ଚିକିତ୍ସାଧୀନ ଅବସ୍ଥାରେ ବିବାହିତା ମହିଳାଙ୍କ ମୃତ୍ୟୁ, ନିଜ ଦେହରେ କିରାସିନି ଢାଳି ନିଆଁ ଲଗାଇଥିଲେ ମହିଳା

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରର ବିନିକାପଡ଼ାରେ ଏକ ଅଭାବନୀୟ ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ସାଢ଼େ ୧୦ଟା ସମୟରେ ପୂଜା ସାହୁ (୨୧) ନାମକ ଜଣେ ବିବାହିତା ମହିଳା ନିଜ ଦେହରେ କିରାସିନି ଢାଳି ନିଆଁ ଲଗାଇଥିଲେ। ତା’ପରେ ଅର୍ଦ୍ଧଦଗ୍ଧ ଅବସ୍ଥାରେ ତାଙ୍କୁ ବିନିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।

ଯେତେବେଳେ ପୂଜା ନିଜ ଦେହରେ ନିଆଁ ଲଗାଇଥିଲେ, ସେତେବେଳେ ଘରେ ତାଙ୍କ ସ୍ବାମୀ ଦୋଳାମଣି ସାହୁ ଅନୁପସ୍ଥିତ ଥିବା କୁହାଯାଉଛି। ହେଲେ, ଘରେ ପୂଜାଙ୍କର ଶାଶୂ, ଶ୍ବଶୁର ଉପସ୍ଥିତ ଥିଲେ। ଖବର ପାଇ ଘଟଣାସ୍ଥଳରେ ବିନିକା ଥାନା ପୁଲିସ ପହଞ୍ଚି ଶବକୁ ଜବତ କରିଛି I ପୁଲିସ ଘଟଣାର ତଦନ୍ତ କରୁଛି।

image source–Dailyhunt

ପୂଜାଙ୍କ ବାପଘର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ହୋଇଛି ଯେ ପୂଜାଙ୍କୁ ଶାଶୂଘର ଲୋକେ ମାରି ଦେଇଛନ୍ତି। ଶୁଣିବାକୁ ମିଳୁଛି ଯେ ଆଗରୁ ସ୍ବାମୀ-ସ୍ତ୍ରୀଙ୍କ ଭିତରେ ଝଗଡ଼ା ହେଉଥିଲା। ଏହାକୁ ଯୌତୁକଜନିତ ହତ୍ୟାକାଣ୍ଡ ବୋଲି ବି ସେହି ଅଞ୍ଚଳରେ ଚର୍ଚ୍ଚା ହେଉଛି। ସୂଚନାଯୋଗ୍ୟ ପ୍ରାୟ ବର୍ଷକ ତଳେ ଦୋଳମଣି ଓ ପୂଜାଙ୍କର ବାହାଘର ହୋଇଥିଲା। ଦୋଳମଣି ଜଣେ ଦିନ ମଜୁରିଆ ବୋଲି ଜଣାଯାଇଛି।

ସମ୍ବନ୍ଧିତ ଖବର