଣ୍ଡି, ରାୟଗଡା, କନ୍ଧମାଳ, ଅନୁଗୁଳ, ବଲାଙ୍ଗୀର ଓ ବରଗଡ ଜିଲ୍ଲାର କେତେକାଞ୍ଚଳରେ ପରିସ୍ଥିତି ଉଦ୍‌ବେଗଜନକ ରହିଥିଲା।  ବର୍ଷକ ମଧ୍ୟରେ ପୁଲିସ ୭ ଥର ଗୁଳିଚାଳନା କରିଛି। ଅନ୍ୟପକ୍ଷରେ ୧୬ଥର ହିନ୍ଦୁ-ମୁସଲିମ୍‌ ବିଦ୍ୱେଷ ଓ ଥରେ ହିନ୍ଦୁ- ଖ୍ରୀଷ୍ଟିୟାନ୍‌ ବିଦ୍ୱେଷ ଦେଖାଯାଇଥିଲା। ସେହିପରି ବିଭିନ୍ନ ରାଜନୈତିକ ଦଳ ଓ ସଂଗଠନ ୪୬୬ ଥର ରାସ୍ତାରୋକ ଓ ୧୯ ଥର ରେଳରୋକ କରିଥିଲେ।

ଉଲ୍ଲେଖଯୋଗ୍ୟ, ଶ୍ୱେତପତ୍ର ଦର୍ଶାଉଛି ଯେ ୨୦୧୭ ମସିହାରେ ରାଜ୍ୟରେ ମୋଟ ୧ଲକ୍ଷ ୩ ହଜାର ୮୬୬ଟି ଅପରାଧ ପଞ୍ଜୀକୃତ ହୋଇଥିଲା। ଏ ମଧ୍ୟରୁ ୮୭ ହଜାର ୨୯୭ ମାମଲା ଭାରତୀୟ ପିଙ୍ଗଳ କୋଡ୍‌ର ବିଭିନ୍ନ ଦଫାରେ ପଞ୍ଜୀକୃତ ହୋଇଥିଲା।

ସମ୍ବନ୍ଧିତ ଖବର